ନୂଆଦିଲ୍ଲୀ: ଟିକସ ଆଦାୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଝଟ୍‌କା ଲାଗିଛି। ୨୦୧୮ ଡିସେମ୍ବରରେ ଜିଏସ୍‌ଟି ଆଦାୟ କମିଯାଇଛି। ଏହି ମାସରେ ୯୪,୭୨୬ କୋଟି ଟଙ୍କାର ଟିକସ ଆଦାୟ ହୋଇଛି। ନଭେମ୍ବରରେ ସରକାର ଏହା ଠାରୁ ଅଧିକ ୯୭,୬୩୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଥିଲେ। ଅର୍ଥ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ୨୦୧୮ ଡିସେମ୍ବରରେ ୧୬,୪୪୨ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୨୨,୪୫୯ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି, ୪୭,୯୩୬ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଏବଂ ୭୮୮୮ କୋଟି ଟଙ୍କାର ସେସ୍‌ ଆଦାୟ କରାଯାଇଛି। ଚଳିତ ଆର୍ଥିକ ବର୍ଷର ୯ ମାସ (ଏପ୍ରିଲ୍‌-ଡିସେମ୍ବର) ଭିତରେ ସରକାର ମୋଟ ୮.୭୧ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଛନ୍ତି। ଆୟ ତୁଳନାରେ ବ୍ୟାଙ୍କ ବହୁତ ଅଧିକ ହୋଇଯାଇଥିବାରୁ ବିତ୍ତୀୟ ନିଅଣ୍ଟ ସ୍ଥିତି ବେଲଗାମ ହୋଇପଡ଼ିଛି। ଏହା ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ସରକାର ଟିକସ ଆୟ ବଢ଼ାଇବାକୁ ଉଦ୍ୟମ କରୁଥିବା ବେଳେ ଜିଏସ୍‌ଟି ଆଦାୟ କମିବା ନିଶ୍ଚିତରୂପେ ସରକାରଙ୍କ ଚିନ୍ତା ବଢ଼ାଇବ। ଯେହେତୁ ଗତ ସପ୍ତାହରେ ୨୩ଟି ସାମଗ୍ରୀ ଓ ସେବା ଉପରୁ ଜିଏସ୍‌ଟି ହ୍ରାସ କରାଯାଇଛି। ଏହା ଦ୍ବାରା ଟିକସ ଆଦାୟ ୫୫୦୦ କୋଟି ଟଙ୍କା କମିଯିବ ବୋଲି ଆକଳନ କରାଯାଇଛି। ଯଦି ତାହା ସତ ହେବ ତେବେ ଜିଏସ୍‌ଟି ଆଦାୟ ଜାନୁଆରି ମାସରେ ଆହୁରି କମିଯିବ। ଚଳିତ ଆର୍ଥିକ ବର୍ଷରେ ସରକାର ୧୩.୪୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିବାକୁ ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଅର୍ଥାତ ପ୍ରତି ମାସରେ ହାରାହାରି ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ଆଦାୟ ହେଲେ ଏହି ଲକ୍ଷ୍ୟ ପୂରଣ ହୋଇପାରିବ।