ଜିଏସ୍‌ଟି ଆଦାୟ ୧୦ ହଜାର କୋଟି କମିଲା:ନଭେମ୍ବରରେ ମିଳିଲା ୮୩,୩୪୬ କୋଟି

ନୂଆଦିଲ୍ଲୀ: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌୍‌ଟି) ଆଦାୟ ପରିମାଣ ନଭେମ୍ବରରେ ୧୦ ହଜାର କୋଟି ଟଙ୍କାରୁ ଅଧିକ ହ୍ରାସ ପାଇଛି। ନଭେମ୍ବର ୨୭ ସୁଦ୍ଧା ୮୩,୩୪୬ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି ଯାହା ପୂର୍ବ ମାସଗୁଡ଼ିକର ହାରାହାରି ଆଦାୟ ରାଶିଠାରୁ ୧୦ ହଜାର ଟଙ୍କାରୁ ଅଧିକ କମ୍‌।
ସେପ୍ଟେମ୍ବରରେ ୯୩,୧୪୧ କୋଟି ଟଙ୍କା ଏବଂ ଅକ୍ଟୋବରରେ ୯୫,୧୩୧ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଅକ୍ଟୋବର ମାସ ପାଇଁ ୫୦ ଲକ୍ଷରୁ ଅଧିକ ବ୍ୟବସାୟୀ ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି।
ଅଗଷ୍ଟଠାରୁ ନଭେମ୍ବର ପର୍ଯ୍ୟନ୍ତ ଚାରି ମାସରେ ରାଜ୍ୟଗୁଡ଼ିକ ୮୭,୨୩୮ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଆଦାୟ କରିଛନ୍ତି। ବିଭିନ୍ନ ବିଷୟ ହିସାବକୁ ନେବା ପରେ ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ତିନି ମାସ ପାଇଁ ରାଜ୍ୟଗୁଡ଼ିକୁ ୩୧,୮୨୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ନଭେମ୍ବର ମାସ ପାଇଁ ରାଜ୍ୟଗୁଡ଼ିକୁ ୧୩,୮୮୨ କୋଟି ଟଙ୍କା ପ୍ରଦାନ କରାଯିବାର ସମ୍ଭାବନା ରହିଛି।
ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ ରାଜ୍ୟଗୁଡ଼ିକୁ ଟିକସ କ୍ଷତିପୂରଣ ବାବଦରେ ୧୦,୮୦୬ କୋଟି ଟଙ୍କା ଦିଆଯାଇଥିଲା। ଅକ୍ଟୋବର ଏବଂ ନଭେମ୍ବର ମାସ ପାଇଁ କ୍ଷତିପୂରଣ ବାବଦରେ ୧୩,୬୯୫ କୋଟି ଟଙ୍କା ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଜିଏସ୍‌ଟି ଆଦାୟରେ କୌଣସି ପ୍ରକାର ହ୍ରାସ ହେଲେ ରାଜ୍ୟଗୁଡ଼ିକୁ ସେଥିରୁ ସୁରକ୍ଷା ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର କ୍ଷତିପୂରଣ ନିୟମ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୨୦୧୫-୧୬କୁ ଆଧାର ବର୍ଷ ଭାବେ ଗ୍ରହଣ କରାଯାଇଛି। ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ଚାରି ମାସରେ କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ମୋଟ ୫୮,୫୫୬ କୋଟି ଟଙ୍କା ଆଦାୟ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଜିଏସ୍‌ଟି ଲାଗୁ ହେବା ଦିନଠାରୁ ଏହାର ପ୍ରଭାବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ଠିକ୍‌ ଭାବେ ଲାଗୁ କରାଯାଇନାହିଁ ବୋଲି ବିଭିନ୍ନ ମହଲ ପକ୍ଷରୁ କୁହାଯାଉଛି। ଜିଏସ୍‌ଟିର ସରଳୀକରଣ କରିବା ପାଇଁ ସରକାର ନିକଟରେ କେତେକ ପଦକ୍ଷେପ ଘୋଷଣା କରିଛନ୍ତି। ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ବ୍ୟବସ୍ଥାର ସରଳୀକରଣ କରାଯାଇଛି। ଏହା ବାଦ ୨୦୦ରୁ ଅଧିକ ସାମଗ୍ରୀ ଉପରେ ଟିକସ ସ୍ଲାବ୍‌କୁ ହ୍ରାସ କରାଯାଇଛି। ଉଭୟ ଗ୍ରାହକ ଏବଂ ବ୍ୟବସାୟୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପଦକ୍ଷେପର ପ୍ରଭାବ ଆଗାମୀ ଦିନରେ ଦେଖିବାକୁ ମିଳିବ। ନଭେମ୍ବର ଜିଏସ୍‌ଟି ଆଦାୟରେ ଏହାର କୌଣସି ପ୍ରଭାବ ନଥିଲା।

ସମ୍ବନ୍ଧିତ ଖବର