ଉଡ଼ାଣ ପାଇଁ ଜେଟ୍‌ ଏୟାରୱେଜକୁ ଗୃହ ମନ୍ତ୍ରାଳୟର ସବୁଜ ସଂକେତ

ନୂଆଦିଲ୍ଲୀ,: ଜେଟ୍ ଏୟାରୱେଜ୍ ଆସନ୍ତା ମାସରେ ଦେଶରେ ବିମାନ ଉଡ଼ାଣ ପାଇଁ ଯୋଜନା କରୁଛି। ବିମାନ ଉଡ଼ାଣ ଆରମ୍ଭ କ୍ଷେତ୍ରରେ କମ୍ପାନି ଆଉ ପାଦେ ଆଗକୁ ବଢ଼ିଛି। ଗୃହ ମନ୍ତ୍ରାଳୟ ଏଥିପାଇଁ କମ୍ପାନିକୁ ସୁରକ୍ଷା ସଂକ୍ରାନ୍ତ ସବୁଜ ସଂକେତ ପ୍ରଦାନ କରିଛି। ଗୃହ ମନ୍ତ୍ରାଳୟ ସୁରକ୍ଷା ମଞ୍ଜୁରି ପ୍ରଦାନ କରିଥିବା ସଂପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଗତ ୬ ତାରିଖରେ କମ୍ପାନିକୁ ସୂଚନା ଦିଆଯାଇଛି।
ନରେଶ ଗୋୟଲଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଜେଟ୍‌ ଏୟାର‌ୱେଜ୍ ଏବେ ଜଲାନ-କାଲରକ୍ କନ‌ସୋର୍ଟିୟମ ଦ୍ବାରା ପରିଚାଳିତ ହେବ।

ନରେଶ ଗୋୟଲଙ୍କ ଅଧୀନରେ ଥିବା ଯାଏ ଜେଟ୍ ଏୟାରୱେଜ୍‌ର ଶେଷ ବିମାନଟି ୨୦୧୯ ଏପ୍ରିଲ ୧୭ ତାରିଖରେ ଉଡ଼ିଥିଲା। ତାହାପରଠାରୁ ଆଉ ବିମାନ ଉଡ଼ିନାହିଁ। ଆର୍ଥିକ ସଂକଟ କାରଣରୁ ଏହା ବନ୍ଦ ହୋଇଯାଇଛି। ଏୟାର ଅପରେଟର ସାର୍ଟିଫିକେଟ ବା ପ୍ରମାଣପତ୍ର ପାଇବା ପାଇଁ ଗତ ଗୁରୁବାର କମ୍ପାନି ହାଇଦ୍ରାବାଦ ବିମାନ ବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ କରି ସେଠାରେ ଅବତରଣ କରିଥିଲା। ବିମାନ ଏହାର ଯନ୍ତ୍ରାଂଶଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟ କରୁଛି ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)କୁ ଜଣାଇବା ପାଇଁ କମ୍ପାନି ଏହି ଉଡ଼ାଣ କରିଥିଲା। ଏହାପରେ କମ୍ପାନି ଆଉଥରେ ଉଡ଼ାଣ କରିବ। ସେହି ଉଡ଼ାଣ ପରୀକ୍ଷାକୁ ଭିତ୍ତିକରି ଡିଜିସିଏ କମ୍ପାନିକୁ ଏୟାର ଅପରେଟର ପ୍ରମାଣପତ୍ର ପ୍ରଦାନ କରିବ।

ସମ୍ବନ୍ଧିତ ଖବର