ନୂଆଦିଲ୍ଲୀ: ଗାଡ଼ି ବଜାରରେ ଏକ ନୂଆ ଧାରା ସୃଷ୍ଟି ହୋଇଛି। ଇଲେକ୍ଟ୍ରିକ୍ ଯାନ (ଇଭି)ର ଏକ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଛି ହାଇବ୍ରିଡ୍ ଗାଡ଼ି। ଦେଶରେ ହାଇବ୍ରିଡ୍ ଗାଡ଼ି ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅଧିକ ମାଇଲେଜ୍, କମ୍ ପରିଚାଳନା ଖର୍ଚ୍ଚ ଓ ପ୍ରଦୂଷଣ ହ୍ରାସ କରିବାରେ ହାଇବ୍ରିଡ୍ ଗାଡ଼ି ସହାୟକ ହେଉଥିବାରୁ ତାହାକୁ ଗ୍ରାହକମାନେ ଅଧିକ ପସନ୍ଦ କରୁଥିବା ବିଶେଷଜ୍ଞମାନେ କହିଛନ୍ତି। ହାଇବ୍ରିଡ୍ କାର୍‌ ଓ ଏସ୍‌ୟୁଭି ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଇଭି ସହିତ ଏହାର ରହିଥିବା ଅନ୍ତର ଦୂର ହେବାରେ ଲାଗିଛି। ଜାଟୋ ଡାଇନାମିକ୍ସର ଏକ ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୨୨,୩୮୯ ହାଇବ୍ରିଡ୍ ଗାଡ଼ି ଏବଂ ୨୭,୨୪୨ ଇଭି ବିକ୍ରି ହୋଇଥିବା ଆଶା କରାଯାଉଛି।

Advertisment

ହାଇବ୍ରିଡ୍ ଗାଡ଼ି ବିକ୍ରିରେ ୩୮ ପ୍ରତିଶତ ଭଳି ବଡ଼ ଧରଣର ବୃଦ୍ଧି ଆଶା ରହିଛି। ପ୍ଲଗ୍‌-ଇନ୍ ହାଇବ୍ରିଡ୍ ଗାଡ଼ି ବିକ୍ରି ୧୩ ପ୍ରତିଶତ ବଢ଼ିଥିବା ଆକଳନ କରାଯାଇଛି। ଟୟୋଟା କିର୍ଲୋସ୍କର ହାଇବ୍ରିଡ୍ ଉପରେ ଅଧିକ ଜୋର ଦେଉଛି। କମ୍ପାନି ଭାବୁଛି ଯେ ଏଭଳି ଗାଡ଼ି ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମ୍ କରିବା ସହ ପ୍ରଦୂଷଣ ମଧ୍ୟ କମ୍ କରିପାରିବ। ହାଇବ୍ରିଡ୍ ଇଭିଗୁଡ଼ିକ ତେଲରେ ଚାଲୁଥିବା ବେଳେ ସେଥିରେ ଥିବା ବ୍ୟାଟେରି ଚାର୍ଜ ହୋଇଥାଏ। ବ୍ୟାଟେରି ଚାର୍ଜ ହେବା ପରେ ତାହା ଇଲେକ୍ଟ୍ରିକ୍ ଯାନ ଭଳି କାମ କରିଥାଏ। ଏଥିରେ ୪୦-୫୦% ପର୍ଯ୍ୟନ୍ତ ଇନ୍ଧନ ମିତବ୍ୟୟିତା ମିଳୁଛି। ଅନ୍ୟ ପକ୍ଷରେ ଟାଟା ମୋଟର୍ସ ଏହାର ବିଭିନ୍ନ ଇଭି ଓ ସିଏନ୍‌ଜି ମଡେଲ୍‌ ଜରିଆରେ ସବୁଜ ଗମନାଗମନ କ୍ଷେତ୍ରରେ ଆଗରେ ରହିଛି। ୨୦୨୫-୨୬ ସୁଦ୍ଧା କମ୍ପାନି ଇଭିର ୧୦ ନୂଆ ମଡେଲ୍‌ ଆଣିବା ଉପରେ ବିଚାର କରୁଛି। ହୁଣ୍ଡାଇ ଓ କିଆ ତରଫରୁ ହାଇବ୍ରିଡ୍ ମଡେଲ୍‌ ବିକ୍ରି ଆରମ୍ଭ କରାଯାଇଥିବାରୁ ଖୁବ୍‌ଶୀଘ୍ର ଇଭି ପଛୁଆ ରହିଯିବ ବୋଲି ବିଶେଷଜ୍ଞମା‌ନେ ଆକଳନ କରିଛନ୍ତି।

ହାଇବ୍ରିଡ୍ କେବଳ ଭାରତ ନୁହେଁ ସାରା ବିଶ୍ବର ଗ୍ରାହକମାନଙ୍କ ପସନ୍ଦରେ ପରିଣତ ହୋଇଛି। ବ୍ୟାଟେରିଚାଳିତ କାର୍ ବିକ୍ରି କମ୍ ହେବାରେ ଲାଗିଛି। ପରିବେଶ ସଚେତନ ଗ୍ରାହକମାନେ ସିଏନ୍‌ଜି ଓ ହାଇବ୍ରିଡ୍ ଗାଡ଼ି କିଣିବା ଲାଗି ଆଗ୍ରହ ଦେଖାଇଛନ୍ତି। ଭାରତ‌ରେ ଇଭି ଉପରେ ୫% ଜିଏସ୍‌ଟି ଲଗାଯାଇଥିବା ବେଳେ ହାଇବ୍ରିଡ୍ ଉପରେ ଟିକସ ହାର ୪୩% ଭଳି ଉଚ୍ଚ ସ୍ତରରେ ରହିଛି।