ଜିଏସ୍‌ଟି ସଂଗ୍ରହ ଲକ୍ଷେ କୋଟି ତଳେ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍‌ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହର ନୈରାଶ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ଆଠ ମାସ ପରେ ପ୍ରଥମ ଥର ଲାଗି ଦେଶରେ ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟଙ୍କାରୁ କମ୍ ହୋଇଛି। ଜୁନ୍‌ ମାସରେ ୯୨,୮୪୯ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବା ଜଣାପଡ଼ିଛି। ଏହି ମାସରେ ୧୬,୪୨୪ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୨୦,୩୯୭ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଓ ୪୯,୦୭୯ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ସଂଗ୍ରହ ହୋଇଛି। ାସହି ସମୟରେ ୬,୯୬୯ କୋଟି ଟଙ୍କାର ସେସ୍‌ ଆଦାୟ ହୋଇଛି। କେବଳ ଆମଦାନି ହୋଇଥିବା ସାମଗ୍ରୀରୁ ୮୦୯ କୋଟି ଟଙ୍କାର ସେସ୍‌ ମିଳିଛି।

ଜୁନ୍ ମାସରେ ସଂଗ୍ରହ ହୋଇଥିବା ଜିଏସ୍‌ଟି ଗତ ୧୦ ମାସରେ ସବୁଠୁ କମ୍। କରୋନା ମହାମାରୀର ଦ୍ବିତୀୟ ଲହର ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ଘୋଷଣା କରିଥିବା କଟକଣା ପ୍ରଭାବରେ ମେ’ ମାସରେ ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ମେ’ ମାସର ଅଧିକାଂଶ ଜିଏସ୍‌ଟି ଜୁନ୍‌ରେ ସଂଗ୍ରହ କରାଯାଇଥିବାରୁ ଏତେ କମ୍ ଟଙ୍କା ଆଦାୟ ହୋଇଛି। ମେ’ରେ ମୋଟ ୩.୯୯ କୋଟି ଇ-ୱେ ବିଲ୍ ସୃଷ୍ଟି କରାଯାଇଥିଲା ଯାହା ଏପ୍ରିଲ୍‌ର ୫.୮୮ କୋଟି ତୁଳନାରେ ବହୁତ କମ୍ ଥିଲା। କିଛି ଦିନ ହେଲାଣି ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ବେଳେ କଟକଣା ମଧ୍ୟ କୋହଳ ହେବାରେ ଲାଗିଛି। ତେଣୁ ଆଗାମୀ ଦିନରେ ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି। ଜୁନ୍ ମାସରେ ୫.୫ କୋଟି ଇ-ୱେ ବିଲ୍ ସୃଷ୍ଟି ହୋଇଛି। ଅର୍ଥନୈତିକ କାର୍ଯ୍ୟକଳାପରେ ଦ୍ରୁତ ସୁଧାର ହୋଇଥିବାର ଏହା ଏକ ସଙ୍କେତ ବୋଲି କୁହାଯାଉଛି।

୨୦୨୦ ମାର୍ଚ୍ଚ ୨୫ରେ ପ୍ରଥମ ଲକ୍‌ଡାଉନ୍ ଘୋଷଣା କରାଯିବାରୁ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଜିଏସ୍‌ଟି ସଂଗ୍ରହ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ମାତ୍ର ବର୍ଷ ଶେଷ ଆଡ଼କୁ ସ୍ଥିତିରେ ସୁଧାର ହେବା ସହ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିଥିଲା। ଏହାର ଫଳ ସ୍ବରୂପ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ରେକର୍ଡ ପରିମାଣର ଜିଏସ୍‌ଟି ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ସଂକ୍ରମଣର ଦ୍ବିତୀୟ ଲହର ମୁକାବିଲା ଲାଗି ଦେଶର ପ୍ରମୁଖ ଶିଳ୍ପୋନ୍ନତ ରାଜ୍ୟଗୁଡ଼ିକରେ କଟକଣା ଲାଗୁ କରାଯିବାରୁ କାରବାର କିଛିଟା ପ୍ରଭାବିତ ହୋଇଛି। କିନ୍ତୁ ୨୦୨୦ ତୁଳନାରେ ସ୍ଥିତି ବେଶ ଉନ୍ନତ ରହିଛି।

ସମ୍ବନ୍ଧିତ ଖବର