‘ଅର୍ଥନୀତିକୁ ବିଗାଡ଼ିଛି ବିମୁଦ୍ରୀକରଣ, ଜିଏସ୍‌ଟି’

ୱାସିଂଟନ: ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ମୁହଁଖୋଲି ଚର୍ଚ୍ଚାକୁ ଆସିଥିବା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍ ଏବେ ପୁଣି ଭାରତୀୟ ଅର୍ଥନୀତି ସମ୍ପର୍କରେ ମୁହଁ ଖୋଲିଛନ୍ତି। ବିମୁଦ୍ରୀକରଣ ଓ ସାମଗ୍ରୀ ଓ ସେବା ଟିକସ(ଜିଏସଟି) ‌ଯୋଗୁ ଗତବର୍ଷ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ମନ୍ଥର ହୋଇଛି ବୋଲି ରାଜନ କହିଛନ୍ତି। ଦେଶ ଏବେ ହାସଲ କରୁଥିବା ୭ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ହାର ଦେଶର ଆବଶ୍ୟକତା ମେଣ୍ଟାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ। ବର୍କଲେଠାରେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ଗତ ଶୁକ୍ରବାର ରାଜନ୍ ଉଦବୋଧନ ଦେଇ ସେ କହିଛନ୍ତି, ଭାରତରେ ବିମୁଦ୍ରୀକରଣ ଓ ଜିଏସଟି କାର୍ଯ୍ୟକାରୀ ହେବା ପୂର୍ବ ଚାରି ବର୍ଷ (୨୦୧୨ରୁ ୨୦୧୬)ରେ ଦେଶର ଅଭିବୃଦ୍ଧି ହାର ଯଥେଷ୍ଟ ଅଧିକ ରହିଥିଲା। ଭାରତର ଭବିଷ୍ୟତ ଶୀର୍ଷକରେ ଦ୍ବିତୀୟ ଭଟ୍ଟାଚାର୍ଯ୍ୟ ବକ୍ତୃତାମାଳାରେ ଯୋଗଦେଇ ରାଜନ କହିଛନ୍ତି, ବିମୁଦ୍ରୀକରଣ ଓ ଜିଏସ୍‌ଟି ଭଳି ଦୁଇଟି ଝଟ୍‌କାର ଗୁରୁତର ପ୍ରଭାବ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉପରେ ପଡ଼ିଥିଲା। ଏପରିକି ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ଉପରକୁ ଉଠୁଥିବା ବେଳେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ନିମ୍ନଗାମୀ ହୋଇଥିଲା। ରାଜନ୍ ଏହା ମଧ୍ୟ କହିଛନ୍ତି, ଦୀର୍ଘ ୨୫ ବର୍ଷ ଧରି ପ୍ରତିବର୍ଷ ୭ ପ୍ରତିଶତ ଲେଖାଏଁ ଅଭିବୃଦ୍ଧି ଦେଶ ହାସଲ କରିବା ଏକ ଉଲ୍ଲେଖନୀୟ ଘଟଣା। କିନ୍ତୁ ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ ଏହା ହିନ୍ଦୁ ବିକାଶ ହାରରେ ପରିଣତ ହୋଇଛି। ପୂର୍ବରୁ ୩.୫ ପ୍ରତିଶତ ବିକାଶ ହାରକୁ ହିନ୍ଦୁ ବିକାଶ ହାର ବୋଲି କୁହାଯାଉଥିଲା। ବାସ୍ତବତାର କଥା ହେଲା ଦେଶରେ ଶ୍ରମ ବଜାରକୁ ଯେଉଁ ହାରରେ ଲୋକ ପ୍ରବେଶ କରୁଛନ୍ତି ସେ ଦୃଷ୍ଟିରୁ ୭ ପ୍ରତିଶତ ଅଭିବୃଦ୍ଧି ପର୍ଯ୍ୟାପ୍ତ ନୁହେଁ। ଶ୍ରମ ବଜାରକୁ ପ୍ରବେଶ କରୁଥିବା ଲୋକଙ୍କୁ ନିଯୁକ୍ତି ଯୋଗାଇ ଦେବାର ଆବଶ୍ୟକତା ଥିବାରୁ ଆମକୁ ଆହୁରି ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାକୁ ହେବ ବୋଲି ରାଜନ କହିଛନ୍ତି। ବିଶ୍ବ ଅର୍ଥନୀତିରେ ଦେଖାଦେଉଥିବା ଉତଥାନ ପତନର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ୁଛି। କାରଣ ଭାରତୀୟ ଅର୍ଥନୀତି ଏକ ମୁକ୍ତ ଅର୍ଥନୀତିରେ ପରିଣତ ହୋଇସାରିଛି। ତେବେ ୨୦୧୭ରେ ଯେତେବେଳେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ଉପରକୁ ଉଠିଥିଲା ସେତେବେଳେ ଭାରତର ଅଭିବୃଦ୍ଧି ତଳକୁ ଖସିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ବିମୁଦ୍ରୀକରଣ ଓ ଜିଏସଟିର ଶକ୍ତ ଆଘାତ ଅର୍ଥନୀତିକୁ ଲାଗିଥିଲା। ଏଥିଯୋଗୁ ଭାରତର ଅର୍ଥନୀତି ପଛେଇ ଯାଇଛି ବୋଲି ରାଜନ୍ କହିଛନ୍ତି। ତେବେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଉପରକୁ ଉଠିଲା ବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ସମସ୍ୟା ସୃଷ୍ଟି ହୋଇଛି। ଭାରତ ଏହାର ଶକ୍ତି ଚାହିଦା ପୂରଣ କରିବା ପାଇଁ ବିଦେଶରୁ ଅଶୋଧିତ ତେଲ ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛି। ‌ଅଶୋଧିତ ତେଲ ଦର ବୃଦ୍ଧି ପାଇଲେ ଭାରତର ଅର୍ଥନୀତି ପାଇଁ ଏହା ଜଟିଳ ସମସ୍ୟା ସୃଷ୍ଟି କରୁଛି।

ଏନ୍‌ପିଏ ପାଇଁ ବହୁସୂତ୍ରୀ ପଦକ୍ଷେପ ଲୋଡ଼ା
ଦେଶରେ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ ବା ଏନପିଏ ସମସ୍ୟାର ସମାଧାନ ଉପରେ ମଧ୍ୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍ ମତ ରଖିଛନ୍ତି। ଏଥିପାଇଁ ବ୍ୟାଙ୍କରପ୍ସି ଆଣ୍ଡ ଇନସଲଭେନ୍ସି କୋଡ (ଆଇବିସି) ଯଥେଷ୍ଟ ନୁହେଁ। ଏଥିପାଇଁ ବହୁସୂତ୍ରୀ ପଦକ୍ଷେପ ଜରୁରି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର