ନୂଆଦିଲ୍ଲୀ: ଉପା ସରକାରଙ୍କ ଅମଳରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ ଆରମ୍ଭ କରିଥିବା ୮୦:୨୦ ସୁନା ସ୍କିମ୍‌ର ବ୍ୟାପକ ଅପବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏହି ସ୍କିମ୍‌କୁ ମନି ଲଣ୍ଡରିଂ ପାଇଁ ବ୍ୟବହାର କରାଯାଇଥିଲା। ପିଏନ୍‌ବି ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କ ସମେତ ଅନ୍ୟ ଜୁଏଲର୍ସଗୁଡ଼ିକ ଏହି ସ୍କିମ୍‌ର ଅପବ୍ୟବହାର କରିଥିଲେ ବୋଲି ବିଜେପିର ଜଣେ ସଦସ୍ୟ ସଂସଦର ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି (ପିଏସି) ନିକଟରେ ଅଭିଯୋଗ କରିଛନ୍ତି।

Advertisment

ଏହି ସ୍କିମ୍‌ ସମ୍ପର୍କିତ ସମସ୍ତ ଫାଇଲ୍‌ ଏବଂ କାଗଜପତ୍ର କମିଟିରେ ଦାଖଲ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟକୁ ନିର୍ଦେଶ ଜାରି କରାଯାଇଛି। ୧୦ ଦିନ ଭିତରେ ସବୁ କାଗଜପତ୍ର ଦାଖଲ କରିବାକୁ ମନ୍ତ୍ରଣାଳୟକୁ କୁହାଯାଇଛି।

୨୦୧୩ ଅଗଷ୍ଟରେ ଉପା ସରକାର ୮୦:୨୦ ସୁନା ସ୍କିମ୍‌ ଘୋଷଣା କରିଥିଲେ। ଏହି ସ୍କିମ୍‌ରେ କେବଳ ସେହି ବ୍ୟବସାୟୀମାନଙ୍କୁ ନୂଆ ସୁନା ଆମଦାନି କରିବାର ଅନୁମତି ପ୍ରଦାନ କରାଯାଉଥିଲା ଯେଉଁମାନେ ପୂର୍ବରୁ ଆମଦାନି କରିଥିବା ସୁନାର ୨୦% ରପ୍ତାନି କରୁଥିଲେ। ଅର୍ଥାତ ମୋଟ ଆମଦାନି ସୁନାର ୮୦% ସ୍ଥାନୀୟ ବ୍ୟବହାର ଏବଂ ୨୦% ରପ୍ତାନି ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ବ୍ୟବସାୟୀମାନଙ୍କୁ କୁହାଯାଇଥିଲା। ୨୦୧୪ରେ ଏନ୍‌ଡିଏ ସରକାର ଶାସନ ଭାର ଗ୍ରହଣ କରିବା ପରେ ଏହି ସ୍କିମ୍‌କୁ ରଦ୍ଦ କରିଥିଲେ। ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ପିଏସି ବୈଠକରେ ବିଜେପି ସଦସ୍ୟମାନେ ଏହି ସ୍କିମ୍‌ରେ ଚିଦମ୍ବରମ୍‌ଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଗଠିତ ପିଏସି ସବ୍‌-କମିଟି ନିକଟରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି), ସିବିଡିଟି, ସିବିଇସିର ଅଧିକାରୀମାନେ ହାଜର ହୋଇଥିଲେ। ୨୦୧୬ରେ ସିଏଜି ଏକ ରିପୋର୍ଟରେ ଜଣାଇଥିଲେ ଯେ ଏହି ସୁନା ସ୍କିମ୍‌ ଯୋଗୁଁ ସରକାରଙ୍କ ୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି। ସେହି ରିପୋର୍ଟ ଉପରେ କମିଟିରେ ଆଲୋଚନା ହୋଇଥିଲା। ସିଏଜି ଜଣାଇଥିଲେ ଯେ ଜୁଏଲର୍ସମାନଙ୍କ ୬୦ ଟଙ୍କାର ଆୟ ପାଇଁ ସେହି ସମୟରେ ସରକାରଙ୍କ ହାତରୁ ୨୨୧ ଟଙ୍କା ୫୦ ପଇସା ଖର୍ଚ ହେଉଥିଲା।

ରବିଶଙ୍କରଙ୍କ ଟାର୍ଗେଟ୍‌ରେ ଚିଦମ୍ବରମ୍‌

ନୂଆଦିଲ୍ଲୀ: ସୁନା ସ୍କିମ୍‌ ଅପବ୍ୟବହାରକୁ ନେଇ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କଂଗ୍ରେସକୁ ସମାଲୋଚନା କରିଛନ୍ତି। କିନ୍ତୁ ତାଙ୍କ ମୁଖ୍ୟ ଟାର୍ଗେଟ୍‌ରେ ଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌। ଚିଦମ୍ବରମ୍‌ଙ୍କ ପୁଆ କାର୍ତି ଚିଦମ୍ବରମ୍‌ଙ୍କୁ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ରବିଶଙ୍କର ଅଭିଯୋଗ କରିଛନ୍ତି ଯେ, ୨୦୧୪ ମେ’ ୧୬ (ଲୋକସଭା ଭୋଟ ଗଣତି ଦିନ) ଚିଦମ୍ବରମ୍‌ ମେହୁଲ୍‌ ଚୋକ୍‌ସିଙ୍କ କଂପାନି ସମେତ ସାତଟି ଘରୋଇ ସଂସ୍ଥାକୁ ସୁନା ସ୍କିମ୍‌ର ଲାଭ ପ୍ରଦାନ କରିଛନ୍ତି। ଏଭଳି ନିର୍ଦେଶ ସେହିଦିନ କାହିଁକି ଜାରି କରାଗଲା? ଏହାର ଜବାବ ସେ ଚିଦମ୍ବରମ୍‌ଙ୍କୁ ମାଗିଛନ୍ତି।