ନୂଆଦିଲ୍ଲୀ: ହ୍ବାଟସ୍ଆପ୍ରେ ଅଜଣା ଆନ୍ତର୍ଜାତିକ ନମ୍ବରରୁ ବାରମ୍ବାର କଲ୍ ଆସୁଥିବା ନେଇ ଲୋକମାନେ ଅତିଷ୍ଠ ଥିବା ବେଳେ ଏହି ମାମଲାରେ କଂପାନିକୁ ନୋଟିସ୍ ପଠାଇବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ହ୍ବାଟସ୍ଆପ୍କୁ ନୋଟିସ୍ ପଠାଯିବ ବୋଲି ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି। ସେ କହିଛନ୍ତି ଯେ ଡିଜିଟାଲ ନାଗରିକମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ହେଉଛି ଡିଜିଟାଲ୍ କଂପାନିର ଦାୟିତ୍ବ ଓ ସେଥିପାଇଁ ସେମାନେ ଉତ୍ତରଦାୟୀ। ଲୋକମାନଙ୍କ ଗୋପନୀୟତାର ଉଲ୍ଲଂଘନ ସମ୍ପର୍କିତ ପ୍ରତିଟି ମାମଲାକୁ ସରକାର ଗମ୍ଭୀରତାର ସହ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ସରକାର ନୋଟିସ୍ ପଠାଇବା ବିଷୟରେ ବିଚାର କରୁଥିବା ଜାଣିବା ପରେ ହ୍ବାଟସ୍ଆପ୍ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଛି।
କଂପାନି ପକ୍ଷରୁ କୁହାଯାଇଛି ଯେ ବ୍ୟବହାରକାରୀମାନଙ୍କ ଗୋପନୀୟତାର ସୁରକ୍ଷା ହେଉଛି ମେଟା ଓ ହ୍ବାଟସ୍ଆପ୍ର ମୌଳିକ କାର୍ଯ୍ୟ। ଆମେ ଯାହାବି କିଛି କରୁଛୁ ତାହାର କେନ୍ଦ୍ର ସ୍ଥଳରେ ରହିଛନ୍ତି ବ୍ୟବହାରକାରୀ। ସେମାନଙ୍କୁ ସୁରକ୍ଷିତ ରଖିବା ଲାଗି ସରକାରଙ୍କ ନିୟମକୁ ଆମେ ପାଳନ କରୁଛୁ।ବ୍ୟବହାରକାରୀମାନେ ଯେଭଳି ସୁରକ୍ଷିତ ରହିପାରିବେ ସେଥିପାଇଁ ଆପ୍ରେ ବ୍ଲକ୍ ଆଣ୍ଡ୍ ରିପୋର୍ଟ ଭଳି ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି। ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ବିଷୟରେ କଂପାନି ନିୟମିତ ବ୍ୟବଧାନରେ ସଚେତନତା ସୃଷ୍ଟି କରିବା ଉପରେ କାର୍ଯ୍ୟ କରୁଛି। କିନ୍ତୁ କିଛି ଅସାଧୁ ତତ୍ତ୍ବ ଲୋକମାନଙ୍କୁ ଠକିବା ଲାଗି ଭିନ୍ନ ବାଟ ସନ୍ଧାନ କରୁଛନ୍ତି। ଏଥର ସେମାନେ ଆନ୍ତର୍ଜାତିକ ନମ୍ବରରେ ମିସଡ୍ କଲ୍ ଦେଇ ଲୋକମାନଙ୍କୁ ଠକିବାର ନୂଆ ବାଟ ପାଇଛନ୍ତି। ସେଭଳି ଘଟଣାକୁ ରୋକିବା ଲାଗି ଆମେ ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂ କ୍ଷମତାକୁ ବଢ଼ାଇଛୁ। ଆମର ଏହି ପଦକ୍ଷେପ ଦ୍ବାରା ଏଭଳି ଅଜଣା କଲ୍ ସଂଖ୍ୟା ୫୦% କମିଯିବ। ବ୍ୟବହାରକାରୀମାନଙ୍କ ସୁରକ୍ଷା ଲାଗି କଂପାନି ପ୍ରତିବଦ୍ଧ ରହିଛି ବୋଲି ହ୍ବାଟସ୍ଆପ୍ ପକ୍ଷରୁ କୁହାଯାଇଛି।