‘ଏଲ୍‌ପିଜି’ ଚୋରି ରୋକିବାକୁ ‘ସିଲିଣ୍ଡର୍‌’ରେ ଲାଗିବ ‘କ୍ୟୁଆର୍‌’ କୋଡ୍‌

ନୂଆଦିଲ୍ଲୀ: ‘ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌’ ବା ରନ୍ଧନ ଗ୍ୟାସ୍‌ ଚୋରି ରୋକିବା ଲାଗି ସିଲିଣ୍ଡର୍‌ରେ ‘କ୍ୟୁଆର୍‌’ କୋଡ୍‌ ଲଗାଯିବ ବ‌ୋଲି ଆଜି ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ଭିଡିଓ ସେୟାର୍‌ କରି ସୂଚନା ଦେଇଛନ୍ତି।

ବୁଧବାର ରାତିରେ ମନ୍ତ୍ରୀ ପୁରୀ ଟୁଇଟର୍‌ରେ ସେୟାର୍‌ କରିଥିବା ଭିଡିଓରେ ଦେଖାଯାଉଛି ଯେ, ‘ଏଲ୍‌ପିଜି’ ସିଲିଣ୍ଡର୍‌ଗୁଡ଼ିକରେ ‘କ୍ୟୁଆର୍‌’ କ‌ୋଡ୍‌ ଲାଗିଛି। ସେଥିରେ ସେ ଲେଖିଛନ୍ତି: ଇନ୍ଧନ ଠାବ ଗୋଟାଏ ଉଲ୍ଲେଖନୀୟ ଉଦ୍‌ଭାବନ। ଏହି ‘କ୍ୟୁଆର’ କୋଡ୍‌ ପୁରାତନ ସିଲିଣ୍ଡର୍‌ଗୁଡ଼ିକରେ ଲଖାଇ ଦିଆଯିବ ଏବଂ ନୂଆ ସିଲିଣ୍ଡର୍‌ରେ ୱେଲ୍‌ଡିଙ୍ଗ୍‌ କରାଯିବ। ଏହି କୋଡ୍‌କୁ ଆକ୍ଟିଭେଟ୍‌ ବା ସକ୍ରିୟ କରିବା ପରେ ସିଲିଣ୍ଡର୍‌ରୁ ଗ୍ୟାସ୍‌ ଚୋରି କରାଯିବା ଭଳି ସମସ୍ୟା ଧରାପଡ଼ିବା ସହ ‘ଟ୍ରାକିଙ୍ଗ୍‌ ଓ ଟ୍ରେସିଙ୍ଗ୍‌’ କରି ସିଲିଣ୍ଡର୍‌ଗୁଡ଼ିକର ତାଲିକା ପ୍ରସ୍ତୁତିଜନିତ ପରିଚାଳନା ପାଇଁ ସୁବିଧା ହେବ।

Image Courtesy of Zee News

ମନ୍ତ୍ରୀ ପୁରୀ କହିଛନ୍ତି, ସୁଲଭ ମୂଲ୍ୟରେ ସମସ୍ତଙ୍କୁ ମିଳିବା ଉପରେ ଦୃଷ୍ଟି ଦିଆଯାଇ ନିରବଚ୍ଛିନ୍ନ ଭାବେ ଶକ୍ତି ଉତ୍ପାଦନ ଓ ବ୍ୟବହାର ପାଇଁ ଜରୁରୀ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିଲା।

‘ବିଶ୍ବ ଏଲ୍‌ପିଜି ସପ୍ତାହ ୨୦୨୨’ର ଥିମ୍‌ ‘ହ୍ୟୁମାନାଇଜିଙ୍ଗ୍‌ ଏନର୍ଜି’ର ପ୍ରାସଙ୍ଗିକତା ଉପରେ ଗୁରୁତ୍ବାରୋପ କରି ସେ ଆହୁରି ମଧ୍ୟ କହିଛନ୍ତି, ଜନକଲ୍ୟାଣରେ ଶକ୍ତିର ପ୍ରତ୍ୟକ୍ଷ ପ୍ରଭାବ ଥିବାରୁ ଉପରୋକ୍ତ ଥିମ୍‌ଟି ସୁନ୍ଦର ହୋଇଛି।

ସମ୍ବନ୍ଧିତ ଖବର