ଜାନୁଆରି ତୁଳନାରେ ଫେବ୍ରୁଆରିରେ ଜିଏସଟି ଆଦାୟ ୫.୫% ହ୍ରାସ

ନୂଆଦିଲ୍ଲୀ : ଜାନୁଆରି ମାସରେ ରେକର୍ଡ ୧ ଲକ୍ଷ ୨୦ ହଜାର କୋଟିର ଜିଏସଟି ଆଦାୟ ପରେ ଫେବ୍ରୁଆରି ମାସରେ ଦେଶର ଜିଏସଟି ରାଜସ୍ବ ୧ ଲକ୍ଷ ୧୩ ହଜାର କୋଟିକୁ ଖସିଆସିଛି । ଫଳରେ ଜାନୁଆରି ତୁଳନାରେ ଫେବ୍ରୁଆରି ଜିଏସଟି ସଂଗ୍ରହ ୫.୫ ପ୍ରତିଶତ କମିଛି । ତେବେ ଫେବ୍ରୁଆରି ୨୦୨୧ର ଜିଏସଟି ଆଦାୟ ଫେବ୍ରୁଆରି ୨୦୨୦ ତୁଳନାରେ ୭ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି ।

ଫେବ୍ରୁଆରି ମାସରେ ସଂଗ୍ରହ ହୋଇଥିବା ଟ.୧,୧୩,୧୪୩ କୋଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୨୧୦୯୨ କୋଟି, ରାଜ୍ୟ ଜିଏସଟି ଟ.୨୭,୨୭୩ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୫୫,୨୫୩ କୋଟି ଟଙ୍କା ଓ ସେସ ୯୫୨୫ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି ଅର୍ଥ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି ।

ଓଡ଼ିଶାରେ ଜିଏସଟି ଆଦାୟ ୨୦ ପ୍ରତିଶତ ବୃଦ୍ଧି ପାଇ ୩୩୪୦ କୋଟିରେ ପହଞ୍ଚିଛି ।

ଫେବ୍ରୁଆରି ମାସକୁ ମିଶାଇ କ୍ରମାଗତ ୫ମ ମାସ ପାଇଁ ଦେଶର ଜିଏସଟି ୧ ଲକ୍ଷ କୋଟି ଉପରେ ରହିଛି । ସେହିପରି କ୍ରମାଗତ ୩ୟ ମାସ ପାଇଁ ଜିଏସଟି ଆଦାୟ ୧ ଲକ୍ଷ ୧୦ ହଜାର କୋଟି ଉପରେ ରହିଛି ।

ଗତ ବର୍ଷ ଏପ୍ରିଲ ମାସରେ ଦେଶରେ ଲକଡାଉନ ଚାଲିଥିବାରୁ ସରକାରଙ୍କ ଜିଏସଟି ରାଜସ୍ୱ ହ୍ରାସ ପାଇ ୩୨୧୭୨ କୋଟିକୁ ହ୍ରାସ ପାଇଥିଲା । ସେହିପରି ମେ ମାସରେ ଏହା ୬୨,୧୫୧ କୋଟିକୁ ବୃଦ୍ଧି ପାଇଥିଲା । ଜୁନ ମାସରେ ସରକାର ୯୦,୯୧୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରିଥିଲେ ।

ସମ୍ବନ୍ଧିତ ଖବର