ବଢ଼ୁଛି ଅଶୋଧିତ ତେଲ ମୂଲ୍ୟ :ପେଟ୍ରୋଲ ଦର ଛୁଇଁପାରେ ୮୦ ଟଙ୍କା

ନୂଆଦିଲ୍ଲୀ,: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପାଖାପାଖି ପହଞ୍ଚି ଯାଇଛି । ୨୦୧୫ ମସିହା ଜୁଲାଇ ପରେ ତେଲ ମୂଲ୍ୟ କେବେ ଏହି ସ୍ତର ଛୁଇଁ ନଥିଲା। ଚଳିତବର୍ଷ ଜୁନ୍‌ରେ ଏହା ହ୍ରାସ ପାଇ ୪୪ ଡଲାରକୁ ଖସିଆସିଥିଲା। କିନ୍ତୁ ଜୁନ୍‌ରୁ ଇତି ମଧ୍ୟରେ ଅଶୋଧିତ ତେଲ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୪୦ ପ୍ରତିଶତ ବଢ଼ିସାରିଲାଣି। ଆସନ୍ତା ଡିସେମ୍ବର ବେଳକୁ ଅଶୋଧିତ ତେଲ ଦର ୬୫ ଡଲାର ମଧ୍ୟ ଟପିବାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟୁଥିବାରୁ ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୦ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୬୫ ଟଙ୍କା ଟପିବା ନେଇ ଆଶଙ୍କା ଦେଖାଦେଇଛି। ସରକାର ନିକଟରେ ଏଲ୍‌ପିଜି ଦର ବଢ଼ାଇ ସାରିଛନ୍ତି। ଆଗକୁ ପୁଣି ଏଲ୍‌ପିଜି ଏବଂ ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଆଶଙ୍କା ମଧ୍ୟ ରହିଛି। ଯଦି ଏହା ହୁଏ ତାହେଲେ ଆଗାମୀ ଦିନରେ ଗ୍ରାହକଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡ଼ିବ। ସେହିଭଳି ନୋମୁରାର କହିବା ଅନୁଯାୟୀ ବିତ୍ତୀୟ ନିଅଣ୍ଟକୁ ମଧ୍ୟ ବର୍ଦ୍ଧିତ ଅଶୋଧିତ ତେଲ ଦର ପ୍ରଭାବିତ କରିବ। ବିଶେଷଜ୍ଞ ଅଜୟ କେଡ଼ିଆଙ୍କ କହିବାନୁଯାୟୀ, ପେଟ୍ରୋଲ ଡିଜେଲକୁ ଜିଏସ୍‌ଟି ପରିସରକୁ ଆଣିବା ଉଚିତ। ଏହାହେଲେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅପେକ୍ଷାକୃତଭାବେ କମ୍‌ ରହିବ। ନିକଟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଥିଲେ। ଏହାଫଳରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଥିଲା। କିନ୍ତୁ ଏହା ପୁଣି କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି। ଓପେକ୍‌ ଦେଶଗୁଡ଼ିକ ଅଶୋଧିତ ତେଲ ଉତ୍ପାଦନ ଦୈନିକ ୧.୮ ନିୟୁତ ବ୍ୟାରେଲ ହ୍ରାସ କରିଛନ୍ତି। ଯୋଗାଣ ତୁଳନାରେ ଚାହିଦା ବୃଦ୍ଧି ପାଇଥିବାରୁ ଅଶୋଧିତ ତେଲର ମୂଲ୍ୟ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର