ଭୁବନେଶ୍ବର: ଜିନ୍ଦଲ ପାନ୍ଥର୍ ସିମେଣ୍ଟ (ଜେପିସି) ଅନୁଗୁଳରେ ପ୍ରଥମ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ କାର୍ଯ୍ୟକ୍ଷମ କରିଛି। ବାର୍ଷିକ ୧.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏହି ୟୁନିଟରେ ସିମେଣ୍ଟ ପ୍ରସ୍ତୁତି ପାଇଁ ଅନୁଗୁଳସ୍ଥିତ ଜେଏସ୍‌ପିଏଲ୍‌ ଇସ୍ପାତ କାରଖାନାରୁ ନିର୍ଗତ ବାର୍ଷିକ ପ୍ରାୟ ୧ ନିୟୁତ ଟନ୍ ବ୍ଲାଷ୍ଟ ଫର୍ନେସ୍‌ ସ୍ଲାଗ୍‌ ବ୍ୟବହାର କରାଯିବ। ସର୍ବନିମ୍ନ କାର୍ବନ୍‌ ଓ  ଉଚ୍ଚ ଗୁଣବତ୍ତା ବିଶିଷ୍ଟ ପୋର୍ଟଲେଣ୍ଡ ସ୍ଲା୍‌ଗ ଏବଂ କମ୍ପୋଜିଟ୍‌ ସିମେଣ୍ଟକୁ କେନ୍ଦ୍ରୀୟ ଓ ପୂର୍ବ ଭାରତର ଗ୍ରାହକଙ୍କ ନିକଟରେ ପହଞ୍ଚାଇବାରେ ଏହି ୟୁନିଟ୍ ପ୍ରମୁଖ ଭୂମିକା ଗ୍ରହଣ କରିବ। 

୨୧୬୦ କୋଟି ନିବେଶ ଯୋଜନା

Advertisment

ଜିନ୍ଦଲ ପାନ୍ଥର୍ ସିମେଣ୍ଟ ୨୧୬୦ କୋଟି ଟଙ୍କା ବିନିଯୋଗ କରି ଅନୁଗୁଳ ଓ ରାୟଗଡ଼ରେ ଉତ୍ପାଦନ କ୍ଷମତା ବାର୍ଷିକ ୭ ମିଲିୟନ ଟନ୍‌ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏହି ସମ୍ପ୍ରସାରଣ ଦ୍ବାରା ବଜାରରେ କମ୍ପାନିର ଉପସ୍ଥିତି ସୁଦୃଢ଼ ହେବା ସହିତ ବଢୁଥିବା ଭିତ୍ତିଭୂମି ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ସଷ୍ଟେନେବଲ୍ ନିର୍ମାଣ ସାମଗ୍ରୀ ଉପଲବ୍ଧ ହୋଇ ପାରିବ। ଗୃହ ନିର୍ମାତା ପାଇଁ କମ୍ପାନିର ସିମେଣ୍ଟ ଓ ଜେଏସ୍‌ପିଏଲ୍‌ର ଛଡ଼ ସଂଯୁକ୍ତ ବିପଣନ ବ୍ୟବସ୍ଥା ଦ୍ୱାରା ବଜାରରେ ଉପଲବ୍ଧ ହେବ। ଜିନ୍ଦଲ ପାନ୍ଥର୍ ବ୍ରାଣ୍ଡ୍‌ରେ ଏସବୁ ନିର୍ମାଣ ସାମଗ୍ରୀ ବିକ୍ରି ହେବ। ଏହି ଅବସରରେ ଜିନ୍ଦଲ ପାନ୍ଥର୍ ସିମେଣ୍ଟର ସିଇଓ ରୋହିତ ଭୋରା କହିଛନ୍ତି ଯେ ଅନୁଗୁଳ ଗ୍ରାଇଣ୍ଡିଂ ୟୁନିଟ କାର୍ଯ୍ୟକ୍ଷମ ହେବା ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଆମର ଲୋ-କାର୍ବନ ସିମେଣ୍ଟ ଓ ଅଭିନବ ବିପଣନ ବ୍ୟବସ୍ଥା ପୂର୍ବଭାରତର ଭିତ୍ତିଭୂମି ବିକାଶକୁ ସମର୍ଥନ କରିବା ସହିତ ଏକ ସବୁଜ ପରିବେଶ ପାଇଁ ଯୋଗଦାନ କରିବ।