ଚଳିତ ବର୍ଷ ଜିଡିପି ଅଭିବୃଦ୍ଧି ୯.୨% ରହିବ

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ୯.୨ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି କେନ୍ଦ୍ର ପରିସଂଖ୍ୟାନ ଅଫିସ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ ରେ ଜିଡିପି ଅଭିବୃଦ୍ଧି ୭.୩ ପ୍ରତିଶତ ହ୍ରାସ ପାଇଥିଲା । ଏଣୁ ଚଳିତ ବର୍ଷ ଉଚ୍ଚ ଜିଡିପି ଅଭିବୃଦ୍ଧି ଭାରତୀୟ ଅର୍ଥନୀତି କରୋନା କବଳରୁ ମୁକ୍ତ ହୋଇ ପୁଣି ଅଭିବୃଦ୍ଧି ପଥକୁ ଫେରିବାକୁ ପ୍ରମାଣିତ କରୁଛି ।

୯.୨ ପ୍ରତିଶତ ଜିଡିପି ଅଭିବୃଦ୍ଧି ଗତ ପ୍ରାୟ ୧୭ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି । କିନ୍ତୁ ଏତେ ଉଚ୍ଚ ଅଭିବୃଦ୍ଧିର ଆଉ ଏକ କାରଣ ହେଉଛି ଗତ ବର୍ଷର ନିମ୍ନ ଭିତ୍ତି ଅନୁସାରେ ଏହା ନିର୍ଣ୍ଣୟ ହୋଇଛି । ଏହା ସତ୍ତ୍ବେ ଅର୍ଥନୀତିରେ ସୁଧାରକୁ ଅସ୍ବୀକାର କରାଯାଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଗତ ମାସରେ ରିଜର୍ଭ ବ୍ୟାଙ୍କ ଅଟକଳ କରିଥିଲା ଯେ ୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ୯.୫ ପ୍ରତିଶତ ରହିବ । କିନ୍ତୁ ସରକାରୀ ଅଟକଳ ଅନୁସାରେ ତାହା ଟିକିଏ କମିବ । ଅନ୍ୟପକ୍ଷରେ ପୁଣି ସଂକ୍ରମଣ ବଢିବା ଦ୍ବାରା ଅର୍ଥନୀତିର ସୁଧାର ପ୍ରଭାବିତ ହେବାର ଆଶଙ୍କା ରହିଛି । ସରକାର ଯଦି ପୁଣି ଲକଡାଉନ କରନ୍ତି ତେବେ ଅଭିବୃଦ୍ଧି ପୁଣି ପ୍ରଭାବିତ ହୋଇପାରେ ।

 

ସମ୍ବନ୍ଧିତ ଖବର