ରାଜ୍ୟରୁ ୩୧୩୭ କୋଟିର ଜିଏସ୍‌ଟି ସଂଗ୍ରହ

ଭୁବନେଶ୍ବର : ଚଳିତ ବର୍ଷ ଜାନୁଆରିରେ ରାଜ୍ୟରେ ୩୧୩୭.୪୦ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗୃହୀତ ହୋଇଛି। ଗତବର୍ଷ ଜାନୁଆରିରେ ହୋଇଥିବା ୨୫୦୩.୯୭ କୋଟି ଟଙ୍କା ତୁଳନାରେ ଏହା ୨୫.୩୦ ପ୍ରତିଶତ ଅଧିକ। ଏହି ବୃଦ୍ଧି ହାର ସର୍ବଭାରତୀୟ ସ୍ତରରେ ସର୍ବାଧିକ ବୋଲି ବାଣିଜ୍ୟ କର ଓ ଜିଏସ୍‌ଟି ଆୟୁକ୍ତଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ସଂଗ୍ରହରେ ୭୧.୮୮%, କେନ୍ଦ୍ରୀୟ ଜିଏସ୍‌ଟିରେ (ସିଜିଏସ୍‌ଟି) ୮.୧୭ ପ୍ରତିଶତ ଓ ରାଜ୍ୟ ଜିଏସ୍‌ଟିରେ (ଏସ୍‌ଜିଏସ୍‌ଟି) ୪.୪୮ ପ୍ରତିଶତ ବୃଦ୍ଧି ଘଟିଛି। ଆଇଜିଏସ୍‌ଟି ଆୟ ୧୧୫୮.୭୭ କୋଟି ଟଙ୍କା ହୋଇଛି ଯାହା ବର୍ଷକ ପୂର୍ବେ ୬୭୪.୧୮ କୋଟି ଟଙ୍କା ଥିଲା। ରାଜ୍ୟରେ ଉତ୍ପାଦିତ ହେଉଥିବା ଲୌହ ଇସ୍ପାତ, ଆଲୁମିନିୟମ ଓ କୋଇଲା ଆଦିର ଚାହିଦା ଅନ୍ୟ ରାଜ୍ୟରେ ବୃଦ୍ଧି ପାଇବାରୁ ଆଇଏସ୍‌ଟିରେ ବୃଦ୍ଧି ହୋଇଛି। ସେହିପରି ଏସ୍‌ଜିଏସ୍‌ଟି ବାବଦରେ ୭୭୭.୭୧ କୋଟି ଟଙ୍କା ଆୟ ହୋଇଛି ଯାହା ୨୦୨୦ ଜାନୁଆରିରେ ୭୪୪.୩୩ କୋଟି ଟଙ୍କା ଥିଲା। ରାଜ୍ୟରେ ପେ‌ଟ୍ରୋଲ୍ ଓ ମଦରୁ ଭାଟ୍ ଆକାରରେ ୮୩୧.୭୮ କୋଟି ଟଙ୍କା ସଂଗ୍ରହ ହୋଇଛି ଯାହା ୨୦୨୦ ଜାନୁଆରିରେ ହୋଇଥିବା ୬୮୭.୫୦ କୋଟି ଟଙ୍କା ତୁଳନାରେ ୨୦.୬୬ ପ୍ରତିଶତ ଅଧିକ। ପେଟ୍ରୋଲ୍‌ରୁ ଭାଟ୍ ସଂଗ୍ରହ ୨୪.୧୪ ପ୍ରତିଶତ ବୃଦ୍ଧି ପାଇ ୬୫୫.୧୫ କୋଟି ଟଙ୍କା ହୋଇଛି ଯାହା ବର୍ଷକ ପୂର୍ବେ ୫୨୭.୭୭ କୋଟି ଟଙ୍କା ଥିଲା। ସେହିପରି ମଦରୁ ଭାଟ୍ ଆୟ ୧୦.୬୦ ପ୍ରତିଶତ ବୃଦ୍ଧି ପାଇ ୧୭୬.୬୨ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୦ ଜାନୁଆରିରେ ମଦରୁ ୧୫୬.୭୩ କୋଟି ଟଙ୍କାର ଭାଟ୍ ଆଦାୟ ହୋଇଥିଲା। ରିଟର୍ଣ୍ଣ ଦାଖଲ ନିୟମକୁ ପାଳନ କରିବା ଲାଗି ଉଦ୍ୟମ କରାଯାଇଥିବାରୁ ସେପ୍ଟେମ୍ବରରେ ରିଟର୍ଣ୍ଣ ଦାଖଲରେ ୯୧.୭୯ ପ୍ରତିଶତ, ଅକ୍ଟୋବରରେ ୯୧.୨୫%, ନଭେମ୍ବରରେ ୮୮.୬୧ ପ୍ରତିଶତ ଓ ଡିସେମ୍ବରରେ ୭୭.୨୬ ପ୍ରତିଶତ ବୃଦ୍ଧି ଘଟିଛି। ତଥ୍ୟ ବିଶ୍ଳେଷଣ ବ୍ୟବସ୍ଥା ଓ ଆଭ୍ୟନ୍ତରୀଣ ଗୁଇନ୍ଦା ବ୍ୟବସ୍ଥାକୁ ଆଧାର କରି ଜାଲ୍ ବିଲ୍ ଜରିଆରେ ସମ୍ପୃକ୍ତ ଥିବା ‌ଅନେକ ରୢାକେଟ୍‌ର ପର୍ଦାଫାସ କରି ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି ବୋଲି ବାଣିଜ୍ୟ କର ଓ ଜିଏସ୍‌ଟି ଆୟୁକ୍ତଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର