ନୂଆଦିଲ୍ଲୀ : ଅନ୍‌ଲାଇନ୍‌ରେ ଏୟାର କଣ୍ଡିସନର୍‌ ଏବଂ ସ୍ମାର୍ଟଫୋନ୍‌ କିଣିଲେ ଗ୍ରାହକମାନେ ଚଳିତ ତ୍ରୟମାସରେ ଅଧିକ ରିହାତି ପାଇବା ସମ୍ଭାବନା ରହିଛି। କାରଣ ଗୋଟିଏ ପଟେ ଆଗକୁ ପାର୍ବଣ ଋତୁ ଆସୁଛି। ଅନ୍ୟପଟେ କରୋନା କାରଣରୁ କମ୍ପାନି ଗୁଡ଼ିକର ବିକ୍ରି ଗତ କିଛିମାସ ହେଲା ପ୍ରଭାବିତ ହୋଇଛି। ତେଣୁ ପାର୍ବଣ ଋତୁ ପୂର୍ବରୁ ବର୍ତ୍ତମାନ ମହଜୁଦ ଥିବା ସାମଗ୍ରୀକୁ ବିକ୍ରି କରିବା ପାଇଁ କମ୍ପାନିଗୁଡ଼ିକ ଅନଲାଇନ୍ ବିକ୍ରିରେ ବିପୁଳ ମାତ୍ରାରେ ରିହାତି ଦେବେ ବୋଲି ଆଶା କରାଯାଉଛି। କେବଳ ଇଲେକଟ୍ରୋନିକ୍ସ ସାମଗ୍ରୀ ନୁହେଁ, ପୋଷାକ, ଗ୍ରୋସରୀ ସାମଗ୍ରୀ ମଧ୍ୟ ଏଥିରେ ରହିବ ବୋଲି କୁହାଯାଉଛି। ବିଭିନ୍ନ କାରଣରୁ ଉତ୍ପାଦନ ଏବଂ ପରିବହନ ଖର୍ଚ୍ଚ ବଢ଼ିଥିଲେ ମଧ୍ୟ କମ୍ପାନି ଗୁଡ଼ିକ ଅଧିକ ରିହାତି ଦେବେ ।

Advertisment

ଆମାଜନ, ଫ୍ଲିପକାର୍ଟ, ଗ୍ରୋଫର୍ସ ଏବଂ ଜିଓମାର୍ଟ ଭଳି ସଂସ୍ଥା ଚଳିତମାସରେ ବିସ୍କୁଟ, ଅଟା, ମସଲା, ମୃଦୁପାନୀୟ, ସ୍ନାକ୍ସ, ଘିଅ, ସାବୁନ ଆଦି ସାମଗ୍ରୀ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତି। ଏପରିକି ଫ୍ଲିପକାର୍ଟ କିଛି ଗ୍ରୋସରୀ ସାମଗ୍ରୀକୁ ୧ ଟଙ୍କାରେ ବିକ୍ରି କରୁଛି। କମ୍ପାନିଗୁଡ଼ିକର କହିବା କଥା ହେଲେ ବିଭିନ୍ନ ରାଜ୍ୟରେ ଲକଡାଉନ୍ କଟକଣା ଯୋଗୁ ବିକ୍ରି ବାଧାପ୍ରାପ୍ତ ହୋଇଛି। ଅନଲକ ପ୍ରକ୍ରିୟା ଆରମ୍ଭ ପରେ ଜୁନ ମାସରେ ଚାହିଦାରେ ଉନ୍ନତି ପରିଲକ୍ଷିତ ହୋଇଥିଲା। କିନ୍ତୁ ଏହି ସମୟରେ ଦେଶରେ ୩୦ ପ୍ରତିଶତ ବଜାର ବନ୍ଦ କାରଣରୁ ବିକ୍ରି କମ୍ ରହିଥିଲା। ଅନ୍ୟପଟେ ଲକଡାଉନ୍ ସମୟରେ ଉତ୍ପାଦନ ସେତେଟା ପ୍ରଭାବିତ ହୋଇ ନଥିବାରୁ ଯୋଗାଣ ଠିକ୍ ରହିଥିଲା। ଏଥିଯୋଗୁ ବଜାରରେ ବ୍ୟବସାୟୀ ଓ କମ୍ପାନିଙ୍କ ନିକଟରେ ବହୁ ପରିମାଣରେ ମାଲ୍‌ ଗଚ୍ଛିତ ହୋଇ ରହିଛି। ତେଣୁ ଅନଲାଇନ୍ ସଂସ୍ଥା ମାଧ୍ୟମରେ ବିପୁଳ ରିହାତି ପ୍ରଦାନ କରି ଏହିସବୁ ସାମଗ୍ରୀକୁ ବିକ୍ରି କରିବା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଏବେ ରହିଛି। କିନ୍ତୁ ଗତବର୍ଷ ଏହି ସୁବିଧା କମ୍ପାନିଙ୍କ ନିକଟରେ ନଥିଲା‌। ଅନଲକ୍ ପ୍ରକ୍ରିୟା ଆରମ୍ଭ ‌ପରେ କମ୍ପାନିଙ୍କ ନିକଟରେ ଯୋଗାଣ ପାଇଁ ପର୍ଯ୍ୟାପ୍ତ ମାଲ୍ ନଥିଲା। ତେଣୁ ଗତବର୍ଷ କମ୍ପାନି ଗୁଡ଼ିକ କୌଣସି ରିହାତି ଦେଇ ପାରି ନଥିଲେ। ତେବେ ଏ‌ବର୍ଷ ହାରାହାରି ରିହାତି ୭ରୁ ୧୦ ପ୍ରତିଶତ ମଧ୍ୟରେ ରହିବ ବୋଲି କୁହାଯାଇଛି। ଆଇଡିସି ଇଣ୍ଡିଆର ନିର୍ଦ୍ଦେଶକ ଏନ୍ ସିଂହଙ୍କ କହିବାନୁଯାୟୀ, କମ୍ପାନି ଗୁଡ଼ିକ ଆସନ୍ତା ପାର୍ବଣ ଋତୁ ପୂର୍ବରୁ ସେମାନଙ୍କ ପୁରୁଣା ମାଲ୍ ବିକ୍ରି ଶେଷ କରିବାକୁ ଲକ୍ଷ୍ୟ ରଖିବେ। ପୁରୁଣା ଉତ୍ପାଦ ବିକ୍ରି ହେଲେ ସେମାନେ ପୂଜାବେଳକୁ ବଜାରକୁ ନୂଆ ଉତ୍ପାଦ ପଠାଇବେ। ତେଣୁ ଗ୍ରାହକମାନେ ଅଧିକ ରିହାତି ପାଇବେ ବୋଲି ଆଶା କରାଯାଉଛି। ବିଭିନ୍ନ କଞ୍ଚାମାଲର ମୂଲ୍ୟ ବୃଦ୍ଧି ସତ୍ତ୍ବେ ଇଲେକ୍ଟ୍ରୋନିକ୍ସ ଗୃହୋପକରଣ ସାମଗ୍ରୀରେ ମଧ୍ୟ କମ୍ପାନିଗୁଡ଼ିକ ଚଳିତବର୍ଷ ରିହାତି ଦେବେ।