ଭୁବନେଶ୍ବର: ରାଜ୍ୟରେ ଏକ ଗ୍ରିନ୍ ସିପ୍ ରିସାଇକ୍ଲିଂ ଶିଳ୍ପ ପାର୍କ ସ୍ଥାପନ ହେବାକୁ ଯାଉଛି। ଏହି ପାର୍କ ସ୍ଥାପନ କରିବା ଲାଗି ଅଗ୍ରଣୀ କମ୍ପାନି ନେପ୍‌ଚୁନ୍‌ସ ସିପ୍ ବିଲ୍‌ଡର୍ସ ଆଗ୍ରହ ପ୍ରକାଶ କରିଛି। ରାଜ୍ୟ ସରକାର ଆୟୋଜନ କରିଥିବା ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଦୀପକ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତୀଶ ସରକାରଙ୍କୁ ‌ଏନେଇ ପ୍ରସ୍ତାବ ଦେଇଛନ୍ତି। ଏହି ଶିଳ୍ପ ପାର୍କ ଦ୍ବାରା ବାର୍ଷିକ ୩୦୦ ଜାହାଜର ରସାଇକ୍ଲିଂ କରାଯାଇପାରିବ। ଏଥିରୁ ବର୍ଷକୁ ୫ ନିୟୁତ ଟନ୍ ଉଚ୍ଚମାନର ଇସ୍ପାତ ରାଜ୍ୟକୁ ମିଳିବ। ଏହି ପ୍ରକଳ୍ପ ରାଜ୍ୟ ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ୨ ନିୟୁତ ଡଲାର ଯୋଗଦାନ ଦେବ।

Advertisment

ନେପ୍‌ଚୁନ୍‌ସ ସିପ୍‌ ବିଲ୍‌ଡର୍ସ ଆଗ୍ରହୀ
ବର୍ଷକୁ ୩୦୦ ଜାହାଜ ରିସାଇକଲ୍ ‌କରାଯିବ
ରାଜ୍ୟକୁ ୨ ନିୟୁତ ଡଲାର ଫାଇଦା
୭୦ ହଜାର ନିଯୁକ୍ତି ସମ୍ଭାବନା

ଗ୍ରିନ୍ ସିପ୍ ରିସାଇକ୍ଲିଂ ଶିଳ୍ପ ପାର୍କରେ ଅବ୍ୟବହୃତ ଜାହାଜଗୁଡ଼ିକୁ ଭଙ୍ଗାଯାଇ ତାହାର ପୁନଃଚକ୍ରଣ କରାଯିବ। ଏହି ପାର୍କ ପ୍ରତି‌ଷ୍ଠା ହେଲେ ରାଜ୍ୟର ଅର୍ଥନୈତିକ ବିକାଶ ତ୍ବରାନ୍ବିତ ହେବ। ଏଥି ସହିତ ପ୍ରତ୍ୟକ୍ଷ ଭାବେ ୨୦ ହଜାର ଓ ପରୋକ୍ଷ ଭାବେ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଶୁକ୍ରବାର ଲୋକସେବା ଭବନ‌ର ସମ୍ମିଳନୀ କକ୍ଷରେ ଏନେଇ ଆୟୋଜିତ ବୈଠକରେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ଆଲୋକପାତ କରିଥିଲେ। ପ୍ରସ୍ତାବିତ ଶିଳ୍ପ ପାର୍କକୁ ପରିଚାଳନା କରିବା ଲାଗି ଉଚ୍ଚ ପଦପଦବ‌ୀରେ ନିଯୁକ୍ତି ଦେବା ବେଳେ ସ୍ଥାନୀୟ ଲୋକମାନଙ୍କୁ ଅଗ୍ରାଧିକାର ଦେବାକୁ ସେ କମ୍ପାନିକୁ କହିଛନ୍ତି। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି ଯେ ଆବଶ୍ୟକ ସ୍ଥଳେ ଏକ ଦକ୍ଷତା ବିକାଶ ପ୍ରତିଷ୍ଠାନ ଖୋଲାଯାଇ ସେଠାରେ ସ୍ଥାନୀୟ ଲୋକମାନଙ୍କୁ ତାଲିମ ପ୍ରଦାନ କରାଯିବ। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଡକୋ ଏମ୍‌ଡି ଭୂପିନ୍ଦର ସିଂହ ପୁନିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ।