ଓଡ଼ିଶାରେ ୩,୯୫୬ କୋଟିର ଜିଏସ୍‌ଟି ସଂଗ୍ରହ, ଦେଶରେ ୧.୪୧ ଲକ୍ଷ କୋଟି

ନୂଆଦିଲ୍ଲୀ : ମେ’ ମାସରେ ଓଡ଼ିଶାରେ ୩,୯୫୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ପୂର୍ବବର୍ଷ ଏହି ମାସରେ ‌ହୋଇଥିବା ୩,୧୯୭ କୋଟି ଟଙ୍କା ତୁଳନାରେ ୨୪% ଅଧିକ। ସର୍ବଭାରତୀୟ ସ୍ତରରେ ମେ’ ମାସରେ ୧.୪୧ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ସେଥିରୁ ୨୫,୦୩୬ କୋଟି ଟଙ୍କା କେନ୍ଦ୍ରୀୟ ଜିଏସ୍‌ଟି ହୋଇଥିବା ବେଳେ ୩୨,୦୦୧ କୋଟି ଟଙ୍କା ରାଜ୍ୟ ଜିଏସ୍‌ଟି, ୭୩,୩୪୫ କୋଟି ଟଙ୍କା ସମନ୍ବିତ ଜିଏସ୍‌ଟି ଓ ୧୦,୫୦୨ କୋଟି ଟଙ୍କା ହେଉଛି ସେସ୍। ୨୦୨୧ ମେଡ଼ରେ ୯୭,୮୨୧ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ତା’ଠାରୁ ୪୪% ଅଧିକ ଟିକସ ସଂଗ୍ରହ କରାଯାଇଛି। ୨୦୧୭ ଜୁଲାଇରେ ଜିଏସ୍‌ଟି ଲାଗୁ ହେବା ପରଠାରୁ ମାତ୍ର ଚାରି ଥର ମାସିକ ସଂଗ୍ରହ ୧.୪୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଚଳିତ ବର୍ଷ ଏପ୍ରିଲ୍‌ରେ ୧,୬୭,୫୪୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଥିଲା।

ଜିଏସ୍‌ଟି ସଂଗ୍ରହରେ ଉତ୍ସାହଜନକ ବୃଦ୍ଧି କେନ୍ଦ୍ର ସରକାରଙ୍କ ରାଜସ୍ବ ଚିନ୍ତାକୁ କିଛି ପରିମାଣରେ ଲାଘବ କରିବ। କାରଣ ଦରଦାମ୍ ସ୍ଥିତିର ମୁକାବିଲା କରିବା ଲାଗି ନିକଟରେ ବିଭିନ୍ନ ସାମଗ୍ରୀର ଶୁଳ୍କ ଓ ଟିକସ ହ୍ରାସ କରାଯାଇଛି। ଏହାର ପ୍ରଭାବରେ ସରକାର ବହୁ କୋଟି ଟଙ୍କାର ରାଜସ୍ବ ହରାଇବେ। ସାଧାରଣ ଭାବେ ପ୍ରତିବର୍ଷ ମେ’ ମାସର ସଂଗ୍ରହ କମ୍ ରହିଥାଏ କାରଣ ସେହି ଜିଏସ୍‌ଟି ରିଟର୍ଣ୍ଣଗୁଡ଼ିକ ଏପ୍ରିଲ୍ ମାସ ପାଇଁ ପଇଠ ହୋଇଥାଏ। ଯେହେତୁ ତାହା ଆର୍ଥିକ ବର୍ଷ ଆରମ୍ଭ ମାସ ତେଣୁ ସଂଗ୍ରହ ଅପେକ୍ଷାକୃତ କମ୍ ରହିଥାଏ। କିନ୍ତୁ ଚଳିତ ବର୍ଷ ୧.୪ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହେବା ନିଶ୍ଚିତ ରୂପେ ଉତ୍ସାହଜନକ ବିଷୟ ବୋଲି କୁହାଯାଉଛି।

ଗତକାଲି କେନ୍ଦ୍ର ସରକାର ଚଳିତ ବର୍ଷ ମେ’ ୩୧ ପର୍ଯ୍ୟନ୍ତର ଜିଏସ୍‌ଟି କ୍ଷତିପୂରଣ ରାଶି ଭାବେ ୮୬,୯୧୨ କୋଟି ଟଙ୍କା ଜାରି କରିଥିଲେ। ଜିଏସ୍‌ଟି କ୍ଷତିପୂରଣ ଫଣ୍ଡ୍‌ରେ ମାତ୍ର ୨୫ ହଜାର କୋଟି ଟଙ୍କା ଥିବା ସତ୍ତ୍ବେ ନିଜସ୍ବ ଉତ୍ସରୁ ପାଣ୍ଠି ଯୋଗାଡ଼ କରି ସରକାର ରାଜ୍ୟମାନଙ୍କୁ କ୍ଷତିପୂରଣ ଦେଇଛନ୍ତି। ଜୁନ୍ ମାସର କ୍ଷତିପୂରଣ ଦେବା ପରେ ରାଜ୍ୟମାନଙ୍କୁ ଆଉ କେନ୍ଦ୍ର କ୍ଷତିପୂରଣ ଦେବାକୁ ବାଧ୍ୟ ନୁହେଁ। କାରଣ ୨୦୧୭ ଜୁଲାଇରେ ଜିଏସ୍‌ଟି ଲାଗୁ ହେବା ବେଳେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକୁ ପରୋକ୍ଷ ଟିକସ ଜନିତ କ୍ଷତି ଭରଣା କରିବାର ସାମ୍ବିଧାନିକ ବ୍ୟବସ୍ଥା କରାଯାଇଥିଲା। ସେହି ସମୟ ସୀମା ଚଳିତ ବର୍ଷ ଜୁନ୍‌ରେ ଶେଷ ହେବ। ଏହି ଅବଧି ଆଉ ବୃଦ୍ଧି କରାଯିବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିସାରିଛନ୍ତି।

ସମ୍ବନ୍ଧିତ ଖବର