ଭାରତ ଆସିବନି ଚୀନ୍‌ର ଗ୍ରେଟ୍ ୱାଲ୍ ମୋଟର୍ସ

ଅଢ଼େଇ ବର୍ଷ ଅପେକ୍ଷା ପରେ ଯୋଜନା ରଦ୍ଦ

ନୂଆଦିଲ୍ଲୀ : ଭାରତରେ ୧୦୦ କୋଟି ଡଲାର ନିବେଶ କରିବାକୁ ଯୋଜନା ରଖିଥିଲା ଚୀନ୍‌ର ଗାଡ଼ି କଂପାନି ଗ୍ରେଟ୍ ୱାଲ୍ ମୋଟର୍ସ। ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବା ସତ୍ତ୍ବେ କଂପାନିର ଯୋଜନାକୁ ଭାରତ ସରକାର ମଞ୍ଜୁର କରିନଥିଲେ। ତେଣୁ ବାଧ୍ୟ ହୋଇ ଭାରତ ଆସିବା ଯୋଜନାକୁ ଏହି କଂପାନି ରଦ୍ଦ କରିଛି। ନିକଟରେ ଆମେରିକାର ଇଲେକ୍ଟ୍ରିକ୍ କାର୍ ନିର୍ମାତା ଟେସ୍‌ଲା ମଧ୍ୟ ଭାରତରେ ଗାଡ଼ି ବିକ୍ରି ‌ଯୋଜନାକୁ ରଦ୍ଦ କରିଥିଲା। କେବଳ ଗ୍ରେଟ୍‌ ୱାଲ୍ ମୋଟର୍ସ ନୁହେଁ ଚୀନ୍‌ର ଚାନ୍‌ଗନ୍‌, ହାଇମା ଓ ଚେରି ଭଳି ସଂସ୍ଥା ମଧ୍ୟ ଭାରତ ଆସିବାକୁ ଅତ୍ୟନ୍ତ ବ୍ୟଗ୍ର ଥିଲେ। କିନ୍ତୁ ଲଦାଖ୍‌ର ଗଲ୍‌ୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଆସିଥିଲା। ଚୀନ୍‌ର କଂପାନିଗୁଡ଼ିକ ବିରୋଧରେ ଭାରତ ପଦକ୍ଷେପ ଗ୍ରହଣ କରିବା ସହ ପୁଞ୍ଜିନିବେଶ ଉପରେ ମଧ୍ୟ କଠୋର ନଜର ରଖିଛି।

ଭାରତ ଆସିବା ଲାଗି ଗ୍ରେଟ୍ ୱାଲ୍ ମୋଟର୍ସ ମାର୍କେଟିଂ, ନେଟ୍‌ୱର୍କ, ଯୋଜନା ଓ ରଣନୀତି ସେବା, ମାନବ ସମ୍ବଳ, ଅର୍ଥ, ଗୁଣାତ୍ମକ ମାନ, ଉତ୍ପାଦନ ଓ ଆର୍‌ଆଣ୍ଡ୍‌ଡି କ୍ଷେତ୍ରରେ କିଛି କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ। ସେମାନଙ୍କ ମଧ୍ୟରୁ କିଛି କର୍ମଚାରୀଙ୍କୁ ତିନି ମାସର ପ୍ୟାକେଜ୍‌ ଦେଇ ଚାକିରି ଶେଷ ହେବା ବିଷୟରେ କଂପାନି ଅବଗତ କରିଛି। ୨୦୨୦ରେ କଂପାନି ଜେନେରାଲ୍ ମୋଟର୍ସର ପୁନେରେ ଥିବା କାରଖାନାକୁ ଅଧିଗ୍ରହଣ କରିବା ଲାଗି ବୁଝାମଣା ସ୍ବାକ୍ଷର କରିଥିଲା। କଂପାନି ୨୦୨୦ ଅଟୋ ଏକ୍ସପୋରେ ଭାଗ ନେଇ ଏହାର ଗାଡ଼ି ମଧ୍ୟ ପ୍ରଦର୍ଶନ କରିଥିଲା। କାରଖାନା ବିକ୍ରି ପାଇଁ ଦୁଇ ବର୍ଷ ଅପେକ୍ଷା କରିବା ପରେ ଜେନେରାଲ ମୋଟର୍ସ ବିକଳ୍ପ ଗ୍ରାହକ ଖୋଜିବା ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର