ରୁପେ କାର୍ଡ, ଭିମ୍‌ ଆପ୍‌ରେ ମିଳିବ ଜିଏସ୍‌ଟି ରିହାତି

ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ସମସ୍ୟା ଅନୁଧ୍ୟାନ ପାଇଁ କମିଟି

ନୂଆଦିଲ୍ଲୀ: ରୁପେ କାର୍ଡ, ଭିମ୍‌ ଆପ୍‌ ଏବଂ ୟୁପିଆଇ ବ୍ୟବସ୍ଥାକୁ ଉପଯୋଗ କରି ଡିଜିଟାଲ ମାଧ୍ୟମରେ ଜିଏସ୍‌ଟି (ସାମଗ୍ରୀ ଓ ସେବା ଟିକସ) ପଇଠ କଲେ ଗ୍ରାହକଙ୍କୁ ରିହାତି ବା କ୍ୟାସବ୍ୟାକ୍‌ ମିଳିବ। ଏହି କ୍ୟାସବ୍ୟାକ୍‌ ସୁବିଧାକୁ ରାଜ୍ୟ ଗୁଡ଼ିକ ପାଇଲଟ ଭିତ୍ତିରେ ସ୍ୱେଚ୍ଛାକୃତ ଭାବେ ଆରମ୍ଭ କରିପାରିବେ। ଜିଏସ୍‌ଟିର ଆଇଟି ଭିତ୍ତିଭୂମି ପରିଚାଳନା କରୁଥିବା ଜିଏସ୍‌ଟିଏନ୍‌ ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଏଥିପାଇଁ ଖୁବ୍‌ଶୀଘ୍ର ଏକ ବ୍ୟବସ୍ଥାର ବିକାଶ କରିବେ। ଆଜି ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୨୯ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ରୁପେ କାର୍ଡ ଏବଂ ଭିମ୍‌ ୟୁପିଆଇରେ ଜିଏସ୍‌ଟିର ଡିଜିଟାଲ ପେମେଣ୍ଟରେ ପ୍ରୋତ୍ସାହନ ଦେବା ଲାଗି ଯେଉଁ ପ୍ରସ୍ତାବ ରହିଥିଲା ତାହାକୁ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟି ଆଜି ମଞ୍ଜୁରି ଦେଇଛି। ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ରୁପେ କାର୍ଡ ଏବଂ ଭିମ୍‌ ଆପ୍‌ରେ ପ୍ରଦାନ କରୁଥିବା ଗ୍ରାହକଙ୍କୁ ମୋଟ ଜିଏସ୍‌ଟିର ୨୦ ପ୍ରତିଶତ ( ସର୍ବାଧିକ ୧୦୦ ଟଙ୍କା ପର୍ଯ୍ୟନ୍ତ ) କ୍ୟାସବ୍ୟାକ୍‌ ମିଳିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି। ଗ୍ରାହକଙ୍କୁ କ୍ୟାସ୍‌ବ୍ୟାକ୍‌ ପ୍ରଦାନ କରାଗଲେ ସରକାରଙ୍କୁ ବାର୍ଷିକ ୧୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ହେବ।

ଏତଦ୍‌ବ୍ୟତୀତ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରର ଅସୁବିଧାକୁ ଅନୁଧ୍ୟାନ କରିବା ଲାଗି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଏକ ୬ ଜଣିଆ କମିଟି ଗଠନ ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। କମିଟିର ସଦସ୍ୟମାନେ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ, ଆସାମ ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, କେରଳ ଅର୍ଥମନ୍ତ୍ରୀ ଥୋମାସ୍‌ ଆଇଜାକ୍‌ ଏବଂ ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ୍‌ ସିଂହ ବାଦଲ। ଏଥିସହିତ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ସହିତ ଜଡ଼ିତ ଆଇନ ଏବଂ ଟିକସ ସମସ୍ୟାକୁ କେନ୍ଦ୍ର ଓ ରାଜ୍ୟର ଟିକସ ଅଧିକାରୀମାନଙ୍କୁ ନେଇ ଗଠିତ ଆଇନ କମିଟି ଏବଂ ଫିଟ୍‌ମେଣ୍ଟ୍‌ କମିଟି ଦେଖିବେ। କମିଟି ୬ ସପ୍ତାହ ମଧ୍ୟରେ ଏହାର ସୁପାରିସ ପ୍ରଦାନ କରିବ। ରୁପେ କାର୍ଡ ଏବଂ ଭିମ୍‌ ଆପ୍‌ ମାଧ୍ୟମରେ ଜିଏସ୍‌ଟି ପଇଠରେ କ୍ୟାସ୍‌ବ୍ୟାକ୍‌ ପ୍ରଦାନ ପରୀକ୍ଷଣ ଦ୍ୱାରା ରାଜସ୍ୱ କ୍ଷତି ଏବଂ ଲାଭର ଆକଳନ କରାଯାଇପାରିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି। ଜିଏସ୍‌ଟି ପରିଷଦର ପରବର୍ତୀ ବୈଠକ ଆସନ୍ତାମାସ ୨୮ ଓ ୨୯ ତାରିଖରେ ଗୋଆଠାରେ ହେବ ବୋଲି ସ୍ଥିର ହୋଇଛି। ଆଜିର ବୈଠକରେ ଓଡ଼ିଶାର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତୁହିନକାନ୍ତ ପାଣ୍ଡେ, ବାଣିଜ୍ୟକର ଓ ଜିଏସଟି କମିସନର ଶାଶ୍ୱତ ମିଶ୍ର ଏବଂ ଅତିରିକ୍ତ କମିସନର ସହଦେବ ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ।

ଜିଏସ୍‌ଟି ସ୍ଲାବ୍‌ ୩କୁ କମିବ!
କୋଲକାତା: ଭବିଷ୍ୟତରେ ଜିଏସ୍‌ଟି ସ୍ଲାବ ୩କୁ କମାଯିବାର ସମ୍ଭାବନା ରହିଛି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ପରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସନ୍ୟାଲ ଆଜି ଏଠାରେ ଏହି ସୂଚନା ଦେଇଛନ୍ତି। ଜିଏସ୍‌ଟି ଗୁଡ଼ିକ ୫%, ୧୫% ଏବଂ ୨୫% ହୋଇପାରେ। ୧୨ ଏବଂ ୧୮% ହାରରେ ଥିବା ସାମଗ୍ରାକୁ ମିଶାଯାଇ ୧୫%କୁ ନୂଆ ଜିଏସ୍‌ଟି ହାର କରାଯାଇ ପାରେ। ଏତଦ୍‌ବ୍ୟତୀତ ୨୮%ର ସର୍ବୋଚ୍ଚ ଜିଏସ୍‌ଟି ହାରକୁ ୨୫% କରାଯାଇପାରେ। ଭାରତ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ସନ୍ୟାଲ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର