ଜିଏସ୍‌ଟି କ୍ଷତିପୂରଣ ସେସ୍‌ ଆଉ ୪ ବର୍ଷ: ଚଳିତ ମାସରେ ଶେଷ ହେଉଥିଲା, ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି

୨୦୨୬ ମାର୍ଚ୍ଚ ଯାଏଁ ଆଦାୟ ହେବ, ଋଣ ଓ ମୂଳଧନ ପରିଶୋଧରେ ଲାଗିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ‌ସେସ୍‌ ଆଉ ପାଖାପାଖି ୪ ବର୍ଷ ଆଦାୟ କରିବେ। ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ଆଦାୟ କରାଯିବ। ସାମଗ୍ରୀ ଓ ସେବା ଟିକସ (ସେସ ଲାଗୁ ଓ ଆଦାୟ ଅବଧି) ନିୟମ ୨୦୨୨ ଅନୁଯାୟୀ ଅର୍ଥ ମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରିଛି। ଏଥିରେ ଉକ୍ତ କ୍ଷତିପୂରଣ ସେସ୍‌ ୨୦୨୨ ଜୁଲାଇ ୧ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆଦାୟ ହେବ ବୋଲି ଉଲ୍ଲେଖ ରହିଛି।

ଜିଏସ୍‌ଟି ପାଇଁ ୨୦୧୭ରେ ହୋଇଥିବା ବ୍ୟବସ୍ଥା ଅନୁଯାୟୀ, ସେସ୍‌ ଆଦାୟ ୨୦୨୨ ଜୁନ ୩୦ରେ ବନ୍ଦ ହେବା କଥା। କିନ୍ତୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗତ ସେପ୍ଟେମ୍ବରରେ ଲ‌କ୍ଷ୍ନୌଠାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୪୫ତମ ବୈଠକ ପରେ ଅର୍ଥମନ୍ତ୍ରୀ କହିଥିଲେ ଭାଟ୍ ପରିବର୍ତ୍ତେ ଜିଏସଟି ଲାଗୁ ହେବା ଦ୍ବାରା ରାଜ୍ୟଗୁଡ଼ିକ ଟିକସ ଆଦାୟ ରାଶିରେ ଯେଉଁ କ୍ଷତି ସହିବେ ସେ ବାବଦ କ୍ଷତିପୂରଣ ୨୦୨୨ ଜୁନରେ ଶେଷ ହେବ। କିନ୍ତୁ ବିଳାସପୂର୍ଣ୍ଣ ସାମଗ୍ରୀ ସମେତ ସ୍ବାସ୍ଥ୍ୟ ଏବଂ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସାମଗ୍ରୀ ଉପରେ କ୍ଷତିପୂରଣ ସେସ୍‌ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଆଦାୟ ହେବ। ଉକ୍ତ ସେସ୍ ତମାଖୁ, ସିଗାରେଟ, ହୁକା, ଏରେଟେଡ ୱାଟର, ହାଇ ଏଣ୍ଡ ମଟରସାଇକଲ,ଏୟାରକ୍ରାଫ୍ଟ, ୟାଟ୍‌ ଏବଂ ଦାମୀ ଗାଡ଼ି ଉପରୁ ସାଧାରଣତଃ ଆଦାୟ ହେଉଛି। ୨୦୨୦-୨୧ ଓ ୨୦୨୧-୨୨ରେ ରାଜ୍ୟଗୁଡ଼ିକୁ ଜିଏସଟି ଆଦାୟ ବାବଦ କ୍ଷତି ପାଇଁ ପ୍ରଦାନ ହୋଇଥିବା ଋଣ ପରିଶୋଧ ବାବଦରେ ଉକ୍ତ ଅର୍ଥ ବ୍ୟୟ ହେବ। ରାଜ୍ୟଗୁଡ଼ିକର ଜିଏସ୍‌ଟି ଆଦାୟ ଜନିତ ହ୍ରାସର କ୍ଷତି ଭରଣା କରିବା ପାଇଁ ୨୦୨୦-୨୧ରେ କେନ୍ଦ୍ର ସରକାର ୧.୧ ଲକ୍ଷ କୋଟି ଟଙ୍କା ଏବଂ ୨୦୨୧-୨୨ରେ ୧.୫୯ ଲକ୍ଷ କୋଟି ଟଙ୍କାର ଋଣ କରିଥିଲେ। ୨୦୨୧-୨୨ରେ କେନ୍ଦ୍ର ସରକାର ସୁଧ ପରିଶୋଧ ବାବଦରେ ୭୦୦୦ କୋଟି ଟଙ୍କା ଦେଇଥିବାବେଳେ ଚଳିତ ଆର୍ଥିକବର୍ଷରେ ୧୪୦୦୦ କୋଟି ଟଙ୍କା ପ୍ରଦାନ କରିବେ। ୨୦୨୩-୨୪ ଆର୍ଥିକ ବର୍ଷରୁ କିନ୍ତୁ ଋଣର ମୂଳ ଅର୍ଥ ପରିଶୋଧ କରାଯିବ ଏବଂ ଏହା ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ।

ଉଲ୍ଲେଖଯୋଗ୍ୟ, ୨୦୧୭ ଜୁଲାଇ ପହିଲାରୁ ଦେଶରେ ଜିଏସ୍‌ଟି ଲାଗୁ କରାଯାଇଛି। ସେବେଠାରୁ ରାଜ୍ୟଗୁଡ଼ିକୁ ନୂଆ ଟିକସ ଲାଗୁଜନିତ କ୍ଷତିପୂରଣ ପ୍ରଦାନ କରାଯାଇ ଆସୁଛି। ୫ ବର୍ଷ ପାଇଁ ଏହି କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା ଥିଲା। ତେଣୁ ଏହାର ଅବଧି ଚଳିତମାସରେ ଶେଷ ହେଉଛି। ଯଦିଓ ରାଜ୍ୟଗୁଡ଼ିକର ରାଜସ୍ବ ବାର୍ଷିକ ଚକ୍ରବୃଦ୍ଧି ୧୪ ପ୍ରତିଶତ ହାରରେ ବୃଦ୍ଧି ପାଉଛି ତଥାପି ସେସ୍ ଆଦାୟ ସେହି ଅନୁପାତରେ ବଢ଼ୁନାହିଁ। ଏଥିସହିତ କୋଭିଡ-୧୯ ରାଜସ୍ବ ଆଦାୟ ସମସ୍ୟାକୁ ଆହୁରି ଜଟିଳ କରିଦେଇଛି। ଅବଶ୍ୟ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ରାଶି ୨୦୨୨ ମେ ୩୧ ପର୍ଯ୍ୟନ୍ତ ପ୍ରଦାନ କରିସାରିଛନ୍ତି। ସେସ୍ ଆଦାୟ ଅବଧି ବୃଦ୍ଧି ଦ୍ବାରା ଅଟୋମୋବାଇଲ ଠାରୁ ଅନ୍ୟାନ୍ୟ କ୍ଷେତ୍ରର ବ୍ୟବସାୟ ପ୍ରଭାବିତ ହେବ। ତେବେ ଜିଏସ୍‌ଟି କ୍ଷତିପୂରଣ ରାଶି ୫ ବର୍ଷ ପରେ ପ୍ରଦାନ କରାଯିବ କି ନାହିଁ ତାହା ଚଣ୍ଡୀଗଡ଼ଠାରେ ଆସନ୍ତା ୨୮ ଓ ୨୯ ତାରିଖରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର