ନୂଆଦିଲ୍ଲୀ : କରୋନାର ୨ୟ ଲହର ସତ୍ତ୍ବେ ଗତ ଏପ୍ରିଲ ମାସରେ ଦେଶରେ ରେକର୍ଡ ଜିଏସଟି ସଂଗ୍ରହ ହେବା ପରେ ତାହା ଦେଶରେ ଅର୍ଥନୀତିର ଶକ୍ତିକୁ ଦର୍ଶାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦାବି କରିଛି । ମହମାରୀର ପ୍ରଭାବ ଦେଶର ଅର୍ଥନୀତିର ସୁଧାରକୁ ଅଟକାଇପାରିନାହିଁ ବୋଲି ମନ୍ତ୍ରାଳୟ କହିଛି । ଏପ୍ରିଲ ମାସରେ ଦେଶରେ ଅର୍ଥନୈତିକ କାର୍ୟ଼୍ୟକଳାପ ସୁଦୃଢ ରହିଛି । ଗତ ବର୍ଷ କରୋନାର ପ୍ରଥମ ଲହର ବେଳେ ଅର୍ଥାତ ଏପ୍ରିଲ ୨୦୨୦ରେ ଦେଶର ଜିଏସଟି ସଂଗ୍ରହ ହ୍ରାସ ପାଇଥିଲା । କିନ୍ତୁ ଏଥର ୨ୟ ଲହର ଆସିବା ସତ୍ତ୍ବେ ଦେଶରେ ରେକର୍ଡ ପରିମାଣରେ ଜିଏସଟି ସଂଗ୍ରହ ହୋଇଛି । ମହାରାଷ୍ଟ୍ର, ଓଡ଼ିଶା, ଗୁଜୁରାଟ,ହିମାଚଳ ପ୍ରଦେଶ ପରି ରାଜ୍ୟ ରେକର୍ଡ ଜିଏସଟି ସଂଗ୍ରହ କରିଛନ୍ତି ।
ତେବେ କେତେକ ବିଶେଷଜ୍ଞ କହିଛନ୍ତି ଯ଼େ ମାର୍ଚ୍ଚ ମାସରେ ହୋଇଥିବା ବ୍ୟବସାୟିକ କାରବାର ଜିଏସଟି ରିଟର୍ଣ୍ଣ ଏପ୍ରିଲ ମାସରେ ଫାଇଲ କରାଯ଼ାଇଥାଏ । ଗତ ମାର୍ଚ୍ଚରେ ଦେଶରେ କରୋନାର ୨ୟ ଲହର ଆରମ୍ଭ ହେଉଥିଲା । ଏଣୁ କରୋନା ଦ୍ବାରା ଅର୍ଥନୀତି କେତେ ପ୍ରଭାବିତ ହୋଇଛି ତାହା ମେ ମାସର ଜିଏସଟି ଆଦାୟରେ ଜଣାପଡ଼ିବ ।
ଏପ୍ରିଲ ମାସରେ ଦେଶର ଜିଏସଟି ରାଜସ୍ୱ ଏକ ନୂଆ ସର୍ବକାଳୀନ ରେକର୍ଡ ୧ ଲକ୍ଷ ୪୧ ହଜାର କୋଟି ଛୁଇଁଛି । ଗତ ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ରେକର୍ଡ ୧ ଲକ୍ଷ ୨୩ ହଜାର ୯୦୨ କୋଟିର ଜିଏସଟି ରାଜସ୍ବକୁ ଏହା ଟପିଯ଼ାଇଛି । ଗତ ୨୦୧୭ ଜୁଲାଇରେ ଦେଶରେ ଜିଏସଟି ଲାଗୁ ହେବା ପରଠାରୁ ଏହା ହେଉଛି ସର୍ବାଧିକ ମାସିକ ଜିଏସଟି ସଂଗ୍ରହ ।