ନୂଆଦିଲ୍ଲୀ: କ୍ୟାନସର ଓ ବିରଳ ରୋଗର ଔଷଧ ଉପରୁ ଜିଏସ୍‌ଟି ଛାଡ଼ କରାଯାଇଛି। ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଖାଦ୍ୟ ଉତ୍ପାଦ ଉପରୁ ମଧ୍ୟ ଜିଏସ୍‌ଟି ଛାଡ଼ କରାଯାଇଛି। ପୂର୍ବରୁ ଏହି ସବୁ ଔଷଧ ଉପରେ ୧୮ ପ୍ରତିଶତ ଟିକସ ଲାଗୁ କରାଯାଇଥିଲା। ରୋଷେଇ ଓ ଭଜା ହୋଇନଥିବା ସ୍ନାକ୍ସ, ଫିସ୍‌ ସଲ୍ୟୁବଲ୍‌ ପେଷ୍ଟ୍‌, ଏଲ୍‌ଡି ସ୍ଲାଗ୍‌ ଓ ଇମିଟେସନ ଜରି ସୁତା ଟିକସ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ଘରୋଇ ସଂସ୍ଥାର ଉପଗ୍ରହ ଉତ୍‌କ୍ଷେପଣ ଉପରୁ ଜିଏସ୍‌ଟି ଛାଡ଼ କରାଯାଇଛି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୫୦ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି, ସିନେମା ହଲ୍‌ ପରିସରରେ ଥିବା ‌ରେସ୍ତୋରାଁ ଉପରେ ଲାଗିଥିବା ଟିକସକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ୧୦୦ ଟଙ୍କାରୁ କମ୍ ଦାମ୍‌ର ସିନେମା ଟିକସ ଉପରେ ୧୨ ପ୍ରତିଶତ ଓ ତା’ଠାରୁ ଅଧିକ ଦାମ୍‌ର ଟିକଟ ଉପରେ ୧୮ ପ୍ରତିଶତ ଟିକସ ଲାଗୁ କରାଯାଇଛି। ଯଦି ସିନେମା ଟିକଟ ସହିତ ପପ୍‌କର୍ଣ୍ଣ କିମ୍ବା ଥଣ୍ଡା ପାନୀୟ ଦାମ୍‌କୁ ମିଶ୍ରଣ କରାଯାଇଥିବ ତେବେ ସେଭଳି ମାମଲାରେ ସିନେମା ଟିକଟ ଉପରେ ଲାଗୁଥିବା ଟିକସ ଲାଗୁ ହେବ। ଅନ୍‌ଲାଇନ୍ ଗେମ୍‌, ଘୋଡ଼ା ଦୌଡ଼ ଓ କାସିନୋ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଅନଲାଇନ୍‌ ଗେମ୍‌ରେ ‘କୌଶଳର ଖେଳ’ ଓ ‘ଭାଗ୍ୟର ଖେଳ’ ଭିତରେ କୌଣସି ପ୍ରଭେଦ ରହିବନି ବୋଲି ପରିଷଦ ସ୍ପଷ୍ଟ କରିଛନ୍ତି।

Advertisment

୧୦୦ ଟଙ୍କାରୁ କମ୍‌ ସିନେମା ଟିକଟ୍‌ ଉପରେ ୧୨% ଟିକସ
ହଲ୍ ଭିତର ରେସ୍ତୋରାଁରେ ୫% ଟିକସ
ଏମ୍‌ୟୁଭି ଉପରେ ୨୨% ସେସ୍‌

ମଲ୍‌ଟି ୟୁଟିଲିଟି ଭେଇକିଲ୍ (ଏମ୍‌ୟୁଭି)ର ସଂଜ୍ଞ‌ା ନିର୍ଧାରଣ କରାଯାଇଥିବା ପଞ୍ଜୀକରଣକୁ କଡ଼ାକଡ଼ି କରାଯାଇଛି। ଏମ୍‌ୟୁଭି ଉପରେ ୨୨ ପ୍ରତିଶତ କ୍ଷତିପୂରଣ ସେସ୍‌ ଲାଗୁ କରିବା ପ୍ରସ୍ତାବ ଉପରେ ପରିଷଦ ସହମତ ହୋଇଛନ୍ତି। ସେଥିରେ ସେଡାନ୍‌କୁ ସାମିଲ କରାଯାଇନାହିଁ। ସେଡାନ୍ ଉପରେ ଟିକସ ନଲଗାଇବାକୁ ପଞ୍ଜାବ ଓ ତାମିଲନାଡୁ ଅନୁରୋଧ କରିଥିଲେ ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି। ଜିଏସ୍‌ଟି ଆପିଲିଟ ଟ୍ରିବ୍ୟୁନାଲ୍ ସ୍ଥାପନ କରିବା ପ୍ରସ୍ତାବ ଉପରେ ଜିଏସ୍‌ଟି ପରିଷଦ ସହମତ ହୋଇଛନ୍ତି। ଅଗଷ୍ଟ ୧ରୁ ଏହା କାର୍ଯ୍ୟକାରୀ କରାଯିବ। ଏହି ଅବରରେ ଏକ ସ୍ପେସିଆଲ୍‌ କଭର ଓ ମାଇଁ ଷ୍ଟାମ୍ପ୍ ଉନ୍ମୋଚନ କରାଯାଇଛି।