ବିବାଦରେ ଗୋୟଲଙ୍କ ମନ୍ତବ୍ୟ, ବ୍ୟାବସାୟିକ ସଂସ୍ଥା ଜାତୀୟ ସ୍ବାର୍ଥ ପ୍ରତି ଦୃଷ୍ଟି ଦେଉନାହାନ୍ତି

ନୂଆଦିଲ୍ଲୀ: କିଛି ନିର୍ଦି‌ଷ୍ଟ ବ୍ୟାବସାୟିକ ସଂସ୍ଥା ଜାତୀୟ ସ୍ବାର୍ଥ ପ୍ରତି ଦୃଷ୍ଟି ଦେଉନାହାନ୍ତି। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବୈଠକରେ ଅତିଥି ଭାବେ ଯୋଗ ଦେଇ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଶିଳ୍ପ ଜଗତ ବିରୋଧରେ ଏଭଳି ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଛନ୍ତି। ସେ ଟାଟା ଗ୍ରୁପ୍‌କୁ ମଧ୍ୟ ସମାଲୋଚନା କରିବାକୁ ଭୁଲି ନଥିଲେ। ଗୋୟଲ କହିଥିଲେ ଯେ ଇ-କମର୍ସ ନୀତିରେ ସରକାର ଯେଉଁ ପରିବର୍ତ୍ତନ ଆଣିଛନ୍ତି ତାହା ଉପରେ ଟାଟା ଗ୍ରୁପ୍ ଆପତ୍ତି ଉଠାଇବା ତାଙ୍କୁ ବ୍ୟଥିତ କରିଛି। ସ୍ଥାନୀୟ ବ୍ୟାବସାୟିକ ସଂସ୍ଥାଗୁଡ଼ିକ କେବଳ ଲାଭ ବିଷୟରେ ଚିନ୍ତା କରିବା କିମ୍ବା ସ୍ଥାନୀୟ ନୀତି ନିୟମକୁ ଏଡ଼ାଇବା ଲାଗି ଉଦ୍ୟମ କରିବା ଅନୁଚିତ ବୋଲି ସେ କହିଥିଲେ। ନିର୍ଦିଷ୍ଟ ଭାବେ ଟାଟା ଉଦ୍ଦେଶ୍ୟ‌ରେ ସେ କହିଥିଲେ ଯେ ଆପଣଙ୍କ ଭଳି କିଛି କଂପାନି ଯେଉଁମା‌ନେ ଗୋଟିଏ ଦୁଇଟି ବିଦେଶୀ କଂପାନି କିଣିଛ, ତୁମର ଗୁରୁତ୍ବ ବଢ଼ିଗଲା କି? ଦେଶର ହିତ କମ୍ ହୋଇଗଲା କି? ତେବେ ମନ୍ତ୍ରୀଙ୍କ ନିକଟତମ ସୂତ୍ରରୁ ଖବର ମିଳିଛି ଯେ ତାଙ୍କ ଭାଷଣର କିଛି ଅଂଶକୁ କଦର୍ଥ କରି ଉପସ୍ଥାପନ କରାଯାଇଛି। ଯଦି ତାଙ୍କ ସମ୍ପୂର୍ଣ୍ଣ ଭାଷଣ ଶୁଣିବେ ତେବେ ସେଥିରେ ଦେଶ ହିତ ଉପରେ ଆଲୋଚନା ହୋଇଥିବା କୁହାଯାଇଛି।

ସିଆଇଆଇ ମଞ୍ଚରେ ସେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାର ଭିଡିଓକୁ ହଟାଇ ନେବା ଲାଗି କେନ୍ଦ୍ର ସରକାର ସିଆଇଆଇକୁ ନିର୍ଦେଶ ଦେଇଥିବା ସମ୍ପର୍କିତ ଏକ ଖବର ଇଂରାଜି ଖବରକାଗଜ ଦି ହିନ୍ଦୁରେ ପ୍ରକାଶ ପାଇବା ପରେ ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ବଢ଼ିଛି। ସୋସିଆଲ୍ ମିଡିଆରେ ଏହା ବିତର୍କର ପ୍ରସଙ୍ଗ ହୋଇଛି। ସାମ୍ବାଦିକମାନଙ୍କ ଲାଗି ଯେଉଁ ଦୁଇଟି ଲିଙ୍କ୍‌ ଜାରି କରାଯାଇଥିଲା ତାହା ଏବେ ପ୍ରାଇଭେଟ୍ ଓ ବ୍ଲକ୍‌ଡ ବୋଲି ଦେଖାଯାଉଛି। ଗୋୟଲଙ୍କ ଏଭଳି ମନ୍ତବ୍ୟକୁ ମର୍ଯ୍ୟାଦାହାନି ବୋଲି କଂଗ୍ରେସର ପ୍ରବକ୍ତା ସୁପ୍ରିୟା ଶ୍ରିନେଟ୍‌ କହିଛନ୍ତି।

ଇ-କମର୍ସ ନୀତିରେ ଯେଉଁ ସଂଶୋଧନ କରାଯାଇଛି ସେ ଉପରେ ଆଲୋଚନା କରିବା ଲାଗି ଗତ ଜୁଲାଇରେ ଅଂଶୀଦାରମାନଙ୍କ ଏକ ବୈଠକ ଡକାଯାଇଥିଲା। କେତେକ ପରିବର୍ତ୍ତନକୁ ନେଇ ଟାଟା ଗ୍ରୁପ୍ ବୈଠକରେ ଆପତ୍ତି ଉଠାଇଥିଲା। ଏହି ପରିବର୍ତ୍ତନ ଯୋଗୁଁ ଟାଟା ନିଜ ସପିଙ୍ଗ୍‌ ୱେବସାଇଟ୍‌ରେ ବିଦେଶୀ ସଂସ୍ଥା ଷ୍ଟାର୍‌ବକ୍ସର ଉତ୍ପାଦ ବିକ୍ରି କରିପାରିବ ନାହିଁ ବୋଲି ଜଣାଇଥିଲା। ସେହି ବୈଠକରେ ହୋଇଥିବା ଆଲୋଚାନ ବିଷୟରେ ବର୍ଣ୍ଣନା କରି ଗୋୟଲ ସିଆଇଆଇ କାର୍ଯ୍ୟକ୍ରମରେ କହିଥିଲେ ଯେ ଟାଟା ଉଠାଇଥିବା ଆପତ୍ତି ମୋତେ ବହୁତ ବାଧିଥିଲା। ମୁଁ ସେ ବିଷୟରେ ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍‌ଙ୍କୁ ଅବଗତ କରିଥିଲି। ଇ-କମର୍ସ ସଂସ୍ଥାଗୁଡ଼ିକୁ ନେଇ ଗୋୟଲ ବେଶ କଠୋର ହୋଇପଡ଼ିଛନ୍ତି। ଆମାଜନ୍ ଓ ଫ୍ଲିପ୍‌କାର୍ଟ ବିରୋଧରେ ପ୍ରତିଯୋଗିତା କମିସନଙ୍କ ତଦନ୍ତ ଚାଲିବ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେବା ପରେ ତାହାକୁ ସେ ସ୍ବାଗତ କରିଥିଲେ। ସଂସଦରେ ସେ ଭାରତ ଛାଡ଼ ଭଳି ମନ୍ତବ୍ୟ ମଧ୍ୟ ଦେବାକୁ ଭୁଲି ନଥିଲେ। ତେବେ ଇ-କମର୍ସ ସଂସ୍ଥାଗୁଡ଼ିକ ବିରୋଧରେ ଗୋୟଲ ଦେଇଥିବା ମନ୍ତବ୍ୟକୁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ସ୍ବାଗତ କରିଛି। ସରକାରଙ୍କ ଇ-କମର୍ସ ନୀତିକୁ ଟାଟା ଭଳି ସଂସ୍ଥା ବିରୋଧ କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

ବିରୋଧୀଙ୍କ କଡ଼ା ସମାଲୋଚନା
ଗୋୟଲଙ୍କ ମନ୍ତବ୍ୟ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଶିଳ୍ପ ଜଗତ ଉପରେ ଏହା ଆକ୍ରମଣ ସଦୃଶ। ଏହି ପ୍ରସଙ୍ଗରେ ବ୍ୟବସାୟ ଜଗତକୁ ମଧ୍ୟ ସମାଲୋଚନା କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ମନିଷ ତିୱାରୀ କହିଛନ୍ତି ଯେ ଭାରତୀୟ ଶିଳ୍ପ ଜଗତ, ‌ଯାହା ବୁଣିବ ତାହା ଫଳିବ। ଆମ୍ ଆଦ୍‌ମି ପାର୍ଟିର ନେତା ରାଘବ ଚଢ଼ା, ଶିବ ସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ, ଏଆଇଏମ୍‌ଆଇଏମ୍‌ର ନେତା ଅସଉଦ୍ଦିନ ଅୱେସି ଓ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ମଧ୍ୟ ଗୋୟଲଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ଗୋୟଲ୍‌ଙ୍କ ମନ୍ତବ୍ୟକୁ ନେଇ ପୂର୍ବତନ ସଚିବ ଅନିଲ ସ୍ବରୂପ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର