ପୁଣି ନିରାଶ ହେଲା ଟେସଲା, ଟିକସ ରିହାତି ଦେବାକୁ ମନା କଲେ ଭାରତ ସରକାର

ନୂଆଦିଲ୍ଲୀ : ଆମେରିକୀୟ ଶିଳ୍ପପତି ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର କମ୍ପାନି ଟେସଲା ପୁଣି ନିରାଶ ହୋଇଛି । କମ୍ପାନିକୁ ଟିକସ ରିହାତି ଦେଇ ହେବ ନାହିଁ ବୋଲି ଭାରତ ସରକାର ରୋକଠୋକ୍ ଜଣାଇଦେଇଛନ୍ତି ।

ଟେସଲା ଭାରତୀୟ ବଜାରରେ ପ୍ରବେଶ ପାଇଁ ଆଗ୍ରହ ପ୍ରକାଶ କରିବା ପରେ ଦେଶର ୫ଟି ରାଜ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା ଓ ପଞ୍ଜାବ ନିଜ ନିଜ ରାଜ୍ୟରେ କାରଖାନା ସ୍ଥାପନ କରିବାକୁ ଆମନ୍ତ୍ରଣ କରିଥିଲେ ।

କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମାଶୁଳକ ବୋର୍ଡର ଅଧ୍ୟକ୍ଷ ବିବେକ ଜୋହରି କହିଛନ୍ତି ଯେ ବୋର୍ଡ ପକ୍ଷରୁ ଟିକସ ହ୍ରାସ ସଂପର୍କରେ ବିଚାର କରାଯାଇଥିଲା । କିନ୍ତୁ ବର୍ତ୍ତମାନର ଟିକସ ହାରରେ ବି ଦେଶରେ ଇଲେକ୍ଟ୍ରିକ କାର ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ନିବେଶ ଆସୁଛି । ଏଣୁ ଟିକସ ହାର ଟେସଲା ପାଇଁ ଏକ ପ୍ରତିବନ୍ଧକ ନୁହେଁ ।

ଟେସଲା ସଂପୂର୍ଣ୍ଣ ବିଦେଶରେ ନିର୍ମିତ କାର ଭାରତକୁ ଆମଦାନୀ କରିବାକୁ ଚାହୁଁଛି । ଏଥିପାଇଁ ୧୦୦ ପ୍ରତିଶତ ଟିକସ ରିହାତି ଚାହୁଁଛି । କିନ୍ତୁ ସରକାରଙ୍କ ନୀତି ଅନୁସାରେ ବିଦେଶରେ ଆଂଶିକ ନିର୍ମିତ ଇଲେକ୍ଟ୍ରିକ କାର ଆମଦାନୀ କରି ଭାରତରେ ଆସେମ୍ବଲ କରିବା ଉପରେ ଟିକସ ରିହାତି ଦିଆଯାଉଛି ।

ସମ୍ବନ୍ଧିତ ଖବର