ସେପ୍ଟେମ୍ବରରେ ଜିଏସଟି ସଂଗ୍ରହ ୧.୪୭ ଲକ୍ଷ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର ମାସରେ ଭାରତର ଜିଏସଟି ସଂଗ୍ରହ ୧ ଲକ୍ଷ ୪୭ ହଜାର ୬୮୬ କୋଟିକୁ ବୃଦ୍ଧି ପାଇଛି । ଏହା ଅଗଷ୍ଟର ଜିଏସଟି ସଂଗ୍ରହ ( ୧ଲକ୍ଷ ୪୩ ହଜାର କୋଟି)  ଠାରୁ ୨ ପ୍ରତିଶତ ଅଧିକ । ମାତ୍ର ଏହା ସେପ୍ଟେମ୍ବର ୨୦୨୧ର ଜିଏସଟି  ସଂଗ୍ରହ ( ୧ ଲକ୍ଷ ୧୭ ହଜାର କୋଟି)  ଠାରୁ ୨୬ ପ୍ରତିଶତ ଅଧିକ ।

ସେପ୍ଟେମ୍ବର ମାସରେ ସଂଗ୍ରହ ହୋଇଥିବା ୧୪୭,୬୮୬ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୨୫,୨୭୧ କୋଟି, ରାଜ୍ୟ ଜିଏସଟି ଟ.୩୧,୮୧୩ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୮୦,୪୬୪ କୋଟି ଟଙ୍କା ଓ ସେସ ୧୦,୧୩୭ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି  । ଏହି ମାସରେ ଓଡ଼ିଶାରେ ଜିଏସଟି ସଂଗ୍ରହ ୧୩ ପ୍ରତିଶତ ବୃଦ୍ଧି ପାଇ ୩୭୬୫ କୋଟିରେ ପହଞ୍ଚିଛି ।

ଏହା ସହିତ  ଚଳିତ ଆର୍ଥିକ ବର୍ଷରେ କ୍ରମାଗତ ୬ ମାସ ଧରି ଦେଶର ଜିଏସଟି ସଂଗ୍ରହ ୧ ଲକ୍ଷ ୪୦ ହଜାର କୋଟି ଉପରେ ରହିଛି । ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ମାନ୍ଦାବସ୍ଥା ଦେଖାଦେଇଥିବାବେଳେ ଏହା ଭାରତୀୟ ଅର୍ଥନୀତିର ଉତ୍ତମ ସ୍ବାସ୍ଥ୍ୟକୁ ଦର୍ଶାଉଛି । ଗତ ୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ଦେଶର ଜିଏସଟି ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ୨୦୨୧ରେ ୨ୟ ଲହର ଆସିବା ପରେ ଜିଏସଟି ସଂଗ୍ରହ ପୁଣି ଥରେ ପ୍ରଭାବିତ ହୋଇଥିଲା । କିନ୍ତୁ ମହାମାରୀ କମିବା ପରେ ଦେଶର ଅର୍ଥନୀତି ପୁଣି ସୁଧୁରିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର