କ୍ରମାଗତ ଦୁଇ ମାସ ଧରି କମିଲା ଜିଏସଟି ରାଜସ୍ୱ ସଂଗ୍ରହ, ଜୁନ ମାସରେ ୧ ଲକ୍ଷ କୋଟି ତଳକୁ ଖସିଲା

ନୂଆଦିଲ୍ଲୀ : ଗତ ଏପ୍ରିଲ ମାସରେ ରେକର୍ଡ ଜିଏସଟି ସଂଗ୍ରହ ପରେ ଗତ ଦୁଇ ମାସ ଧରି କ୍ରମାଗତଭାବେ ଜିଏସଟି ସଂଗ୍ରହ ହ୍ରାସ ପାଇଛି । ଜୁନ ମାସରେ ଜିଏସଟି ରାଜସ୍ୱ ସଂଗ୍ରହ ୧ ଲକ୍ଷ କୋଟି ତଳକୁ ହ୍ରାସ ପାଇଛି ।

ଜୁନ ମାସରେ ଜିଏସଟି ସଂଗ୍ରହ ପରିମାଣ ୯୯,୯୩୯ କୋଟିକୁ ହ୍ରାସ ପାଇଛି । ଏହା ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୧୮,୩୩୬ କୋଟି, ରାଜ୍ୟ ଜିଏସଟି ଟ.୨୫,୩୪୩ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୪୭,୭୭୨ କୋଟି ଟଙ୍କା ଓ ସେସ ୮୪୫୭ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଗତ ଏପ୍ରିଲ ଓ ମେ ମାସ ତୁଳନାରେ ଜୁନ ମାସର ଜିଏସଟି ଆଦାୟ ହ୍ରାସ ପାଇଥିଲେ ମଧ୍ୟ ଏହା ଗତ ବର୍ଷର ଜୁନ ମାସ ତୁଳନାରେ ପ୍ରାୟ ୪.୫୨ ପ୍ରତିଶତ ଅଧିକ । ୨୦୧୮ ମେ ମାସରେ ଜିଏସଟି ଆଦାୟ ପରିମାଣ ଟ.୯୫,୬୧୦ କୋଟି ଥିଲା । ୨୦୧୮-୧୯ରେ ହାରାହାରି ମାସିକ ଜିଏସଟି ଆଦାୟ ୯୮,୧୧୪ କୋଟି ଟଙ୍କା ରହିଥିଲା । ତେବେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସରକାର ଜିଏସଟି ସଂଗ୍ରହ ଟାର୍ଗେଟକୁ ୧୩.୭୧ ଲକ୍ଷ କୋଟିରୁ ହ୍ରାସ କରି ୧୧.୪୭ ଲକ୍ଷ କୋଟି କରିଥିଲେ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି ଆଦାୟ ଲକ୍ଷ୍ୟ ୧୩.୭୧ ଲକ୍ଷ କୋଟି ରଖାଯାଇଛି ।

ସମ୍ବନ୍ଧିତ ଖବର