ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ହୋଇଥିବା ଲୋକସଭା ନିର୍ବାଚନ ଦେଶର ଅଭିବୃଦ୍ଧିକୁ ମନ୍ଥର କରିଛି। ଏହି ସମୟରେ ବ୍ୟୟ କମ୍ ରହିବା କାରଣରୁ ବିଭିନ୍ନ କ୍ଷେତ୍ରରେ ଯେଉଁ ବିକାଶ ହେବା କଥା ତାହା ହୋଇପାରିନଥିଲା। ସେଥିପାଇଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ୍‌-ଜୁନ୍‌)ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୭ ପ୍ରତିଶତକୁ ହ୍ରାସ ପାଇଛି। ଗତ ୧୫ ମାସ ଭିତରେ ଏହା ହେଉଛି ଅର୍ଥନୀତିର ସବୁଠୁ ଦୁର୍ବଳ ପ୍ରଦର୍ଶନ। ୨୦୨୩ର ଏହି ତିନି ମାସରେ ଅଭିବୃଦ୍ଧି ହାର ୮.୨ ପ୍ରତିଶତ ଥିଲା।

Advertisment

ଆଲୋଚ୍ୟ ତିନି ମାସରେ କୃଷି ଅଭିବୃଦ୍ଧି ୨ ପ୍ରତିଶତକୁ ହ୍ରାସ ପାଇଛି ଯାହା ବର୍ଷକ ପୂର୍ବରୁ ୩.୭ ପ୍ରତିଶତ ଥିଲା। ଯେହେତୁ ଏଥର ଭଲ ବର୍ଷା ହୋଇଛି ତେଣୁ ଆସନ୍ତା ତ୍ରୈମାସିକରେ କୃଷି କ୍ଷେତ୍ରର ପ୍ରଦର୍ଶନରେ ସୁଧାର ହେବ ବୋଲି ସରକାର ଆଶା ରଖିଛନ୍ତି। ଖଣି ଓ ଖନନ କ୍ଷେତ୍ରର ଅଭିବୃଦ୍ଧି ୭.୨ ପ୍ରତିଶତ ରହିଛି। ମାନୁଫାକ୍‌ଚରିଂ ଅଭିବୃଦ୍ଧି ୭ ପ୍ରତିଶତ; ବିଦ୍ୟୁତ, ଗ୍ୟାସ, ଜଳ ଯୋଗାଣ ଓ ଅନ୍ୟାନ୍ୟ ୟୁଟିଲିଟି ସେବାର ଅଭିବୃଦ୍ଧି ୧୦.୪ ପ୍ରତିଶତ, ନିର୍ମାଣ ଅଭିବୃଦ୍ଧି ୧୦.୫ ପ୍ରତିଶତ ରହିଛି। ଅନ୍ୟ ପକ୍ଷରେ ବାଣିଜ୍ୟ, ହୋଟେଲ୍, ପରିବହନ, ଯୋଗାଯୋଗ ଓ ସେବା କ୍ଷେତ୍ରର ଅଭିବୃଦ୍ଧି ୫.୭ ପ୍ରତିଶତ ଥିବା ବେଳେ ଆର୍ଥିକ, ରିଅଲ ଇଷ୍ଟେଟ୍‌ ଓ ପ୍ରଫେସନାଲ୍ ସେବାର ଅଭିବୃଦ୍ଧି ୭.୧ ପ୍ରତିଶତ ରହିଛି। ସାଧାରଣ ପ୍ରଶାସନ, ପ୍ରତିରକ୍ଷା ଓ ଅନ୍ୟାନ୍ୟ ସେବା କ୍ଷେତ୍ରର ଅଭିବୃଦ୍ଧି ୯.୫ ପ୍ରତିଶତ ରହିଛି। 

ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ କହିଛନ୍ତି ଯେ ଏହି ତିନି ମାସରେ ଭାରତ ବିଶ୍ବର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଦେଶ ହୋଇରହିଛି। ଗତବର୍ଷ ପ୍ରଥମ ତ୍ରୈମାସିକରେ ଜିଡିପି ପରିମାଣ ୪୦.୯୧ କୋଟି ଟଙ୍କା ଥିଲା ଯାହା ଚଳିତ ବର୍ଷ ୬.୭ ପ୍ରତିଶତ ବୃଦ୍ଧି ପାଇ ୪୩.୬୪ ଲକ୍ଷ କୋଟି ଟଙ୍କା ହୋଇଛି। ବର୍ତ୍ତମାନ ମୂଲ୍ୟରେ ଜିଡିପି ୭୭.୩୧ ଲକ୍ଷ କୋଟି ଟଙ୍କା ହିସାବ କରାଯାଇଛି।