ଜିଏସ୍ଟି କ୍ଷତିପୂରଣ ପ୍ରସଙ୍ଗ: କେନ୍ଦ୍ର ଦେଲା ଦୁଇଟି ବିକଳ୍ପ, ନିଷ୍ପତ୍ତି ନେବା ପାଇଁ ରାଜ୍ୟଗୁଡ଼ିକୁ ୭ ଦିନ ସମୟ
ବୈଠକର ଫଳାଫଳରେ କଂଗ୍ରେସ ଅସନ୍ତୁଷ୍ଟ
ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) କ୍ଷତିପୂରଣ ରାଶିକୁ ନେଇ ଆଜି ଜିଏସ୍ଟି ପରିଷଦ ବୈଠକରେ କେନ୍ଦ୍ର ଓ ରାଜ୍ୟ ଭିତରେ ରହିଥିବା ମତଭେଦ ଦେଖାଦେଇଥିଲା। ଏହି ସମସ୍ୟାର ସମାଧାନ ଋଣ ଜରିଆରେ କରିବାକୁ କେନ୍ଦ୍ର ପ୍ରସ୍ତାବ ଦେଇଛି। ଏହା ପୂର୍ବରୁ ଜିଏସ୍ଟିକୁ ନେଇ ବର୍ତ୍ତମାନର ସ୍ଥିତି କ’ଣ ରହିଛି ତାହା ରାଜ୍ୟଗୁଡ଼ିକୁ ଅବଗତ କରାଯାଇଛି। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି, ଏବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୨.୩୫ ଲକ୍ଷ କୋଟି ଟଙ୍କାର କମ୍ ଜିଏସ୍ଟି ଆଦାୟ ହେବ। କରୋନା ମହାମାରୀ ପ୍ରଭାବରେ ଜିଏସ୍ଟି ଆଦାୟ ଗୁରୁତର ଭାବେ ପ୍ରଭାବିତ ହେବ। ବାସ୍ତବରେ ପ୍ରାୟ ୯୭ ହଜାର କୋଟି ଟଙ୍କାର ଜିଏସ୍ଟି ଆଦାୟ କମିବ। ଏହି ଗଣିତକୁ ବିଚାରକୁ ନେଇ କ୍ଷତିପୂରଣ ରାଶି ପାଇଁ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଛି। ପ୍ରଥମ ବିକଳ୍ପଟି ହେଉଛି, ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ଆଲୋଚନା କରି ରାଜ୍ୟଗୁଡ଼ିକୁ ପାଇଁ ଏକ ସ୍ବତନ୍ତ୍ର ୱିଣ୍ଡୋର ବ୍ୟବସ୍ଥା କରାଯିବ। ସେଥିରୁ ରାଜ୍ୟଗୁଡ଼ିକୁ ସୁଲଭ ମୂଲ୍ୟର ସୁଧ ହାରରେ ୯୭ ହଜାର କୋଟି ଟଙ୍କାର ଋଣ ନେଇପାରିବେ। ସେହି ଟଙ୍କାକୁ ସେମାନେ ପାଞ୍ଚ ବର୍ଷ ପରେ ପରିଶୋଧ କରିବେ। ଦ୍ବିତୀୟ ବିକଳ୍ପଟି ହେଉଛି, ସେହି ସ୍ବତନ୍ତ୍ର ବ୍ୟବସ୍ଥାରୁ ରାଜ୍ୟଗୁଡ଼ିକ ସମ୍ପୂର୍ଣ୍ଣ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ନେଇପାରିବେ। ଏଫ୍ଆର୍ବିଏମ୍ ନିୟମକୁ କୋହଳ କରି ରାଜ୍ୟଗୁଡ଼ିକର ଋଣକୁ ନେଇ ଯେଉଁ ସୀମା ଧାର୍ଯ୍ୟ କରାଯାଇଛି ତାହାକୁ ଆଉ ୦.୫% କୋହଳ କରାଯିବ ବୋଲି ସରକାର କହିଛନ୍ତି। ଏହି ବିକଳ୍ପଗୁଡ଼ିକ ଉପରେ ନିଷ୍ପତ୍ତି ନେବା ଲାଗି ରାଜ୍ୟଗୁଡ଼ିକୁ ସାତ ଦିନର ସମୟ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେ ବର୍ତ୍ତମାନର ସ୍ଥିତିକୁ ‘ଭଗବାନଙ୍କ କାର୍ଯ୍ୟ’ (ଆକ୍ଟ ଅଫ୍ ଗଡ୍) ଭାବେ ଅଭିହିିିତ କରିଛନ୍ତି।
ଏହି ଦୁଇ ବିକଳ୍ପ ଉପରେ ବିଶେଷଜ୍ଞମାନଙ୍କ ମତ ହେଉଛି, କମ୍ ସୁଧରେ ରିଜର୍ଭ ବ୍ୟାଙ୍କ ଠାରୁ ଋଣ ଆଣିବା ପଦକ୍ଷେପ ସ୍ବାଗତଯୋଗ୍ୟ। ମାତ୍ର ରାଜ୍ୟଗୁଡ଼ିକ ଦୃଷ୍ଟିରୁ ଯଦି ଏହି ବିକଳ୍ପକୁ ବିଚାର କରାଯିବ ତେବେ ଏହା ଭିତରେ ଆହୁରି ଅନେକ ପ୍ରକାର କଠୋର ସର୍ତ୍ତ ରହିଥାଇପାରେ ବୋଲି କୁହାଯାଇପାରିବ। ଏହାର ଅର୍ଥ ହେଉଛି ଜିଏସ୍ଟି କ୍ଷତିପୂରଣକୁ ନେଇ ରହିଥିବା ସମସ୍ୟାର ସମାଧାନ ହୋଇନାହିଁ। ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହେବା ଲାଗି ଆହୁରି ସମୟ ଲାଗିବ। ଆହୁରି ବୈଠକ ଡକାଇବାକୁ ପଡ଼ିବ। ଯଦି କେନ୍ଦ୍ର ପ୍ରସ୍ତାବକୁ ରାଜ୍ୟଗୁଡ଼ିକ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ଶେଷ ବିକଳ୍ପଟି ହେଉଛି ସେସ୍ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକ ଦାବି କରିବେ। କ୍ଷତିପୂରଣ ରାଶି ଯୋଗାଡ଼ କରିବା ଲାଗି ଅଧିକରୁ ଅଧିକ ସାମଗ୍ରୀକୁ ସେସ୍ ପରିସରକୁ ଆଣିବା ଏବଂ ସେସ୍ର ମାତ୍ରା ବଢ଼ାଇବା ଲାଗି ରାଜ୍ୟଗୁଡ଼ିକ ଦାବି କରିପାରିବେ।
ଜିଏସ୍ଟି ପରିଷଦ ବୈଠକର ଫଳାଫଳକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। ପଞ୍ଜାବର ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ କହିଛନ୍ତି ଯେ ରାଜ୍ୟଗୁଡ଼ିକ ଉପରେ କେନ୍ଦ୍ର ସରକାର ନିଷ୍ପତ୍ତି ଲଦି ଦେବାକୁ ଚାହୁଛନ୍ତି। ମାତ୍ର ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ସଂଖ୍ୟା ଗରିଷ୍ଠତାର ଫାଇଦା ଉଠାଇବାକୁ ଉଦ୍ୟମ କରୁଥିବା ସେ ଦାବି କରିଛନ୍ତି। କେନ୍ଦ୍ର ସରକାର ନିଜେ ଋଣ କରି ରାଜ୍ୟଙ୍କୁ କ୍ଷତିପୂରଣ ଦିଅନ୍ତୁ ବୋଲି ପଞ୍ଜାବ ଓ କେରଳ ପ୍ରସ୍ତାବ ଦେଇଥିଲେ। ମାତ୍ର କେନ୍ଦ୍ର ଓ ବିହାର ରାଜ୍ୟଗୁଡ଼ିକୁ ନିଜ ଆଡ଼ୁ ଋଣ କରିବାକୁ କହିଥିଲେ। ତମାଖୁ ଉପରେ ସେସ୍ ବଢ଼ାଇବା ଲାଗି ମଧ୍ୟ କିଛି ରାଜ୍ୟ ପ୍ରସ୍ତାବ ଦେଇଥିଲେ। କ୍ଷତିପୂରଣ ରାଶି ଦେବାର ଅବଧିକୁ ୨୦୨୨ ଠାରୁ ଆହୁରି ଆଗକୁ ବଢ଼ାଇବା ଲାଗି ମଧ୍ୟ କିଛି ରାଜ୍ୟ କହିଥିଲେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ୨୧,୯୪୦ କୋଟି ଟଙ୍କାର ସେସ୍ ଆଦାୟ ହୋଇଛି ଯାହା ଗତବର୍ଷ ତୁଳନାରେ ୩୩ ପ୍ରତିଶତ କମ୍। ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ଦେବା ଲାଗି ପ୍ରତି ମାସରେ ୨୬ ହଜାର କୋଟି ଟଙ୍କାର ସେସ୍ ଆଦାୟ ହେବା ଦରକାର।