ବିଦ୍ୟୁତ୍‌ଚାଳିତ ଯାନବାହନ ଉପରୁ ଟିକସ ହାର ୧୨% ରୁ ୫%କୁ ହ୍ରାସ କଲା ଜିଏସ୍‌ଟି କାଉନ୍‌ସିଲ୍‌

ନୂଆଦିଲ୍ଲୀ: ଶନିବାର ଦିନ ଜିଏସ୍‌ଟି କାଉନ୍‌ସିଲ୍‌ ବିଜୁଳିଚାଳିତ ଯାନବାହନ ଉପରେ ଟିକସ ହାର ୧୨% ରୁ ୫%କୁ କମାଇ ଦେଇଛନ୍ତି। ଏହାଛଡ଼ା ଚାର୍ଜି ଷ୍ଟେସନ୍‌ଗୁଡ଼ିକ ଉପରେ ଲାଗୁ କରାଯାଉଥିବା ଟିକସକୁ ମଧ୍ୟ ୧୮% ରୁ ୫%କୁ ହ୍ରାସ କରିଛନ୍ତି। ଏହା ଅଗଷ୍ଟ ପହିଲାରୁ ଲାଗୁ କରାଯିବ ବୋଲି ସରକାରୀ ବିବୃତିରେ ଉଲ୍ଲେଖ କରାଯାଇଛି।

୧୨ ଜଣିଆ ଯାତ୍ରୀ ନେବାର କ୍ଷମତା ଥିବା ବସ୍‌ଗୁଡ଼ିକୁ ଭଡ଼ାରେ ନେଉଥିବା ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ପ୍ରତି ମଧ୍ୟ କାଉନ୍‌ସିଲ୍‌ ଜିଏସ୍‌ଟି ଛାଡ଼ କରିଛନ୍ତି।

Image Source: Livemint

ପରିବେଶରୁ କାର୍ବନ୍‌ ସ୍ତର ହ୍ରାସ ପାଇଁ ବିଜୁଳିଚାଳିତ ଯାନବାହନର ପ୍ରସାର ନିମନ୍ତେ ସରକାର ବଜେଟ୍‌ରେ ଘୋଷଣା କରିବା ପରେ ଏ ଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଅର୍ଥମନ୍ତ୍ରାଳୟର ଜୈନକ ଅଧିକାରୀ କହିଛନ୍ତି।

ବଜେଟ୍‌ ଭାଷଣରେ ଅର୍ଥମନ୍ତ୍ରୀ ସୀତାରମଣ କହିଥିଲେ ଯେ ସରକାର ଭାରତକୁ ବୈଦ୍ୟୁତିକ ଯାନବାହନ ନିର୍ମାଣର ନାଭିଚକ୍ର କରିବାକୁ ଚାହୁଁଛନ୍ତି। ଏଥିପାଇଁ ଗ୍ରାହକମାନେ ଉଠାଇଥିବା ଋଣ ବିପକ୍ଷରେ ୧. ୫ ଲକ୍ଷ ଟଙ୍କା ଯାଏଁ ଆୟକର ରିହାତି ମିଳିବ ବୋଲି ସେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର