ଜିଏସ୍‌ଟି କ୍ଷତିପୂରଣ, ପ୍ରଥମ ବିକଳ୍ପକୁ ଗ୍ରହଣ କଲେ ସବୁ ରାଜ୍ୟ

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ନେଇ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ କେନ୍ଦ୍ର ସରକାର ପ୍ରଦାନ କରିଥିବା ଦୁଇଟି ବିକଳ୍ପ ମଧ୍ୟରୁ ପ୍ରଥମ ବିକଳ୍ପକୁ ‌ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗ୍ରହଣ କରିଛନ୍ତି। ଜିଏସ୍‌ଟି ପରିଷଦରେ ଥିବା ୩୧ ସଦସ୍ୟଙ୍କ ମଧ୍ୟରୁ ଝାଡ଼ଖଣ୍ଡକୁ ବାଦ ଦେଲେ ଅନ୍ୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଥମ ବିକଳ୍ପକୁ ପୂର୍ବରୁ ଗ୍ରହଣ କରି ସାରିଥିଲେ।  କିନ୍ତୁ ଶେଷ ରାଜ୍ୟ ଭାବେ ଝାଡ଼ଖଣ୍ଡ କେନ୍ଦ୍ରର ପ୍ରଥମ ବିକଳ୍ପକୁ ଗ୍ରହଣ କରିଛି ବୋଲି ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି। ଗତ ଅଗଷ୍ଟ ୨୭ ତାରିଖରେ ହୋଇଥିବା ଜିଏସ୍‌ଟି ପରିଷଦର ୪୧ତମ ବୈଠକରେ କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଥିଲା। ପ୍ରଥମ ବିକଳ୍ପରେ ରାଜ୍ୟଗୁଡ଼ିକୁ ୯୭ ହଜାର କୋଟି ଟଙ୍କା ଋଣ କରିବାକୁ କୁହାଯାଇଥିଲା। ଏଥିରେ ରାଜ୍ୟଗୁଡ଼ିକୁ ମୂଳଧନ କିମ୍ବା ସୁଧ ବାବଦରେ କୌଣସି ଅର୍ଥ ଦେବାର ବ୍ୟବସ୍ଥା ନାହିଁ। ପରେ ଏହି ସୀମାକୁ ୧.୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଦ୍ବିତୀୟ ବିକଳ୍ପ ଭାବେ ରାଜ୍ୟଗୁଡ଼ିକୁ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ସୁବିଧା ଦିଆଯାଇଥିଲା।

ସମ୍ବନ୍ଧିତ ଖବର