ଫ୍ରିଜ ଆମଦାନୀ ଉପରେ କଟକଣା ଲଗାଇବେ ସରକାର

ନୂଆଦିଲ୍ଲୀ : ଭାରତୀୟ ନିର୍ମାତାମାନଙ୍କୁ ପ୍ରେତ୍ସାହିତ କରିବାକୁ ବିଦେଶରୁ ଆମଦାନୀ ହେଉଥିବା ଫ୍ରିଜ ଉପରେ କଟକଣା ଜାରି କରିବାକୁ ଭାରତ ସରକାର ବିଚାର କରୁଛନ୍ତି । ସରକାରଙ୍କ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ସାମସଙ୍ଗ ଓ ଏଲଜି ପରି କମ୍ପାନି ପ୍ରଭାବିତ ହୋଇପାରନ୍ତି । କାରଣ ଏହି ଦୁଇ କମ୍ପାନି କୋରିଆରୁ କେତେକ ହାଇ-ଏଣ୍ଡ୍ ଫ୍ରିଜ ଆମଦାନୀ କରନ୍ତି ।

କୋରିଆ, ଜାପାନ ଆଦି କେତେକ ଦେଶ ସହ ଭାରତର ଫ୍ରି-ଟ୍ରେଡ ଚୁକ୍ତି ଥିବାରୁ ତାହାର ଫାଇଦା ନେଇ ଏଲଜି, ସାମସଙ୍ଗ ପରି କମ୍ପାନି  ଶସ୍ତାରେ ଆମଦାନୀ କରି ଭାରତୀୟ ବଜାରରେ ବିକ୍ରି କରୁଛନ୍ତି । କାରଣ ଏଫଟିଏ ଅନୁସାରେ ଦୁଇ ଦେଶ ମଧ୍ୟରେ ଶୁଳକମୁକ୍ତ କିମ୍ବା ସର୍ବନିମ୍ନ ଶୁଳକରେ ବାଣିଜ୍ୟ କାରବାର କରାଯାଉଛି ।

ସରକାରଙ୍କ ମେକ-ଇନ-ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଭାରତରେ ଉତ୍ପାଦନକୁ ଗୁରୁତ୍ବ ଦିଆଯାଉଛି ।

ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଏକ ମାସ ମଧ୍ୟରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି । ଏହି ପ୍ରସ୍ତାବିତ ନିଷ୍ପତ୍ତି ଅନୁସାରେ ସରକାର ଭାରତକୁ ଆମଦାନୀ କରୁଥିବା କମ୍ପାନିଙ୍କ ଉପେକ୍ଷା ଭାରତରେ ଉତ୍ପାଦନ କରୁଥିବା କମ୍ପାନିମାନଙ୍କୁ ପ୍ରେତ୍ସାହନ ଦେବେ ।

ଭାରତର ବାର୍ଷିକ ଫ୍ରିଜ ତିଆରି କ୍ଷମତା ୨୪ ନିୟୁତ ୟୁନିଟ ହୋଇଥିବାବେଳେ ଚାହିଦା ହେଉଛି ୧୫ ନିୟୁତ ୟୁନିଟ୍ । ଉଭୟ ସାମସଙ୍ଗ ଓ ଏଲଜିର ଭାରତରେ ଉତ୍ପାଦନ ପ୍ଲାଣ୍ଟ ରହିଛି । ଏହା ସତ୍ତ୍ବେ ସାମସଙ୍ଗ, ଏଲଜି ପରି କମ୍ପାନି ପ୍ରତିବର୍ଷ ହଜାର ହଜାର ଫ୍ରିଜ ଆମଦାନୀ କରନ୍ତି।

ସମ୍ବନ୍ଧିତ ଖବର