ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକୁ ଜିଏସ୍ଟି କ୍ଷତିପୂରଣ ରାଶି ପ୍ରଦାନକୁ ଆସନ୍ତା ଜୁନ୍ରେ ୫ ବର୍ଷ ପୂରଣ ହେବ। ଏହାପରେ ବି ରାଜ୍ୟଗୁଡ଼ିକ ଉକ୍ତ କ୍ଷତିପୂରଣ ପ୍ରଦାନକୁ ଅବ୍ୟାହତ ରଖିବା ପାଇଁ ଦାବି କରିଆସୁଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହି କ୍ଷତିପୂରଣ ରାଶି ଆଉ ଦେବାକୁ ପ୍ରସ୍ତୁତ ନାହାନ୍ତି। ଚଳିତମାସରେ ହେବାକୁ ଥିବା ଜିଏସ୍ଟି ପରିଷଦର ଆଗାମୀ ବୈଠକରେ କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡ଼ିକୁ ଏ ସଂପର୍କରେ ସୂଚନା ଦିଆଯିବାର ସମ୍ଭାବନା ରହିଛି। ରାଜ୍ୟଗୁଡ଼ିକର ଜିଏସ୍ଟି ଆଦାୟ ରାଶି ଭଲ ରହୁଥିବାରୁ କେନ୍ଦ୍ର ଏଭଳି ନିଷ୍ପତ୍ତି ନେବ।
ଜିଏସ୍ଟି ଆଦାୟ ରାଶିରେ ୧୪ ପ୍ରତିଶତ ବୃଦ୍ଧି ନଘଟିଲେ କେନ୍ଦ୍ର ସରକାର କ୍ଷତିପୂରଣ ଦେବାପାଇଁ ୨୦୧୭ ଜୁଲାଇରେ ଜିଏସ୍ଟି ଲାଗୁ ସମୟରେ ବ୍ୟବସ୍ଥା କରିଥିଲେ। କିନ୍ତୁ ରାଜ୍ୟଗୁଡ଼ିକର ଜିଏସ୍ଟି ଆଦାୟ ରାଶିରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ତେଣୁ ଏହି କଥା କହି ରାଜ୍ୟମାନଙ୍କୁ ଆଉ ଜିଏସଟି କ୍ଷତିପୂରଣ ଦେବାଲାଗି କେନ୍ଦ୍ର ସରକାର ମନା କରିପାରନ୍ତି। ଏଥିସହିତ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟ ଭଳି ରାଜ୍ୟର ରାଜସ୍ବ ସଂଗ୍ରହ ଯଥେଷ୍ଟ ଭଲ ରହିଛି। ତେଣୁ ରାଜ୍ୟଗୁଡ଼ିକୁ ୫ ବର୍ଷ ପରେ ଆଉ କ୍ଷତିପୂରଣ ନଦେଇ କରୋନା ମହାମାରୀ ବେଳେ ରାଜ୍ୟଗୁଡ଼ିକୁ ଜିଏସ୍ଟି କ୍ଷତିପୂରଣ ଦେବାପାଇଁ ଯେଉଁ ଋଣ କରାଯାଇଥିଲା ତାହାର ସୁଧ ପରିଶୋଧ କରିବା ଯୋଜନା ରଖିଛନ୍ତି। ଜିଏସ୍ଟି କ୍ଷତିପୂରଣ ବାବଦ୍ ସେସ୍କୁ କେନ୍ଦ୍ର ସରକାର ଏ ବାବଦରେ ଉପଯୋଗ କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାଯାଇଛି।
ଘରୋଇ ବ୍ୟୟ ୨୦୨୧-୨୨ ଆର୍ଥିକ ବର୍ଷରେ କରୋନା ପୂର୍ବସ୍ଥିତିକୁ ଆସିଯାଇଛି। ଏଥିରେ ବାର୍ଷିକ ୧୬ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଥିବାରୁ ଟିକସ ରାଜସ୍ବ ମଧ୍ୟ ବଢ଼ିଛି। ଏଥିସହିତ ନିୟମ ପ୍ରଣୟନକାରୀମାନେ ମଧ୍ୟ କାସିନୋ, ରେସ୍ କୋର୍ସ ଏବଂ ଅନ୍ଲାଇନ୍ ଗେମିଂ ଉପରେ ଟିକସ ବୃଦ୍ଧି ପ୍ରସ୍ତାବ ଉପରେ ମାନସମନ୍ଥନ କରୁଛନ୍ତି। ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗମାଙ୍କ ନେତୃତ୍ବରେ ଏକ ମନ୍ତ୍ରୀଗୋଷ୍ଠୀ ଏସବୁ ଉପରେ ୨୮ ପ୍ରତିଶତ ଟିକସ ଲାଗୁର ସମ୍ଭାବ୍ୟତାକୁ ଅନୁଧ୍ୟାନ କରୁଛନ୍ତି। ସ୍ପଷ୍ଟତା ଅଭାବରୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏମାନେ ୧୮ ପ୍ରତିଶତ ଜିଏସ୍ଟି ଦେଉଛନ୍ତି। ଏହାବ୍ୟତୀତ ସେବା କିମ୍ବା ଉତ୍ପାଦ ବର୍ଗରେ ଆସୁ ନଥିବା କିଛି ବର୍ଗର କ୍ରିପ୍ଟୋକରେନ୍ସି କାରବାର ଉପରେ ଜିଏସ୍ଟି ଲାଗୁ ନେଇ ମଧ୍ୟ ଯୋଜନା ଚାଲିଛି। ତେବେ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ଉପରେ ଆଦାୟ କରାଯାଉଥିବା ୧୮ ପ୍ରତିଶତ ଜିଏସ୍ଟିକୁ ୨୮ ପ୍ରତିଶତକୁ ବୃଦ୍ଧି କରାଯିବାର ଯୋଜନା ବର୍ତ୍ତମାନ ନାହିଁ। ଭର୍ଚୁଆଲ ଡିଜିଟାଲ କରେନ୍ସିରୁ ହେଉଥିବା ଆୟ ଉପରେ ୩୦ ପ୍ରତିଶତ ଆୟକର କେନ୍ଦ୍ର ସରକାର ଲଗାଇଛନ୍ତି। ଏଭଳି ସ୍ଥିତିରେ କ୍ରିପ୍ଟୋକରେନ୍ସି ସେବା ଉପରେ ଜିଏସଟି୍ ବଢ଼ିବା ଯୋଜନା ରହିଥିବାରୁ ଏ କ୍ଷେତ୍ରର ନିବେଶକ ଏବଂ ବ୍ୟବସାୟୀମାନେ ଏବେ ଚିନ୍ତାରେ ଅଛନ୍ତି। ଏହାବ୍ୟତୀତ ଅନ୍ୟ ଏକ ମନ୍ତ୍ରୀଗୋଷ୍ଠୀ ଜିଏସ୍ଟି ହାରକୁ ଯୁକ୍ତିଯୁକ୍ତ କରିବା ଉପରେ ବି କାର୍ଯ୍ୟ କରୁଛି। କିନ୍ତୁ ଦେଶରେ ବର୍ତ୍ତମାନ ମୁଦ୍ରାସ୍ଫୀତି ଅଧିକ ଥିବାରୁ ଜିଏସ୍ଟି ପରିଷଦ ନିକଟ ଭବିଷ୍ୟତରେ ଏହି ପ୍ରସଙ୍ଗ ଉପରେ କିଛି ନିଷ୍ପତ୍ତି ନେଇନପାରେ।