ଭୁବନେଶ୍ବର: କ୍ରିଟିକାଲ୍ ମିନେରାଲ୍ ଖଣି ନିଲାମରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚମ ପର୍ଯ୍ୟାୟରେ ଦେଶରେ ୧୦ଟି କ୍ରିଟିକାଲ୍ ମିନେରାଲ୍‌ ଖଣି ନିଲାମ କରାଯାଇଥିବା ବେଳେ ସେଥିରେ ଓଡ଼ିଶାର ଗୋଟିଏ ଖଣିର ନାମ ରହିଛି। ତାହା ହେଉଛି ଓଡ଼ିଶାର ସାଲେପାଲି ଗ୍ରାଫାଇଟ୍‌ ଖଣି। ଏହି ଖଣି ପାଇଁ ତାମିଲନାଡ଼ୁର କମ୍ପାନିର ଭିନ୍‌ମିର୍‌ ରିସୋର୍ସେସ୍‌ ପ୍ରାଇଭେଟ୍ ଲିମିଟେଡ୍‌କୁ କମ୍ପୋଜିଟ୍ ଲାଇସେନ୍ସ (ସିଏଲ୍‌) ପ୍ରଦାନ କରାଯାଇଛି। ଖଣି ପାଇଁ କମ୍ପାନିକୁ ଜଙ୍ଗଲ, ବନ୍ୟଜନ୍ତୁ, ପରିବେଶ ମଞ୍ଜୁରି ହାସଲ କରିବାକୁ ହେବ। ଖଣି ଯୋଜନାକୁ ମଧ୍ୟ ମଞ୍ଜୁର କରାଇବାକୁ ପଡ଼ିବ। 

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତହସିଲରେ ଥିବା ସାଲେପାଲି ଗାଁ ନିକଟରେ ଏହି ଗ୍ରାଫାଇଟ୍ ଖଣି ରହିଛି। ଏହି ଖଣି ୧୨୨୩.୨୯ ‌ହେକ୍ଟର ଅଞ୍ଚଳରେ ବ୍ୟାପିଛି। ମିନେରାଲ୍ ଏକ୍ସପ୍ଲୋରେସନ୍ ଆଣ୍ଡ୍‌ କନ୍‌ସଲ୍‌ଟାନ୍ସି ଲିମିଟେଡ୍‌ (ଏମ୍‌ଇସିଏଲ୍‌)ର ଭୂବିଜ୍ଞାନୀମାନଙ୍କ ଏକ ଦଳ ୨୦୨୧ ଡିସେମ୍ବରରେ ଏହି ଖଣି ଥିବା ଅଞ୍ଚଳ ପରିଦର୍ଶନ କରି ଗ୍ରାଫାଇଟ୍‌ ମିଶା ଖୋଣ୍ଡଲାଇଟ୍‌ ନମୁନା ସଂଗ୍ରହ କରିଥିଲେ। ଗ୍ରାଫାଇଟ୍‌କୁ ଦେଶରେ କ୍ରିଟିକାଲ୍ ଓ ବିରଳ ଖଣିଜ ପଦାର୍ଥ ଭାବେ ବିଚାର କରାଯାଉଥିବାରୁ ଏହାର ଜି-୨ ସ୍ତରୀୟ ଅନ୍ବେଷଣ ଓ ବିନିଫିକେସନ୍ ସର୍ବେକ୍ଷଣ ଲାଗି ଏହା ସୁପାରିସ୍ କରିଥିଲା। 
ଗ୍ରାଫାଇଟ୍‌ ହେଉଛି ଏକ ବିରଳ ଖଣିଜ ପଦାର୍ଥ ଯାହାକୁ ସବୁଜ ଶକ୍ତି ଓ ପ୍ରଯୁକ୍ତି କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ବିଶେଷ କରି ଇଲେକ୍ଟ୍ରିକ୍ ଯାନ (ଇଭି)ର ଲିଥିୟମ୍-ଇଅନ୍ ବ୍ୟାଟେରି ଓ ବ୍ୟାଟେରି ଷ୍ଟୋରେଜ୍ ବ୍ୟବସ୍ଥାରେ ଏହାକୁ ଗୁରୁତ୍ବପୂର୍ଣ୍ଣ ଉପାଦାନ ଭାବେ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ରିଫ୍ରାକ୍ଟରି ଉପକରଣ, ଇସ୍ପାତ ଉତ୍ପାଦନ, ଗାଡ଼ିର ବ୍ରେକ୍, ଲୁବ୍ରିକ୍ୟାଣ୍ଟ୍‌ ଓ ପେନ୍‌ସିଲ୍‌ ପ୍ରସ୍ତୁତି ଲାଗି ମଧ୍ୟ ଗ୍ରାଫାଇଟ୍‌କୁ ବ୍ୟବହାର କରାଯାଇଥାଏ। 

ଜିଓଲୋଜିକାଲ୍ ସର୍ଭେ ଅଫ୍‌ ଇଣ୍ଡିଆ (ଜିଏସ୍‌ଆଇ) ରିପୋର୍ଟ ଅନୁସାରେ ଓଡ଼ିଶାର କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ, କୋଟଗଡ଼, ଦାରିଙ୍ଗିବାଡ଼ି, ରାଇକିଆ, କେ ନୂଆଗାଁ ଆଦିରେ ଗ୍ରାଫାଇଟ୍‌ର ସନ୍ଧାନ ମିଳିଛି। ଢେଙ୍କାନାଳ ଜିଲ୍ଲା ବନ୍ଧୁଭୂଇଁ ଅଞ୍ଚଳରେ ମଧ୍ୟ ଗ୍ରାଫାଇଟ୍‌ ଥିବା କୁହାଯାଉଛି। ସେହିପରି ନୟାଗଡ଼ ଜିଲ୍ଲାର ବାଇଗୁଣିଆ ପଞ୍ଚାୟତ ଅଧୀନ ଖୁଣ୍ଟୁପଡ଼ା ଗ୍ରାମରେ ଗ୍ରାଫାଇଟ୍‌ ଖଣିର ସନ୍ଧାନ ମିଳିଥିବା ନେଇ ଜିଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଥିଲା। ଓଡ଼ିଶା ମାଟି ତଳେ ଗ୍ରାଫାଇଟ୍‌, ନିକେଲ୍ ଓ କ୍ରୋମିୟମ୍ ଆଦି କ୍ରିଟିକାଲ୍ ମିନେରାଲ୍‌ ଥିବା ମଧ୍ୟ ଜିଏସ୍‌ଆଇ ସ୍ପଷ୍ଟ କରିଛି। ଉଲ୍ଲେଖଯୋଗ୍ୟ, କ୍ରିଟିକାଲ୍ ଖଣି ନିଲାମର ପଞ୍ଚମ ପର୍ଯ୍ୟାୟରେ ପ୍ରଥମ ଥର ପାଇଁ ଦେଶ‌ରେ ପଟାସ୍ ଓ ହାଲାଇଟ୍‌ ଖଣି ନିଲାମ କରାଯାଇଛି ନେଇ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡି ସୂଚନା ଦେଇଛନ୍ତି। ରାଜସ୍ଥାନରେ ଥିବା ଏହି ଖଣି ଭାରତକୁ ସାର ଉତ୍ପାଦନରେ ଆତ୍ମନିର୍ଭର କରିବାରେ ସହାୟକ ହେବ।