ଜିଏସ୍ଟି ଭେଳିକି: ୧୮ ବଦଳରେ ୫ ପ୍ରତିଶତକୁ ଖସିଲା ଜିଏସ୍ଟି; ହେଲେ ରେଷ୍ଟୁରାଣ୍ଟ ଖାଦ୍ୟପ୍ରେମୀଙ୍କୁ ମିଳିଲାନି ସୁଫଳ! ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ସାମଗ୍ରୀ ଓ ସେବା କର (ଜିଏସ୍ଟି)ରେ ସଂଶୋଧନ ଆଣି ରେଷ୍ଟୁରାଣ୍ଟ ବିଲ୍ ଉପରେ ଏହାକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ କମାଇ ଦେଇଥିଲେ। ତେବେ, ଜିଏସ୍ଟିରେ ସରକାର ପୂରା ୧୩ ପ୍ରତିଶତ ହ୍ରାସ କରିଥିଲେ ମଧ୍ୟ ରେଷ୍ଟୁରାଣ୍ଟରେ ଖାଉଥିବା ଖାଦ୍ୟପ୍ରେମୀମାନେ ଏହାର ସୁଫଳ ପାଇପାରୁ ନ ଥିବା ଅଭିଯୋଗ ହୋଇଛି।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ସଂଶୋଧିତ ଜିଏସ୍ଟି ଗତ ବୁଧବାରଠାରୁ ସମଗ୍ର ଦେଶରେ ଲାଗୁ ହୋଇଯାଇଛି। ଏହି କ୍ରମରେ ପୂର୍ବରୁ ରେଷ୍ଟୁରାଣ୍ଟ ବିଲ୍ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ ହେଉଥିବା ବେଳେ ଏବେ ଏହା ୫ ପ୍ରତିଶତକୁ ହ୍ରାସ ପାଇଛି। ହେଲେ, ରେଷ୍ଟୁରାଣ୍ଟରେ ଖାଇଲେ ଗ୍ରାହକମାନଙ୍କ ଠାରୁ ୧୮ ପ୍ରତିଶତ ଜିଏସ୍ଟି ଥିବା ବେଳେ ଯେଉଁ ପରିମାଣର ଅର୍ଥ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ ଆଦାୟ କରୁଥିଲେ, ଏବେ ଜିଏସ୍ଟି ୫ ପ୍ରତିଶତକୁ କମି ଆସିବା ପରେ ମଧ୍ୟ ସେତିକି ପରିମାଣର ଅର୍ଥ ଆଦାୟ କରୁଛନ୍ତି। ରେଷ୍ଟୁରାଣ୍ଟ ବିଲ୍ ପୈଠ ସମୟରେ ଜିଏସ୍ଟି ହ୍ରାସର ସୁଫଳ ଗ୍ରାହକମାନେ ପାଇପାରୁ ନ ଥିବା ସୋସିଆଲ୍ ମିଡିଆରେ ଅଭିଯୋଗ ହେଉଛି।

ଦିଲ୍ଲୀର ମ୍ୟାକ୍ଡୋନାଲ୍ଡ ରେଷ୍ଟୁରାଣ୍ଟରେ ଏପରି ଘଟଣାର ସାମନା କରିଥିବା ଜଣେ ଗ୍ରାହକ ତାଙ୍କ ଅଭିଯୋଗକୁ ତଥ୍ୟ ଭିତ୍ତିକ କରିବାକୁ ଯାଇ ଜିଏସ୍ଟି ସଂଶୋଧନ ପୂର୍ବ ଓ ପର ସମୟର ଦୁଇଟି ବିଲ୍କୁ ମଧ୍ୟ ତାଙ୍କ ଟୁଇଟର୍ ପେଜ୍ରେ ଅପ୍ଲୋଡ୍ କରିଛନ୍ତି। ଏଥିରେ ନିଜର ସଫେଇ ଦେବାକୁ ଯାଇ ମ୍ୟାକ୍ଡୋନାଲ୍ଡ ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି ଯେ ଜିଏସ୍ଟି କମିଛି ସତ! କିନ୍ତୁ, ଅପରପକ୍ଷେ ‘ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍’କୁ ସରକାର ପ୍ରତ୍ୟାହାର କରିନେଇ ଥିବାରୁ ରେଷ୍ଟୁରାଣ୍ଟଗୁଡ଼ିକର ପରିଚାଳନା ଖର୍ଚ୍ଚ ବଢ଼ି ଯାଇଛି। ତେଣୁ, ସେବାବଦରେ ଗ୍ରାହକକୁ ଅଧିକ ଅର୍ଥ ଦେବାକୁ ପଡ଼ୁଥିବାରୁ, ସେ ଜିଏସ୍ଟି ହ୍ରାସ ପରେ ବି ରେଷ୍ଟୁରାଣ୍ଟ ବିଲ୍ କାହିଁକି କମୁନାହିଁ ତାହା ଜାଣିପାରୁ ନାହିଁ।
ଅନ୍ୟପକ୍ଷରେ, ସରକାର ପୂର୍ବରୁ ଏସି ରେଷ୍ଟୁରାଣ୍ଟ ଉପରେ ୧୮ ପ୍ରତିଶତ ଜିଏସ୍ଟି ଧାର୍ଯ୍ୟ କରିଥିବା ବେଳେ ନନ୍ ଏସି ରେଷ୍ଟୁରାଣ୍ଟଗୁଡ଼ିକ ଉପରେ ୧୨ ପ୍ରତିଶତ ଜିଏସ୍ଟି ଧାର୍ଯ୍ୟ କରିଥିଲେ। ତେବେ, ଗତ ନଭେମ୍ବର ୧୦ ତାରିଖରେ ଗୌହାଟିଠାରେ ଅନୁଷ୍ଠିତ ୨୩ତମ ଜିଏସ୍ଟି କାଉନସିଲ୍ ବୈଠକରେ ଏଥିରେ ସଂଶୋଧନ ଆଣି ଏଣିକି ଉଭୟ ଏସି ଓ ନନ୍ ଏସି ରେଷ୍ଟୁରାଣ୍ଟରେ ମାତ୍ର ୫ ପ୍ରତିଶତ ଜିଏସ୍ଟି ଲାଗୁ ହେବ ବୋଲି ଘୋଷଣା କରିଥିଲେ। ହେଲେ, ଏଥିସହ ସରକାର ପୂର୍ବରୁ ରେଷ୍ଟୁରାଣ୍ଟଗୁଡ଼ିକ ଯେଉଁ ‘ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍’ ସୁବିଧା ପାଉଥିଲେ ତାହାକୁ ପ୍ରତ୍ୟାହାର କରିନେଲେ। ଫଳରେ ସରକାରଙ୍କର ଏହି ନୂତନ ନିଷ୍ପତ୍ତି ଦ୍ୱାରା ବାର୍ଷିକ ୧କୋଟି ବା ତଦୁର୍ଦ୍ଧ କାରବାର କରୁଥିବା ରେଷ୍ଟୁରାଣ୍ଟଗୁଡ଼ିକ କ୍ଷତିଗ୍ରସ୍ତ ହେଲେ। ଏବଂ ରେଷ୍ଟୁରାଣ୍ଟଗୁଡ଼ିକର ପରିଚାଳନା ଖର୍ଚ୍ଚ ବଢ଼ିଗଲା। ଫଳରେ, ବର୍ଦ୍ଧିତ ପରିଚାଳନା ଖର୍ଚ୍ଚକୁ ସମ୍ଭାଳିବାକୁ ଯାଇ ରେଷ୍ଟୁରାଣ୍ଟଗୁଡ଼ିକ ସେମାନଙ୍କ ଦର ତାଲିକାକୁ ସଂଶୋଧନ କଲେ। ଯାହା ଫଳରେ ଏବେ ସରକାର ରେଷ୍ଟୁରାଣ୍ଟ ବିଲ ଉପରେ ଜିଏସ୍ଟିକୁ ୫ ପ୍ରତିଶତକୁ କମାଇ ଦେଇଥିଲେ ସୁଦ୍ଧା ଏହାର ସୁଫଳ ଗ୍ରାହକମାନେ ପାଇପାରୁ ନାହାନ୍ତି।
ତେବେ, ସେ ଯାହାହେଉ ନା କାହିଁକି ଏହି ଘଟଣାରେ ଅତ୍ୟନ୍ତ ନିରାଶ ହୋଇଛନ୍ତି ଦେଶର ରେଷ୍ଟୁରାଣ୍ଟ ଖାଦ୍ୟପ୍ରେମୀମାନେ।