ଫେବ୍ରୁଆରିରେ ଜିଏସ୍‌ଟି ସଂଗ୍ରହ: ଓଡ଼ିଶାରେ ୩୩୪୦ କୋଟି

ରାଜ୍ୟକୁ ମିଳିଛି ୩୮୧୪ କୋଟି କ୍ଷତିପୂରଣ

ନୂଆଦିଲ୍ଲୀ: ‌ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପରେ ସୁଧାର ହେଉଥିବା ବେଳେ ସେହି ଅନୁସାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହରେ ମଧ୍ୟ ବୃଦ୍ଧି ଘଟିଛି। ଚଳିତ ବର୍ଷ ଫେବ୍ରୁଆରିରେ ଦେଶରେ ୧,୧୩,୧୪୩ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବାବେଳେ ଓଡ଼ିଶାରେ ୩୩୪୦.୫୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ରାଜ୍ୟରେ ଗତବର୍ଷ ଫେବ୍ରୁଆରି ତୁଳନାରେ ଚଳିତ ବର୍ଷ ଜିଏସ୍‌ଟି ଆଦାୟରେ ୨୦% ବୃଦ୍ଧି ହୋଇଛି। ୨୦୨୦ ଫେବ୍ରୁଆରିରେ ରାଜ୍ୟରେ ୨୭୯୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା। କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଫେବ୍ରୁଆରିରେ ଦେଶରେ ୨୧, ୦୯୨ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୨୭,୨୭୩ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଓ ୫୫,୨୫୩ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଆଦାୟ ହୋଇଛି। ସେସ୍‌ ଆକାରରେ ୯୫୨୫ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଗତବର୍ଷ ଫେବ୍ରୁଆରି ତୁଳନାରେ ଦେଶରେ ୭% ଅଧିକ ଜିଏସ୍‌ଟି ସଂଗ୍ରହ କରାଯାଇଛି। ଆମଦାନି କାରବାରରୁ ଟିକସ ସଂଗ୍ରହ ୧୫% ବଢ଼ିଥିବା ବେଳେ ଦେଶ ଭିତରେ ହେଉଥିବା କାରବାରରୁ ୫% ବଢ଼ିଛି। କ୍ରମାଗତ ପଞ୍ଚମ ମାସ ପାଇଁ ମାସିକ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିବା ବେଳେ ତୃତୀୟ ମାସ ପାଇଁ ୧ ଲକ୍ଷ ୧୦ ହଜାର କୋଟି ଟଙ୍କାରୁ ଅଧିକ ରହିଛି।

ରାଜ୍ୟକୁ ମିଳିଛି ୩୮୧୪ କୋଟି କ୍ଷତିପୂରଣ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଜିଏସ୍‌ଟି କ୍ଷତିପୂରଣର ୧୮ତମ କିସ୍ତିରେ ୪୦୦୦ କୋଟି ଟଙ୍କା ଜାରି କରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ରାଶି ଦିଆଯିବ ବୋଲି ଧାର୍ଯ୍ୟ କରାଯାଇଥିବା ବେଳେ ଏହି କିସ୍ତି ସୁଦ୍ଧା କେନ୍ଦ୍ର ୯୪% କ୍ଷତିପୂରଣ ରାଶି ଦେଇଛି। ବର୍ତ୍ତମାନ ସୁଦ୍ଧା ୧୮ ଥରରେ ଓଡ଼ିଶା ୩୮୧୪.୭ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ପାଇଛି। ଓଡ଼ିଶା ପାଖରେ ଅତିରିକ୍ତ ୨୮୫୮ କୋଟି ଟଙ୍କା ଋଣ କରିବାର ମଧ୍ୟ ସୁଯୋଗ ରହିଛି। କରୋନା ମହାମାରୀ ପାଇଁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ଦେବା କଷ୍ଟକର ବୋଲି କେନ୍ଦ୍ର ସରକାର କହିଥିଲେ। ଅନେକ ରାଜ୍ୟ ସେହି ପ୍ରସ୍ତାବକୁ ଦୃଢ଼ ଭାବେ ବିରୋଧ କରିବା ପରେ ଶେଷରେ ୧.୧ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ରାଶି ନିଜେ ଋଣ କରି ରାଜ୍ୟଗୁଡ଼ିକୁ ଦେବା ଲାଗି କେନ୍ଦ୍ର ସହମତ ହୋଇଥିଲା।

ସମ୍ବନ୍ଧିତ ଖବର