ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ୍ରେ ସର୍ବଭାରତୀୟ ସ୍ତରରେ ସର୍ବକାଳୀନ ସର୍ବାଧିକ ୨.୩୭ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ କରାଯାଇଛି। ଶେଷ ଥର ପାଇଁ ୨୦୨୪ ଏପ୍ରିଲ୍ରେ ୨.୧୦ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଥିଲା। ଏହି ମାସରେ ଓଡ଼ିଶାରେ ଜିଏସ୍ଟି ସଂଗ୍ରହ ପରିମାଣ ୬୧୭୪ କୋଟି ଟଙ୍କା ହୋଇଛି ଯାହା ୨୦୨୪ ଏପ୍ରିଲ୍ରେ ହୋଇଥିବା ୫୯୦୨ କୋଟି ଟଙ୍କା ତୁଳନାରେ ୫ ପ୍ରତିଶତ ଅଧିକ।
ଅଲୋଚ୍ୟ ମାସରେ ଓଡ଼ିଶାର ଜିଏସ୍ଟି ସଂଗ୍ରହରେ ବୃଦ୍ଧି ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ସୀମିତ ରହିଛି। କିନ୍ତୁ ଗୁଜରାଟରେ ସଂଗ୍ରହ ୧୩ ପ୍ରତିଶତ, ମଧ୍ୟପ୍ରଦେଶରେ ୧୨ ପ୍ରତିଶତ, ପଶ୍ଚିମବଙ୍ଗରେ ୧୨ ପ୍ରତିଶତ, ହରିୟାଣାରେ ୧୬ ପ୍ରତିଶତ, ପଞ୍ଜାବରେ ୧୧ ପ୍ରତିଶତ, ବିହାରରେ ୧୫ ପ୍ରତିଶତ, ଉତ୍ତରପ୍ରଦେଶରେ ୧୧ ପ୍ରତିଶତ, ମହାରାଷ୍ଟ୍ରରେ ୧୧ ପ୍ରତିଶତ ଓ କର୍ଣ୍ଣାଟକରେ ୧୧ ପ୍ରତିଶତ ବଢ଼ିଛି। ଦୁଇଟି ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତ୍ରିପୁରାରେ ଜିଏସ୍ଟି ସଂଗ୍ରହ କମ୍ ହୋଇଥିବା କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ଦେଶରେ ଘରୋଇ କାରବାରରୁ ୧.୯୦ ଲକ୍ଷ କୋଟି ଟଙ୍କା ଓ ଆମଦାନି ସାମଗ୍ରୀରୁ ୪୬,୯୧୩ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି।