ନଭେମ୍ବର ମାସରେ ଜିଏସଟି ରାଜସ୍ବ ୧ ଲକ୍ଷ ୩୧ ହଜାର କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ : ଗତ ନଭେମ୍ବର ମାସରେ ଦେଶର ଜିଏସଟି ରାଜସ୍ୱ ରେକର୍ଡ ୧ ଲକ୍ଷ ୩୧ ହଜାର କୋଟି ଟପିଯାଇଛି  ।  ଏହା ନଭେମ୍ବର୨୦୨୦ ତୁଳନାରେ ୨୫ ପ୍ରତିଶତ ଅଧିକ ହୋଇଥିବାବେଳେ ପୂର୍ବମାସ ଅର୍ଥାତ ଅକ୍ଟୋବର ୨୦୨୧  ତୁଳନାରେ  ପ୍ରାୟ ୦.୭ ପ୍ରତିଶତ ଅଧିକ ।  ଅକ୍ଟୋବରରେ ୧.୩୦ ଲକ୍ଷ କୋଟି ଜିଏସଟି ସଂଗ୍ରହ ହୋଇଥିଲା ।

ଗତ ୨୦୧୭ ଜୁଲାଇ ମାସରେ ଦେଶରେ ଜିଏସଟି ଲାଗୁ ହେବା ପରେ ଏହା ହେଉଛି ୨ୟ ସର୍ବାଧିକ ମାସିକ ଜିଏସଟି ସଂଗ୍ରହ । ପୂର୍ବରୁ ଗତ ଏପ୍ରିଲ ମାସରେ ରେକର୍ଡ ୧ ଲକ୍ଷ ୪୨ ହଜାର କୋଟିର ଜିଏସଟି ସଂଗ୍ରହ କରାଯାଇଥିଲା ।

ସେପ୍ଟେମ୍ବର ମାସରେ ସଂଗ୍ରହ ହୋଇଥିବା ୧.୩୧ ଲକ୍ଷ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୨୩୯୭୮ କୋଟି, ରାଜ୍ୟ ଜିଏସଟି ଟ.୩୧,୧୨୭ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୬୬,୮୧୫ କୋଟି ଟଙ୍କା ଓ ସେସ ୯୬୦୬ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି  ।

ପ୍ରଥମ ତିନିମାସରେ କରୋନା ମହାମାରୀର ୨ୟ ଲହରର ପ୍ରକୋପ ଅଧିକ ଥିବାରୁ ବିଭିନ୍ନ ରାଜ୍ୟ ପୁଣି ଥରେ ଲକଡାଉନ ଲାଗୁ କରିଥିଲେ । ଏହା ଫଳରେ ଅର୍ଥନୀତି ପ୍ରଭାବିତ ହେବା ସହ ଜିଏସଟି ରାଜସ୍ବ ହ୍ରାସ ପାଇଥିଲା । ତେବେ କରୋନାର ପ୍ରକୋପ କମିବା ସହ ଲକଡାଉନ କଟକଣା କୋହଳ ହେବା ସହ ଅର୍ଥନୈତିକ କାର୍ଯ୍ୟକଳାପ  ସ୍ବାଭାବିକ ହୋଇଥିଲା । ଏହା ଜିଏସଟି ରାଜସ୍ବ ବୃଦ୍ଧିର କାରଣ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର