ଏବର୍ଷ ଅଭିବୃଦ୍ଧି କମିବ: କୃଷ୍ଣମୂର୍ତ୍ତି

ନୂଆଦିଲ୍ଲୀ: ରେଟିଂ ଏଜେନ୍ସିଗୁଡ଼ିକ ଭାରତକୁ ଯେଉଁ ରେଟିଂ ଦେଇଛନ୍ତି ତାହାକୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ ସହଜରେ ଗ୍ରହଣ କରିପାରିନାହାନ୍ତି। ଭାରତର ମୌଳିକ ଢାଞ୍ଚା ବେଶ ଦୃଢ଼ ରହିଛି। ଋଣ ପରିଶୋଧ କରିବାର କ୍ଷମତା ମଧ୍ୟ ‘ସ୍ବର୍ଣ୍ଣ ମାନ’ର ରହିଛି। ଭଲ ରେଟିଂ ପାଇବାକୁ ଭାରତ ହକ୍‌ଦାର ବୋଲି ସେ କହିଛନ୍ତି। ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସେସ୍‌ ଭାରତର ରେଟିଂକୁ ହ୍ରାସ କରିଥିବା ବେଳେ ଏସ୍‌ଆଣ୍ଡ୍‌ପି ତାହାକୁ ସର୍ବନିମ୍ନ ନିବେଶ ବର୍ଗରେ ରଖିଛି। ଏହି ଦୁଇ ସଂସ୍ଥା ଆକଳନ କରିଛନ୍ତି ଯେ, କରୋନା ସଙ୍କଟ ପ୍ରଭାବରେ ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ଋଣାତ୍ମକ ହେବ। ଏସ୍‌ଆଣ୍ଡ୍‌ପି ଓ ଫିଚ୍‌ ରେଟିଂଙ୍ଗ୍‌ ମତରେ ଅଭିବୃଦ୍ଧି ଋଣାତ୍ମକ ୫% ହେବ ଏବଂ ମୁଡିସ୍‌ ଆକଳନ କରିଛି ଅଭିବୃଦ୍ଧି ୪% ହ୍ରାସ ପାଇବ। ଦେଶର ଅଭିବୃଦ୍ଧି ସମ୍ପର୍କରେ କୃଷ୍ଣମୂର୍ତ୍ତି କହିଛନ୍ତି, ସ୍ପାନିସ୍‌ ଫ୍ଲୁ ପରବର୍ତୀ ସମୟରେ ଅର୍ଥନୀତିରେ ଦ୍ରୁତ ସୁଧାର ଘଟିଥିଲା।

ଅଳ୍ପ ସମୟ ଭିତରେ ଅଭିବୃଦ୍ଧି ହଠାତ୍‌ ବୃଦ୍ଧି ପାଇ ସଙ୍କଟ ପୂର୍ବ ସମୟର ସ୍ଥିତିକୁ ଫେରିଯାଇଥିଲା। ଅର୍ଥନୀତି ଭାଷାରେ ତାହାକୁ ଭି-ରିକଭରି କୁହାଯାଏ। ଇଂରାଜି ଅକ୍ଷୟ ‘ଭି’ ସଦୃଶ ଅଭିବୃଦ୍ଧି-ଯେଉଁଭଳି ଦ୍ରୁତ ଗତିରେ ହ୍ରାସ ପାଇଥାଏ ସେହି ଭଳି ଦ୍ରୁତ ଗତିରେ ବୃଦ୍ଧି ପାଏ। କରୋନା ସଙ୍କଟ ପରେ ‘ଭି’ ଅଭିବୃଦ୍ଧି ହେବ ନା ନାହିଁ ତାହା କହିବା କଷ୍ଟକର। କେବେ ସୁଧାର ପ୍ରକ୍ରିୟା ଆରମ୍ଭ ହେବ ତାହା ଉପରେ ସବୁ କିଛି ନିର୍ଭର କରିବ। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ଭାଗରେ ସୁଧାର ହେବ ନା ଆସନ୍ତା ଆର୍ଥିକ ବର୍ଷରେ ହେବ ତାହା ଏବେ ଅନିଶ୍ଚିତ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର