ଭାରତର ଅଭିବୃଦ୍ଧି କମିବ: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଆଜି ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆକଳନକୁ ୦.୫ ପ୍ରତିଶତ କମାଇ ଦେଇଛି। ଗତବର୍ଷର ବିମୁଦ୍ରାକରଣ ଏବଂ ଚଳିତବର୍ଷର ଜିଏସ୍‌ଟି ପ୍ରଭାବରେ ଭାରତର ଅଭିବୃଦ୍ଧି ୨୦୧୭ରେ ୬.୭%କୁ ହ୍ରାସ ପାଇବ ବୋଲି ଆଇଏମ୍‌ଏଫ୍‌ କହିଛି। ତେବେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଢାଞ୍ଚାଗତ ସଂସ୍କାର ଯୋଗୁଁ ମଧ୍ୟମ ଅବଧିରେ ଭାରତର ଜିଡିପି ଅଭିବୃଦ୍ଧି ବୃଦ୍ଧି ପାଇବ ଏବଂ ୮% ଉପରକୁ ଯିବ ବୋଲି ଏହି ପ୍ରତିଷ୍ଠାନ କହିଛି।
ଆଇଏମ୍‌ଏଫ୍‌ ଏହାର ସଦ୍ୟତମ ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ୍ଟ ପ୍ରକାଶ କରିଛି। ଏଥିରେ ବିଶ୍ୱର ଅଭିବୃଦ୍ଧିରେ ସାମାନ୍ୟ ଉନ୍ନତି ଆଣିଛି। ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ଚଳିତବର୍ଷ ୩.୬% ରହିବ ବୋଲି କହିଛି। ୨୦୧୮ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆସି ଏହା ୭.୪%ରେ ରହିବ। ତେବେ ଏପ୍ରିଲ୍‌ରେ ଆଇଏମ୍‌ଏଫ୍‌ର ଆକଳନ ତୁଳନାରେ ଏହା ୦.୩% କମ୍‌। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱବ୍ୟାଙ୍କ ମଧ୍ୟ ଭାରତର ଜିଡିପି ଅଭିବୃଦ୍ଧି ୨୦୧୭-୧୮ ଆର୍ଥିକ ବର୍ଷରେ ୭%କୁ ହ୍ରାସ ପାଇବ ବୋଲି ଆକଳନ କରିଛି। ପୂର୍ବରୁ ଏହା ୭.୨% ରହିବ ବୋଲି କହିଥିଲା। ବିମୁଦ୍ରାକରଣ ଏବଂ ଜିଏସ୍‌ଟିର ପ୍ରଭାବ ଅଭିବୃଦ୍ଧି ଉପରେ ପଡ଼ିବ ବୋଲି ବିଶ୍ୱବ୍ୟାଙ୍କ କହିଛି। କିନ୍ତୁ ୨୦୧୮-୧୯ରେ ଅଭିବୃଦ୍ଧି ୭.୪%କୁ ବୃଦ୍ଧି ଘଟିବ ବୋଲି ବିଶ୍ୱବ୍ୟାଙ୍କ ଏହାର ଆକଳନରେ କହିଛି। ଏତଦ୍‌ବ୍ୟତୀତ ୨୦୧୭-୧୮ ଆର୍ଥିକବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହ୍ରାସ ପାଇବ ବୋଲି ପୂର୍ବରୁ ଏସୀୟ ବିକାଶ ବ୍ୟାଙ୍କ ଏବଂ ଓଇସିଡି( ଅର୍ଗାନାଇଜେସନ୍‌ ଫର୍‌ ଇକୋନୋମିକ୍‌ କୋଅପରେସନ୍‌ ଆଣ୍ଡ ଡେଭଲପମେଣ୍ଟ) ପକ୍ଷରୁ କୁହାଯାଇଛି। ଅଭିବୃଦ୍ଧି ଯଥାକ୍ରମେ ୭% ଏବଂ ୬.୭ %କୁ ହ୍ରାସ ପାଇବ ବୋଲି ଏମାନେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର