ସ୍ବପ୍ନ ଦେଖାଇଲେ ଗୋୟଲ: ଭାରତ ହେବ ୩୦ ଟ୍ରିଲିଅନ୍ ଡଲାର ଅର୍ଥନୀତି

ବାର୍ଷିକ ୮% ଅଭିବୃଦ୍ଧି ହେଲେ ଅସମ୍ଭବ ନୁହେଁ

ନୂଆଦିଲ୍ଲୀ: ଭାରତକୁ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସ୍ବପ୍ନ ଦେଖାଇଥିଲେ। ଏବେ ଦେଶର ଶିଳ୍ପ, ବାଣିଜ୍ୟ ଓ ବୟନ ଶିଳ୍ପ ମନ୍ତ୍ରୀ ୩୦ ଟ୍ରିଲିଅନ ଡଲାର ଅର୍ଥନୀତିର ସ୍ବପ୍ନ ଦେଖାଇଛନ୍ତି। ଆସନ୍ତା ୩୦ ବର୍ଷରେ ଭାରତ ୩୦ ଟ୍ରିଲିଅନ ଡଲାର ଅର୍ଥନୀତିରେ ରୂପାନ୍ତରିତ ହୋଇପାରିବ ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଏକ ଟ୍ରିଲିଅନ ଡଲାର ହେଉଛି ଏକ ଲକ୍ଷ କୋଟି ଡଲାର। ଏଥିପାଇଁ ସେ ହିସାବ ମଧ୍ୟ ଉପସ୍ଥାପନ କରିଛନ୍ତି। ତାଙ୍କ ମତରେ ଏବେ ଭାରତୀୟ ଅର୍ଥନୀତିର ଆକାର ହେଉଛି ୩.୨ ଟ୍ରିଲିଅନ ଡଲାର। ଯଦି ପ୍ରତିବର୍ଷ ୮% ଅଭିବୃଦ୍ଧି ସମ୍ଭବ ହେବ ତେବେ ଅର୍ଥନୀତିର ଆକାର ଦ୍ବିଗୁଣିତ ହେବା ଲାଗି ୯ ବର୍ଷ ସମୟ ଲାଗି। ସେହି ହିସାବ ଅନୁସାରେ ଆସନ୍ତା ୯ ବର୍ଷରେ ଭାରତୀୟ ଅର୍ଥନୀତି ୬.୫ ଟ୍ରିଲିଅନ ଡଲ‌ାରରେ ରୂପାନ୍ତରିତ ହେବ। ଆଜିଠାରୁ ୧୮ ବର୍ଷ ପରେ ତାହା ୧୩ ଟ୍ରିଲିଅନ ଡଲାର ଓ ୨୭ ବର୍ଷ ପରେ ୨୬ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ। ତେଣୁ ୩୦ ବର୍ଷ ଭିତରେ ଭାରତ ଏକ ୩୦ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବା କିଛି ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ଗୋୟଲ କହିଛନ୍ତି ଯେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ସତ୍ତ୍ବେ ଭାରତୀୟ ଅର୍ଥନୀତି ବହୁତ ଭଲ ଗତିରେ ଆଗକୁ ବଢ଼ୁଛି। ଯୁଦ୍ଧ ଯୋଗୁଁ ବହୁ ସାମଗ୍ରୀର ଅଭାବ ଦେଖାଦେଇଥିବାରୁ ସମଗ୍ର ବିଶ୍ବରେ ମୁଦ୍ରାସ୍ଫୀତି ବେଲଗାମ ହୋଇପଡ଼ିଛି। କିନ୍ତୁ ଦରଦାମ୍‌କୁ ଭାରତ ଅପେକ୍ଷାକୃତ ଭଲ ସ୍ଥିତିରେ ରଖିପାରିଛି। ଅନ୍ୟ ବିକାଶଶୀଳ ଦେଶ ତୁଳନାରେ ଭାରତରେ ବହୁ ସାମଗ୍ରୀର ଦାମ୍ କମ୍ ରହିଛି। ବୟନ ଶିଳ୍ପ ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ ବର୍ତ୍ତମାନ ଏହି ଶିଳ୍ପର ଆକାର ହେଉଛି ୧୦ ଲକ୍ଷ କୋଟି ଟଙ୍କା ଏବଂ ୩.୫ ଲକ୍ଷ କୋଟି ଟଙ୍କାର ରପ୍ତାନି ମଧ୍ୟ ହେଉଛି। ଆସନ୍ତା ୫ ବର୍ଷରେ ଏହି ଶିଳ୍ପ ୨୦ ଲକ୍ଷ କୋଟି ଟଙ୍କାରେ ଓ ରପ୍ତାନି ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି। ତାମିଲନାଡୁର ତିରୁପୁରର ଉଦାହରଣ ଦେଇ ସେ କହିଛନ୍ତି ଯେ ୩୭ ବର୍ଷ ତଳେ ଏହା ୧୫ କୋଟି ଟଙ୍କା ମୂଲ୍ୟର ବୟନ ସାମଗ୍ରୀ ରପ୍ତାନି କରୁଥିଲା। ଏବେ ଏଠାରୁ ୩୦ ହଜାର କୋଟି ଟଙ୍କାର ରପ୍ତାନି ହେଉଛି। ଦେଶରେ ଆଉ ୭୫ଟି ତିରୁପୁର ଭଳି ହବ୍‌ର ଆବଶ୍ୟକତା ରହିଛି ବୋଲି ‌ଶ୍ରୀ ଗୋୟଲ କହିଛନ୍ତି।

ସମ୍ବନ୍ଧିତ ଖବର