ଉଦ୍ୟୋଗୀଙ୍କୁ ଜିଏସ୍‌ଟି ରିହାତି, ରାଜ୍ୟଗୁଡ଼ିକୁ କ୍ଷତିପୂରଣ ପ୍ରଦାନ ସଂକ୍ରାନ୍ତ ବୈଠକ ଜୁଲାଇରେ

ବାତିଲ ପଞ୍ଜୀକରଣକୁ ପୁନଃଅବସ୍ଥାପିତ ସୁଯୋଗ ପ୍ରଦାନ, ଏପ୍ରିଲ, ମେ’ ମାସର ଜିଏସଟି ୪୫ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: କରୋନା ମହାମାରୀ ପରିପ୍ରେକ୍ଷୀରେ ଭୀଷଣ କ୍ଷତି ସହିଥିବା ଦେଶର ବ୍ୟବସାୟ ଓ ଉଦ୍ୟୋଗ ଜଗତ ପାଇଁ ସରକାର କୋହଳ ମନୋଭାବ ପୋଷଣ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୪୦ତମ ବୈଠକରେ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ସଂକ୍ରାନ୍ତ କେତେକ ନିୟମକୁ କୋହଳ କରାଯାଇଛି। ବାର୍ଷିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ଟିକସଦାତାମାନଙ୍କୁ ଫେବ୍ରୁଆରି, ମାର୍ଚ୍ଚ ଓ ଏପ୍ରିଲ ମାସ ପାଇଁ ବିଳମ୍ବିତ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ବାବଦ ଫି’କୁ ଅଧା କରି ଦିଆଯାଇଛି। ପୂର୍ବରୁ ୧୮ ପ୍ରତିଶତ ସୁଧ ଆଦାୟ ହେଉଥିବାବେଳେ ଏବେ ଏହାକୁ ୯ ପ୍ରତିଶତକୁ କମାଇ ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ରିଟର୍ଣ୍ଣ ଦାଖଲ କରିଲେ ସେମାନଙ୍କୁ ଉକ୍ତ ସୁବିଧା ମିଳିବ। ମେ, ଜୁନ୍ ଓ ଜୁଲାଇ ୩ ମାସ ପାଇଁ ରିଟର୍ଣ୍ଣ ଦାଖଲର ଶେଷ ତାରିଖକୁ ମଧ୍ୟ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏ ବାବଦରେ କୌଣସି ସୁଧ କିମ୍ବା ବିଳମ୍ବିତ ଫି ମଧ୍ୟ ଆଦାୟ କରାଯିବ ନାହିଁ।

ଦେଶରେ ଜୁଲାଇ ୨୦୧୭ରୁ ଜାନୁଆରି ୨୦୨୦ ପର୍ଯ୍ୟନ୍ତ ଯେଉଁ ଉଦ୍ୟୋଗୀମାନେ ରିଟର୍ଣ୍ଣ (ଜିଏସ୍‌ଟିଆର୍‌-୩ବି) ଦାଖଲ କରିନାହାନ୍ତି ସେମାନଙ୍କୁ ଜିଏସ୍‌ଟି ପରିଷଦ ଏକ ଭଲ ସୁଯୋଗ ପ୍ରଦାନ କରିଛନ୍ତି। ଏହି ଅବଧି ମଧ୍ୟରେ ଯେଉଁ ଉଦ୍ୟୋଗୀମାନଙ୍କର ‘ନିଲ୍‌’ ବା ଶୂନ ରିଟର୍ଣ୍ଣ ରହିଛି ସେମାନଙ୍କ ଠାରୁ ବିଳମ୍ବିତ ରିଟର୍ଣ୍ଣ ଦାଖଲ ବାବଦରେ କୌଣସି ବିଳମ୍ବ ଫି ଆଦାୟ କରାଯିବ ନାହିଁ। ଏହି ଅବଧିରେ ମାସିକ ରିଟର୍ଣ୍ଣ ଦାଖଲ କରି ନଥିବା ଅନ୍ୟ ଉଦ୍ୟୋଗୀମାନଙ୍କ ପାଇଁ ବିଳମ୍ବ ଫି ବାବଦ ରାଶି ମାସିକ ସର୍ବାଧିକ ୫୦୦ ଟଙ୍କାକୁ କମାଇ ଦିଆଯାଇଛି। ବର୍ତ୍ତମାନ ଏହି ରାଶି ବାବଦରେ ମାସିକ ୧୦ ହଜାର ଟଙ୍କା ଆଦାୟ କରିବାର ପ୍ରାବଧାନ ରହିଛି। ଯେଉଁ ଉଦ୍ୟୋଗୀମାନଙ୍କର ଜିଏସ୍‌ଟି ପଞ୍ଜୀକରଣ ବାତିଲ ହୋଇଯାଇଛି ଏବଂ ସେମାନେ ତାହାକୁ ଠିକ୍ ସମୟରେ ପୁନଃଅବସ୍ଥାପିତ କରିପାରି ନାହାନ୍ତି ସେମାନଙ୍କ ପଞ୍ଜୀକରଣ ବାତିଲକୁ ରଦ୍ଦ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରାଯାଇଛି। ୨୦୨୦ ଜୁନ୍ ୧୨ ତାରିଖ ସୁଦ୍ଧା ବାତିଲ ହୋଇଯାଇଥିବା ମାମଲାଗୁଡ଼ିକୁ ୨୦୨୦ ସେପ୍ଟେମ୍ବର ୩୦ ସୁଦ୍ଧା ପୁନଃଅବସ୍ଥାପିତ କରିବା ସୁଯୋଗ ଉଦ୍ୟୋଗୀମାନଙ୍କୁ ମିଳିବ। ସିଜିଏସ୍‌ଟି ଆଇନ ୨୦୧୭ ଓ ଆଇଜିଏସଟି ଆଇନ ୨୦୧୭ରେ ସଂଶୋଧନ ପାଇଁ ଅର୍ଥ ଆଇନ ୨୦୨୦ର କେତେକ କ୍ଲଜ୍‌ ସଂଶୋଧନକୁ ୨୦୨୦ ଜୁନ୍‌ ୩୦ରୁ କାର୍ଯ୍ୟକାରୀ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ପରିଷଦର ଆଜିର ବୈଠକରେ କୋଭିଡ-୧୯ର ପ୍ରଭାବ ସମ୍ପର୍କରେ ଆଲୋଚନା ହୋଇଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଜିଏସ୍‌ଟି ବ୍ୟବସ୍ଥାରେ ରହିଥିବା କେତେକ ବିଚ୍ୟୁତି ଯଥା ଇନର୍ଭଟେଡ୍‌ ଟିକସ ଢାଞ୍ଚା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଢାଞ୍ଚା ଯୋଗୁଁ କେତେକ ଚୂଡ଼ାନ୍ତ ସାମଗ୍ରୀ ଉପରେ ଯେତିକି ପ୍ରତିଶତ ଜିଏସଟି ଆଦାୟ ହେଉଛି ସେଥିରେ ବ୍ୟବହୃତ କଞ୍ଚାମାଲ ବା ଅନ୍ୟ ସାମଗ୍ରୀ ଉପରୁ ତାହାଠାରୁ ଅଧିକ ହାରରେ ଜିଏସ୍‌ଟି ଆଦାୟ କରାଯାଉଛି। ବିଶେଷକରି ଚପଲ, ସାର ଓ ବୟନ ସାମଗ୍ରୀରେ ଏହି ସମସ୍ୟା ରହିଛି। ତେବେ ଆଜିର ବୈଠକରେ ଏନେଇ ‌କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଆଗାମୀ ବୈଠକରେ ଏହା ଉପରେ ଅଧିକ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି। ଏପ୍ରିଲ, ମେ ମାସ ପାଇଁ ମାସିକ ପାଖାପାଖି ୧ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ଲକ୍ଷ୍ୟ ରଖାଯାଇଥିବାବେଳେ ମହାମାରୀ ପାଇଁ ଏହା ୪୫ ପ୍ରତିଶତକୁ କମିଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେଣୁ ସରକାର ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏପ୍ରିଲ, ମେ ଓ ଜୁନ୍ ମାସର ଆଦାୟ ରାଶି ସାମ୍ନାକୁ ଆସିବା ପରେ ଜିଏସଟି ଆଦାୟ ସଂପର୍କିତ ପୂରା ଚିତ୍ର ଜଣାପଡ଼ିବ ବୋଲି ‌ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି। ରାଜ୍ୟଗୁଡ଼ିକୁ କ୍ଷତିପୂରଣ ପ୍ରଦାନ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିଲା। ଜିଏସଟି ଆଦାୟ ହ୍ରାସ ପାଇଥିବାରୁ ରାଜ୍ୟଗୁଡ଼ିକୁ ବଜାରରୁ ଋଣ ସଂଗ୍ରହ ପାଇଁ ଅନୁମତି ଦେବାକୁ ଦାବି ଉଠିଥିଲା। ତେବେ ଆସନ୍ତା ଜୁଲାଇରେ ଜିଏସ୍‌ଟି ‌ପରିଷଦର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ। ସେଥିରେ ଏହି ବିଷୟ ଉପରେ ହିଁ କେବଳ ଆଲୋଚନା ହେବ ବୋଲି ସ୍ଥିର ହୋଇଛି। ଯଦି ବଜାରରୁ ଅଧିକ ଋଣ ସଂଗ୍ରହ ଅନୁମତି ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଏ ତାହେଲେ ଏହା କିଭଳି ହେବ ଏବଂ କିଏ ପୈଠ କରିବ ସେସବୁ ଉପରେ ବିସ୍ତୃତ ଭାବେ ଆଲୋଚନା ‌େହବ। ଏଥିସହିତ ଆଗାମୀ ଦିନରେ ହେବାକୁ ଥିବା ନିୟମିତ ଜିଏସଟି ପରିଷଦ ବୈଠକରେ ପାନ ମସଲା ଉପରେ ଟିକସ ଲାଗୁ ପ୍ରସଙ୍ଗ ମଧ୍ୟ ଆଲୋଚନା ହେବା ନେଇ ଆଶା ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଆଜିର ଜିଏସ୍‌ଟି ‌ପରିଷଦ ବୈଠକରେ ବିଭିନ୍ନ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଯୋଗଦେଇ ଓଡ଼ିଶାର ଦାବି ଉପସ୍ଥାପନ କରିଥିଲେ। ସେ କହିଛନ୍ତି, ଲକଡାଉନ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଯାହା କ୍ଷତିପୂରଣ ଦେବା କଥା ତାହା ଆମେ ପାଇଯାଇଛୁ। ଆମେ ୨୪୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛୁ । ଯାହାକି ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ମାର୍ଚ୍ଚ ମାସର ୫୦୦ କୋଟି ପାଇବାର ଅଛି । ଆଉ ୫୦୦ କୋଟି ଟଙ୍କାର ବକେୟା ବି ଅଛି। ଏମିତି ସମୁଦାୟ ୩୫୦୦ କୋଟି ଟଙ୍କା ପାଇଁ ଆମେ ଦାବି କରିଛୁ । ହେଲେ ଫେବ୍ରୁଆରି ପାଇଁ କ୍ଷତିପୂରଣ ପାଇ ଯାଇଛୁ ‌ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର