ମହଙ୍ଗା ହେବ ଚିନି ! ଏମଏସପି ବଢାଇବାକୁ ସରକାରଙ୍କ ବିଚାର

ନୂଆଦିଲ୍ଲୀ : ଦେଶରେ ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ଦାମ ଦୈନିକ ବଢିଚାଲିଥିବାବେଳେ ଆଉ ଏକ ଅତ୍ୟାବଶ୍ୟକ ସାମଗ୍ରୀ ଚିନି ମହଙ୍ଗା ହେବାର ଆଶଙ୍କା ଦେଖାଦେଇଛି । ଚିନିର ସର୍ବନିମ୍ନ ବିକ୍ରି ମୂଲ୍ୟ ଏବେ କିଲୋଗ୍ରାମ ପିଛା ୩୧ ଟଙ୍କା ଥିବାବେଳେ ସରକାର ତାହାକୁ ବଢାଇବାକୁ ବିଚାର କରୁଛନ୍ତି । ଏହା ଦ୍ୱାରା ମିଲରମାନେ ଚାଷୀମାନଙ୍କ ବକେୟା ରଖିଥିବା ପ୍ରାୟ ୨୨ ହଜାର କୋଟିର ଦେୟ ପରିଶୋଧ କରିପାରିବେ ବୋଲି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି ।  ଯଥାଶୀଘ୍ର ଯେପରି ଚାଷୀଙ୍କ ହାତକୁ ଟଙ୍କା ଯିବ ସେନେଇ ସରକାର ଉଦ୍ୟମ କରୁଛନ୍ତି ।

ଏହି ଏମଏସପି ବୃଦ୍ଧି ପ୍ରସ୍ତାବ ସଂପର୍କରେ ରାଜ୍ୟ ସରକାରଙ୍କ ମତାମତ ଲୋଡ଼ାଯାଇଛି । ନିତି ଆୟୋଗ ମଧ୍ୟ ଏହାକୁ ସମର୍ଥନ କରୁଛି । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଏପରି ନିଆଯିବ ଯେପରି ଚାଷୀ ଉପକୃତ ହେବେ କିନ୍ତୁ ଖାଉଟି ପ୍ରଭାବିତ ହେବେ ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ଚିନିର ସର୍ବନିମ୍ନ ବିକ୍ରି ମୂଲ୍ୟ କେତେ ବଢିବ ସେ ସମ୍ପର୍କରେ ସେ କିଛି କହିନାହାନ୍ତି । ତେବେ ନିତି ଆୟୋଗ ଦ୍ୱାରା ଗଠିତ ଏକ ଟାକ୍ସଫୋର୍ସ ଚିନି ଏମଏସପିକୁ କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ସରକାର ଲାଗୁ କରିବାକୁ ବିଚାର କରୁଛନ୍ତି ।

ସମ୍ବନ୍ଧିତ ଖବର