ଚଣ୍ଡିଗଡ଼: ବହୁ ସାମଗ୍ରୀ ଓ ସେବାର ଟିକସ ହାର ବୃଦ୍ଧି ପାଇଛି। କେତେକ ନୂଆ ସାମଗ୍ରୀ ଉପରେ ଟିକସ ଲାଗୁ କରାଯାଇଛି। ଫଳରେ ଏହି ସବୁ ସାମଗ୍ରୀ ଓ ସେବା ମହଙ୍ଗା ହେବ। ଚଣ୍ଡିଗଡ଼ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଜିଏସ୍ଟି ପରିଷଦର ୪୭ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଟିକସ ବୃଦ୍ଧି ନିଷ୍ପତ୍ତିକୁ ଜୁଲାଇ ୧୮ରୁ ଲାଗୁ କରାଯିବ। ସେହି ଦିନରୁ ବହୁ ସାମଗ୍ରୀ ଓ ସେବା ମହଙ୍ଗା ହେବ। ଇଲେକ୍ଟ୍ରିକ୍ ଗାଡ଼ି ଉପରେ ୫% ଟିକସ ଲାଗୁ କରାଯାଇଥିବା ବେଳେ ଫ୍ଲାଏ ଆସ୍ ଇଟା ଉପରେ ମଧ୍ୟ ସମାନ ଟିକସ ଲାଗୁ କରାଯାଇଛି। ଆମ୍ବ ଓ ସେଥିରୁ ପ୍ରସ୍ତୁତ ଉତ୍ପାଦ ଉପରେ ୧୨% ଜିଏସ୍ଟି ଲଗାଯାଇଛି। ସତେଜ ଆମ୍ବ ଉପରେ ଟିକସ ଲାଗିବ ନାହିଁ। ଜିଏସ୍ଟି ପେମେଣ୍ଟ୍ ଲାଗି ୟୁପିଆଇ ଓ ଆଇଏମ୍ପିଏସ୍ ସୁବିଧା ଉପଲବ୍ଧ କରାଯିବ। ଅନଲାଇନ୍ ଗେମିଂ, କାସିନୋ ରେସ୍ କୋର୍ସ ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ଦେଇଥିବା ପ୍ରସ୍ତାବକୁ ପୁନର୍ବାର ତର୍ଜମା କରିବା ଲାଗି ନିଷ୍ପତ୍ତି ହୋଇଛି। ଜିଏସ୍ଟି ଆପିଲିଟ ଟ୍ରିବ୍ୟୁନାଲ ଓ କେନ୍ଦ୍ରୀୟ ଜିଏସ୍ଟି ନିୟମରେ ହୋଇଥିବା ସଂଶୋଧନ ଉପରେ ରାଜ୍ୟଗୁଡ଼ିକ ଉଠାଇଥିବା ଆପତ୍ତିର ସମାଧାନ ସୂତ୍ର ଜଣାଇବା ଲାଗି ଏକ ମନ୍ତ୍ରୀଗୋଷ୍ଠୀ ଗଠନ କରିବାକୁ ନିଷ୍ପତ୍ତି ହୋଇଛି।
ମହଙ୍ଗା ହେବ
ପନିର, ଲସି, ବଟର ମିଲ୍କ, ପ୍ୟାକେଟ୍ରେ ମିଳୁଥିବା ଦହି, ଅଟା, ସିରିଏଲ, ମହୁ, ପାମ୍ପଡ଼, ଖାଦ୍ୟଶସ୍ୟ, ମାଂସ ଓ ମାଛ (ଫ୍ରୋଜେନ୍ ନୁହେଁ), ମୁଢ଼ି, ଗୁଡ଼, ମାଂସ, ଛାପା, ଲେଖନି ଓ ଚିତ୍ରାଙ୍କନ କାଳି, ଛୁରି, କାଗଜ କାଟିବା ଛୁରି, ପେନ୍ସିଲ୍ ସାର୍ପେନର ଓ ବ୍ଲେଡ୍, ଫୋର୍କ, ଚାମଚ, ସ୍କିମର, କେକ୍ ସର୍ଭର, ବିଦ୍ୟୁତ ଚାଳିତ ପମ୍ପ୍, ସେଣ୍ଟ୍ରି ଫଙ୍ଗାଲ ପମ୍ପ୍, ଗଭୀର ନଳକୂପ ଟର୍ବାଇନ୍ ପମ୍ପ୍, ସବ୍ମର୍ସିବଲ୍ ପମ୍ପ୍, ବାଇସାଇକଲ୍ ପମ୍ପ୍, ଫଳ ଓ କୃଷିଜାତ ଉତ୍ପାଦର ସଫେଇ ମେସିନ୍, ଅଣ୍ଡା ସଜାଇବା କିମ୍ବା ଗ୍ରେଡିଂ ମେସିନ, ଦୁଗ୍ଧ ବାହାର କରିବା ମେସିନ ଓ ଡେରି ମେସିନ୍, ଡ୍ରଇଂ ଓ ମାର୍କିଂ ଉପକରଣ, ଏଲ୍ଇଡି ଲ୍ୟାମ୍ପ୍, ଲାଇଟ୍ ଓ ଫିକ୍ସଚର, ମେଟାଲ୍ ପ୍ରିଣ୍ଟେଡ୍ ସର୍କିଟ ବୋର୍ଡ, ସୋଲାର ୱାଟର ହିଟର ଓ ଚମଡ଼ା ସାମଗ୍ରୀ, ବିହନ ଓ ଡାଲି ସଫେଇ, ସର୍ଟିଂ ଓ ଗ୍ରେଡିଂ ମେସିନ୍, ପବନ ଅଟା ଚକି, ୱେଟ୍ ଗ୍ରାଇଣ୍ଡର, ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ହୋଟେଲ୍ ରୁମ୍, ଦୈନିକ ୫୦୦୦ ଟଙ୍କା ଭଡ଼ା ଦେବାକୁ ପଡ଼ୁଥିବା ହସ୍ପିଟାଲ୍ ରୁମ୍, କିଛି କିଚେନ୍ଓୟାର, ଚିଟ୍ଫଣ୍ଡ୍ ପାଇଁ ଫୋର୍ମ୍ୟାନ୍ ସେବା, ଚମଡ଼ା ପ୍ରୋସେସିଂ କାମ, ଚମଡ଼ା ଓ ଜୋତା ଉତ୍ପାଦନ କାମ, ଚିନାମାଟି ଇଟା; ସଡ଼କ, ପୋଲ, ରେଳ, ମେଟ୍ରୋ, ଏଫ୍ଲୁଏଣ୍ଟ୍ ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟ୍ ଓ ଶବଦାହ ଗୃହ ପାଇଁ କାର୍ଯ୍ୟ ବରାଦ; ଐତିହାସିକ ସ୍ଥଳୀ, କେନାଲ, ଡ୍ୟାମ୍, ପାଇପଲାଇନ୍, ଜଳ ଯୋଗାଣ ପାଇଁ ପ୍ଲାଣ୍ଟ୍, ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ୍ ପାଇଁ କେନ୍ଦ୍ର, ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଦେଉଥିବା କାର୍ଯ୍ୟବରାଦ; କଟ୍ ଓ ପଲିସ୍ଡ ହୀରା, ଟେଟ୍ରା ପ୍ୟାକ୍, ଚେକ୍, ମାନଚିତ୍ର, ହାଇଡ୍ରୋଗ୍ରାଫିକ୍, ଆଟ୍ଲାସ୍, କାନ୍ଥ ଟଙ୍ଗା ମାନଚିତ୍ର, ଟୋପୋଗ୍ରାଫିକାଲ୍ ପ୍ଲାନ୍, ଗ୍ଲୋବ୍ସ, ପେଟ୍ରୋଲିୟମ୍, କୋଲ୍ବେଡ୍ ମିଥେନ୍; ଗବେଷଣା ପ୍ରତିଷ୍ଠାନକୁ ଯୋଗାଣ କରାଯାଉଥିବା ସାଇଣ୍ଟିଫିକ୍ ଓ ଟେକ୍ନିକାଲ୍ ଉପକରଣ ଓ ଇ-ବର୍ଜ୍ୟ; ରେଳ ଓ ଜାହାଜରେ ପରିବହନ କରାଯାଉଥିବା ରେଳ ଉପକରଣ ଓ ଯନ୍ତ୍ରାଂଶ; ରିଜର୍ଭ ବ୍ୟାଙ୍କ, ଆଇଆରଡିଏଆଇ, ସେବି, ଏଫ୍ଏସ୍ଏସ୍ଏଆଇ ଓ ସେବି ପ୍ରଦାନ କରୁଥିବା ସେବା, ଜିଏସ୍ଟିଏନ୍, ଆବାସିକ ଘରକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ଭଡ଼ା ଦେବା, ସ୍ମରଣିକାର ବିଜ୍ଞାପନ ଓ ଯାତ୍ରୀ ପରିବହନ ପାଇଁ କର୍ପୋରେଟ୍କୁ ଭଡ଼ାରେ ଦିଆଯାଉଥିବା ଗାଡ଼ି
ଶସ୍ତା ହେବ
ଓଷ୍ଟୋମି ଆପ୍ଲାଏନ୍ସେସ୍, ଅର୍ଥୋପେଡିକ୍ ଆପ୍ଲାଏନ୍ସେସ୍, ରୋପ୍ୱେରେ ଯାତ୍ରୀ ଓ ସାମଗ୍ରୀ ପରିବହନ ଓ ଟ୍ରକ୍ ଓ ମାଲବାହୀ ଗାଡ଼ି ଭଡ଼ା ଦେବା, ବିଶ୍ବବିଦ୍ୟାଳୟରୁ ମାଇଗ୍ରେସନ ସାର୍ଟିଫିକେଟ୍ ନେବା ଫି’, ଏଆର୍ଟି ଓ ଆଇଭିଏଫ୍ ସେବା