ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍ଟି ପରିଷଦର ୫୪ତମ ବୈଠକରେ ନମ୍କିନ୍ ଓ କିଛି କ୍ୟାନସର ଔଷଧ ଉପରୁ ଟିକସ ହ୍ରାସ କରାଯାଇଛି। ନମ୍କିନ୍ ଉପରୁ ଜିଏସ୍ଟିକୁ ୧୮%ରୁ ହ୍ରାସ କରି ୧୨% କରାଯାଇଛି। ସେହିପରି, କ୍ୟାନସର ଔଷଧ ଯଥା ଟ୍ରାଷ୍ଟୁଜୁମାବ, ଡେରୁକ୍ସଟେକାନ, ଓସିମେର୍ଟିନିବ୍ ଓ ଡୁର୍ବାଲୁମାବ ଉପରୁ ଜିଏସ୍ଟିକୁ ୧୨%ରୁ ହ୍ରାସ କରି ୫% କରାଯାଇଛି। ଅନ୍ୟ ପକ୍ଷରେ କାର୍ ସିଟ୍ ଉପରେ ଜିଏସ୍ଟିକୁ ୧୮%ରୁ ବଢ଼ାଇ ୨୮% କରାଯାଇଥିବାରୁ ତାହାର ଦାମ୍ ଆଗାମୀ ଦିନରେ ବୃଦ୍ଧି ପାଇବ। ମୋଟରସାଇକଲ୍ ସିଟ୍ ଉପରେ ପୂର୍ବରୁ ୨୮% ଜିଏସ୍ଟି ରହିଛି। ସରକାର ସ୍ଥାପନ କରିଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ଗବେଷଣା ପାଇଁ ପାଉଥିବା ପାଣ୍ଠି ଉପରୁ ଜିଏସ୍ଟି ଛାଡ଼ କରାଯାଇଛି।
ହେଲିକପ୍ଟର ଜରିଆରେ ଯାତ୍ରୀ ପରିବହନ ପାଇଁ ୫% ଟିକସ ଲଗାଯାଇଥିବା ବେଳେ ଚାର୍ଟର୍ଡ ହେଲିକପ୍ଟର ଉପରେ ୧୮% ଜିଏସ୍ଟି ଲଗାଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଅନୁମୋଦିତ ଫ୍ଲାଇଂ ଟ୍ରେନିଂ ସଂଗଠନ (ଏଫ୍ଟିଓ)ର ଫ୍ଲାଇଂ ତାଲିମ ପାଠ୍ୟକ୍ରମ ଉପରୁ ଜିଏସ୍ଟି ଛାଡ଼ କରାଯାଇଛି। ବିଶ୍ବବିଦ୍ୟାଳୟଗୁଡ଼ିକ ପ୍ରଦାନ କରୁଥିବା ସ୍ବୀକୃତି ସେବା ଉପରେ ୧୮% ଜିଏସ୍ଟି ଲାଗୁ କରାଯାଇଛି। ବିଦେଶୀ ଏୟାରଲାଇନ୍ସର ଶାଖା କାର୍ଯ୍ୟାଳୟର ଆମଦାନିକୁ ଜିଏସଟିମୁକ୍ତ କରାଯାଇଛି।
ପୂର୍ବରୁ ହୋଇଥିବା ଆକଳନ ଅନୁସାରେ ଜୀବନ ବୀମା ଓ ସ୍ବାସ୍ଥ୍ୟ ବୀମା ପ୍ରିମିୟମ୍ ଉପରେ ଲଗାଯାଇଥିବା ଜିଏସ୍ଟି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏଥିପାଇଁ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରିବାକୁ ଜିଏସ୍ଟି ପରିଷଦ ସୁପାରିସ କରିଛି। ସେଥିରେ ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମେଘାଳୟ, ଗୋଆ, ତେଲେଙ୍ଗାନା, ତାମିଲନାଡୁ, ପଞ୍ଜାବ ଓ ଗୁଜରାଟର ମନ୍ତ୍ରୀ ସଦସ୍ୟ ରହିଛି। ଏହି ମନ୍ତ୍ରୀଗୋଷ୍ଠୀ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ରିପୋର୍ଟ ଦାଖଲ କରିବ।
ରାଜ୍ୟମାନଙ୍କୁ ଜିଏସ୍ଟି କ୍ଷତିପୂରଣ ଦେବା ଲାଗି ସଂଗ୍ରହ କରାଯାଉଥିବା ସେସ୍ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ୨୦୨୬ ମାର୍ଚ୍ଚ ପରେ ସେସ୍ ଲାଗୁ ହେବ ନା ନାହିଁ ତାହା ଜାଣିବା ଲାଗି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯିବ। ଯଦି ସେହି ସମୟ ପରେ ସେସ୍ ଜାରି ରହିବ ତେବେ ତାହାକୁ କ୍ଷତିପୂରଣ ସେସ୍ କୁହାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଜିଏସ୍ଟି ଢାଞ୍ଚାର ସରଳୀକରଣ ପାଇଁ ଗଠନ କରାଯାଇଥିବା ମନ୍ତ୍ରୀ ଗୋଷ୍ଠୀ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି। ଚଳିତ ବର୍ଷ ଅକ୍ଟୋବର ୧ରୁ ବ୍ୟବସାୟରୁ ଗ୍ରାହକ (ବି୨ସି) ଜିଏସ୍ଟି ଇନ୍ଭଏସ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।