ଜିଏସ୍‌ଟି କ୍ଷତିପୂରଣ : ପ୍ରଥମ ଦଫାରେ କେନ୍ଦ୍ର ଦେଲା ୬୦୦୦ କୋଟି, ଓଡ଼ିଶା ସମେତ ୧୬ଟି ରାଜ୍ୟକୁ ହସ୍ତାନ୍ତର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପ୍ରଥମ ଦଫାରେ ୬୦୦୦ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ରାଶି ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ନିଜେ ଋଣ କରିବା ପରେ ଏହି ଟଙ୍କା ରାଜ୍ୟଗୁଡ଼ିକୁ ଦେଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, କର୍ଣ୍ଣା‌ଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ଓଡ଼ିଶା, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଭଳି ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ପାଣ୍ଠି ହସ୍ତାନ୍ତର କରାଯାଇଛି।

ଜିଏସ୍‌ଟି କ୍ଷତିପୂରଣ ପାଇଥିବା ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ହେଉଛି ଦିଲ୍ଲୀ ଏବଂ ଜମ୍ମୁ ଓ କାଶ୍ମୀର। କେନ୍ଦ୍ର ସରକାର ୫.୧୯ ପ୍ରତିଶତ ସୁଧ ହାରରେ ଏହି ଋଣ କରିଛନ୍ତି। ଏହାର ଅବଧି ୩-୫ ବର୍ଷ ରହିଛି। ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଭିତରେ ଦୀର୍ଘଦିନ ପର୍ଯ୍ୟନ୍ତ ମତ ପାର୍ଥକ୍ୟ ରହିବା ପରେ ଶେଷରେ କେନ୍ଦ୍ର ସରକାର ନିଜେ ଋଣ କରିବାକୁ ରାଜି ହୋଇଥିଲେ। ରାଜ୍ୟଗୁଡ଼ିକ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ରାଶି ଯୋଗାଡ଼ କରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏହି ଋଣ ସରକାରଙ୍କ ବିତ୍ତୀୟ ନିଅଣ୍ଟ ଗଣିତକୁ ପ୍ରଭାବିତ କରିବ ନାହିଁ। ରାଜ୍ୟଗୁଡ଼ିକ ଖାତାରେ ଏହା ପୁଞ୍ଜି ଆୟ ଭାବେ ପ୍ରଦର୍ଶିତ ହେବ। କରୋନା ମହାମାରୀ ପ୍ରଭାବରେ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା କାରଣରୁ ଚଳିତ ବର୍ଷ ଜିଏସ୍‌ଟି କ୍ଷତିପୂରଣ ରାଶି ଯୋଗାଡ଼ କରିବାକୁ କେନ୍ଦ୍ର ସରକାର ଅକ୍ଷମତା ପ୍ରକାଶ କରିଥିଲେ।

ଚଳିତ ବର୍ଷ ରାଜ୍ୟଗୁଡ଼ିକୁ ୩ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଦେବାକୁ ପଡ଼ିବ। କିନ୍ତୁ ସେହି ଟଙ୍କା ଯୋଗାଡ଼ କରିବା ଲାଗି ଯେଉଁ ସେସ୍‌ ଲାଗୁ କରାଯାଇଛି ସେଥିରୁ ଅତିବେଶିରେ ୬୫ ହଜାର କୋଟି ଟଙ୍କା ଆଦାୟ ହେବ ବୋଲି ସରକାର ଆକଳନ କରିଛନ୍ତି। ଅର୍ଥାତ ୨.୩୫ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ରାଶି ଅଭାବ ଦେଖାଦେଇଛି। ଏହି ଟଙ୍କାକୁ ଋଣ ମାଧ୍ୟମରେ ହାସଲ କରିବା ଲାଗି ‌‌କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସ୍‌ଟି ପରିଷଦ ବୈଠକରେ ରାଜ୍ୟଗୁଡ଼ିକୁ ଦୁଇଟି ପ୍ରସ୍ତାବ ଦେଇଥିଲେ। ପ୍ରଥମ ପ୍ରସ୍ତାବଟି ଥିଲା ରାଜ୍ୟଗୁଡ଼ିକ ଯଦି ୯୭ ହଜାର କୋଟି ଟଙ୍କାର ଋଣ କରିବେ ତାହା ସେମାନଙ୍କ ଖାତାରେ ଋଣ ଭାବେ ପ୍ରଦର୍ଶିତ ହେବ ନାହିଁ। ସେସ୍‌ ବାବଦ ଟଙ୍କା ମିଳିବା ପରେ ରାଜ୍ୟଗୁଡ଼ିକ ଏହି ଋଣ ପରିଶୋଧ କରିପାରିବେ। ଦ୍ବିତୀୟ ବିକଳ୍ପଟି ଥିଲା ରାଜ୍ୟଗୁଡ଼ିକ ସମ୍ପୂର୍ଣ୍ଣ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ନେଇପାରିବେ କିନ୍ତୁ ତାହା ସେମାନଙ୍କୁ ନିଜ ହାତରୁ ଶୁଝିବାକୁ ପଡ଼ିବ। ପାଖାପାଖି ୨୧ଟି ରାଜ୍ୟ ପ୍ରଥମ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ମାତ୍ର କୌଣସି ପରିସ୍ଥିତିରେ ଋଣ କରିବେ ନାହିଁ ‌ବୋଲି ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ଅଡ଼ି ବସିଥିଲେ। ଶେଷରେ ବାଧ୍ୟ ହୋଇ କେନ୍ଦ୍ର ସରକାର ନିଜେ ଋଣ କରି କ୍ଷତିପୂରଣ ରାଶି ଦେବେ ବୋଲି ଘୋଷଣା କରିଥିଲେ। ସେହି ପ୍ରସ୍ତାବକୁ ଏ‌ପର୍ଯ୍ୟନ୍ତ କିଛି ରାଜ୍ୟ ଗ୍ରହଣ କରିନାହାନ୍ତି। ତେବେ ଯେଉଁ ରାଜ୍ୟଗୁଡ଼ିକ କେନ୍ଦ୍ର ପ୍ରସ୍ତାବରେ ରାଜି ହୋଇଛନ୍ତି ସେମାନଙ୍କୁ ଆଜି ପ୍ରଥମ ଦଫା ଟଙ୍କା ଦିଆଯାଇଛି।

ସମ୍ବନ୍ଧିତ ଖବର