ନୂଆଦିଲ୍ଲୀ: ଗତବର୍ଷ ଜୁଲାଇଠାରୁ ଦେଶରେ ଜିଏସ୍ଟି ଲାଗୁ ହୋଇଛି। ଜିଏସ୍ଟିରେ ସବୁ ପ୍ରକାର ପରୋକ୍ଷ କର ମିଶିଯାଇଛି। ତେଣୁ ଏଥରର ବଜେଟ୍ରେ ପରୋକ୍ଷ ଟିକସ ଉପରେ ବିଶେଷ କିଛି ଘୋଷଣା ହେବ ନାହିଁ। ପୂର୍ବରୁ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କଠାରୁ ଆରମ୍ଭ କରି ସେବା କର ପର୍ଯ୍ୟନ୍ତ ଅନେକ ପ୍ରକାର ପରୋକ୍ଷ ଟିକସକୁ ନେଇ ସରକାର ବିଭିନ୍ନ ପ୍ରସ୍ତାବ ଘୋଷଣା କରୁଥିଲେ। ଏହାର ପ୍ରଭାବରେ ଅନେକ ସାମଗ୍ରୀ ଏବଂ ସେବା ଶସ୍ତା କିମ୍ବା ମହଙ୍ଗା ହେଉଥିଲା। ଚଳିତ ବର୍ଷ ବଜେଟ୍୍ରେ ସେଭଳି କିଛି ଘୋଷଣା କରିବାର ସୁଯୋଗ ସରକାରଙ୍କ ପାଖରେ ନାହିଁ।
ଭାରତୀୟ ରପ୍ତାନିକାରୀ ସଂଗଠନ ମହାସଂଘର ଡାଇରେକ୍ଟର ଜେନେରାଲ୍ ଅଜୟ ସହାୟ କହିଛନ୍ତି ଯେ, ଚଳିତ ବର୍ଷ ବଜେଟ୍ରୁ ଅଧିକ କିଛି ଆଶା କରାଯାଇପାରିବ ନାହିଁ। ତେବେ ପ୍ରତ୍ୟକ୍ଷ ଟିକସ ଏବଂ ଏଫ୍ଡିଆଇକୁ ନେଇ ବହୁତ କିଛି ଘୋଷଣା କରିବାର ସୁଯୋଗ ସରକାରଙ୍କ ପାଖରେ ରହିଛି। କେପିଏମ୍ଜି ଇଣ୍ଡିଆର ଅଭିଜିତ ଘୋଷ କହିଛନ୍ତି ଯେ, ସବୁ ବର୍ଷ ବଜେଟ୍ରେ ଆମେ ଅନେକ ଲୋଭନୀୟ ଘୋଷଣା ସବୁ ଶୁଣିବାରେ ଅଭ୍ୟସ୍ତ ହୋଇଯାଇଛେ। ଚଳିତ ବର୍ଷ ବଜେଟ୍ରେ କିନ୍ତୁ ସେଭଳି କିଛି ହେବ ନାହିଁ। ଚଳିତ ବର୍ଷର ବଜେଟ୍ ଅଧିକ ରୋମାଞ୍ଚକ ହେବ ନାହିଁ ବୋଲି ଶ୍ରୀ ଘୋଷ କହିଛନ୍ତି।
ଡେଲୋଇଟି ଇଣ୍ଡିଆର ଏମ୍ ଏସ୍ ମଣି କିନ୍ତୁ ବଜେଟ୍କୁ ନେଇ ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷର ବଜେଟ୍ ଆକର୍ଷଣୀୟ ହେବ। କୌଣସି ଦୃଷ୍ଟିରୁ ଚଳିତ ବର୍ଷର ବଜେଟ୍ ଦୁର୍ବଳ ହେବ ନାହିଁ ବୋଲି ସେ କହିଛନ୍ତି।
ଜେଟ୍ଲିଙ୍କ କବିତା ଉପରେ ରହିବ ନଜର
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଯେତେ ଥର ବଜେଟ୍ ଉପସ୍ଥାପନ କରିଛନ୍ତି, ପ୍ରତି ଥର ଭାଷଣରେ ସେ କିଛି କବିତା ପଢ଼ି ଶୁଣାଇଥାନ୍ତି। ୨୦୧୪ରେ ନିର୍ବାଚନରେ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିବ ଏନ୍ଡିଏ ସରକାର ଗଠନ କରିବା ପରେ ଉପସ୍ଥାପିତ ହୋଇଥିବା ବଜେଟ୍ରେ ଜେଟ୍ଲି କୌଣସି କବିତା ବ୍ୟବହାର କରିନଥିଲେ। କିନ୍ତୁ ଏହାର ପରବର୍ତି ୩ଟି ବଜେଟ୍ ଭାଷଣରେ ସେ କବିତାକୁ ବହୁତ ଭଲ ଭାବେ ବ୍ୟବହାର କରିଥିଲେ। ପଞ୍ଚମ ଥର ପାଇଁ ସେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ପାଞ୍ଚ ଥର ବଜେଟ୍ ଉପସ୍ଥାପନ କରିବାରେ ସେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍, ଯଶୋବନ୍ତ ସିହ୍ନା ଏବଂ ପ୍ରଣବ ମୁଖାର୍ଜୀଙ୍କ ସମକକ୍ଷ ହେବାକୁ ଯାଉଛନ୍ତି।
ଓଡ଼ିଶାର ଆଶା
ନୂଆଦିଲ୍ଲୀ: ଚଳିତ ବର୍ଷ ବଜେଟ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସ୍ଥାନ ଦେବା ପାଇଁ ଓଡ଼ିଶା ପକ୍ଷରୁ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ପ୍ରାକ୍-ବଜେଟ୍ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। କୋଇଲା ରୟାଲ୍ଟି ସଂଶୋଧନ କରିବା, ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରେ ଅଧିକ ଅର୍ଥ ବ୍ୟବସ୍ଥା କରିବା, କୃଷକମାନଙ୍କ ଋଣ ପରିଶୋଧ କରିବା ପାଇଁ ନାବାର୍ଡ ଅଧୀନରେ ଏକ ଟ୍ରଷ୍ଟ ପାଣ୍ଠି ଗଠନ କରିବା ଏବଂ ବିଭିନ୍ନ ଯୋଜନାରେ ରାଜ୍ୟ ପାଇଁ ଯେଉଁ ବ୍ୟୟବରାଦ କରାଯାଉଛି, ସେ ବିଷୟରେ ରାଜ୍ୟକୁ ଆଗୁଆ ଜଣାଇବା ପାଇଁ ଓଡ଼ିଶା ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। ରେଳ ବଜେଟ୍ରେ ୬୫୦୦ କୋଟି ଟଙ୍କା ପ୍ରଦାନ କରିବାକୁ ଓଡ଼ିଶା ଦାବି କରିଥିଲା। ଏହି ସବୁ ଦାବିକୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କେତେ ଗୁରୁତ୍ୱର ସହ ନେଇଛନ୍ତି ଏବଂ ସେଥିପାଇଁ କ’ଣ ବ୍ୟବସ୍ଥା କରିଛନ୍ତି ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ। ଚଳିତ ବର୍ଷ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ କିଛି ସ୍ୱତନ୍ତ୍ର ଘୋଷଣା କରାଯାଇପାରେ। ଏହା ହେଲେ ଓଡ଼ିଶା ଲାଭବାନ ହେବ। ଗତବର୍ଷ ବଜେଟ୍ରେ ସରକାର ଓଡ଼ିଶା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ପାଇକ ବିଦ୍ରୋହର ୨୦୦ତମ ପୂର୍ତି ପାଳନ ପାଇଁ ବ୍ୟୟବରାଦ କରିଥିଲେ ଏବଂ ଚଣ୍ଡିଖୋଲଠାରେ ଏକ ଅଶୋଧିତ ତୈଳ ଭଣ୍ଡାର ସ୍ଥାପନ କରିବା ବିଷୟରେ ଘୋଷଣା କରିଥିଲେ। ୨୦୧୫ ପରଠାରୁ କୋଇଲା ରୟାଲ୍ଟି ସଂଶୋଧନ କରାଯାଇନଥିବାରୁ ଓଡ଼ିଶା ବିପୁଳ ପରିମାଣର ରାଜସ୍ୱ ହରାଉଛି। ତେଣୁ ଚଳିତ ବର୍ଷ ବଜେଟ୍ରେ ଏ ଦିଗରେ କିିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଓଡ଼ିଶା ଆଶା ରଖିଛି।
ଆୟକରରେ ରିହାତି ଦେବା ସହଜ ହେବନି
ନୂଆଦିଲ୍ଲୀ: ଆୟକରରେ ରିହାତି ପ୍ରଦାନ କରିବା ସରକାରଙ୍କ ପାଇଁ ସହଜ ହେବ ନାହିଁ। କାରଣ ଦେଶରେ ଯେତିକି ପରିମାଣର ଟିକସଦାତା ରହିଛନ୍ତି ଯଦି ସେମାନଙ୍କୁ ଅଧିକ ଟିକସ ରିହାତି ପ୍ରଦାନ କରାଯିବ ତେବେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇବେ। ଆୟକର ନିୟମର ଧାରା ୮୦ ସିରେ ରିହାତି ସୀମା ଏବେ ଦେଢ଼ ଲକ୍ଷ ଟଙ୍କା ରହିଛି। ଏହାକୁ ୨ ଲକ୍ଷ ଟଙ୍କା କରିବାକୁ ଦାବି ହେଉଛି। ଯଦି ସରକାର ଏହି ଘୋଷଣା କରିବେ ତେବେ ପ୍ରତିବର୍ଷ ୫୦ ଲକ୍ଷ ଟିକସଦାତା ବର୍ଷକୁ ୫ ହଜାର ଟଙ୍କା କମ୍ ଟିକସ ଦେବେ। ଫଳରେ ସରକାରଙ୍କ ବାର୍ଷିକ ରାଜସ୍ୱ ପରିମାଣ ୨୫ ହଜାର କୋଟି ଟଙ୍କା କମିଯିବ। ଯଦି ଆୟକର ଛାଡ଼ ସୀମାକୁ ସରକାର ବଢ଼ାଇ ୩ ଲକ୍ଷ ଟଙ୍କା କରିଦେବେ ତେବେ ବର୍ଷକୁ ୫୩୦୦ କୋଟି ଟଙ୍କାର କମ୍ ଟିକସ ମିଳିବ। ବର୍ତ୍ତମାନ ୫ ଲକ୍ଷ ଟଙ୍କାର ଆୟ ଉପରେ ୧୦% ଟିକସ ଲଗାଯାଉଛି। ଯଦି ଏହି ସୀମାକୁ ୬ ଲକ୍ଷ ଟଙ୍କା କରିଦିଆଯିବ ତେବେ ସରକାର ବର୍ଷକୁ ୬୪୦ କୋଟି ଟଙ୍କାର ଟିକସ ହରାଇବେ।
ମନଲୋଭା ବନାମ ବିତ୍ତୀୟ ଶୃଙ୍ଖଳା
ନୂଆଦିଲ୍ଲୀ: ନୂଆ ନିଯୁକ୍ତି ସୃଷ୍ଟି କରିବା, ଅଭିବୃଦ୍ଧି ହାର ବଢ଼ାଇବା ଏବଂ କୃଷକଙ୍କ ସମସ୍ୟା ଦୂର କରିବା ଭଳି ତିନିଟି ବଡ଼ ଆହ୍ଵାନ ସରକାରଙ୍କ ସାମ୍ନାରେ ରହିଛି। ଏହା ସହିତ ଆସନ୍ତା ବର୍ଷ ଲୋକସଭା ବଜେଟ୍। ଭୋଟରଙ୍କୁ ଖୁସି କରିବା ପାଇଁ ଲୋଭନୀୟ ଘୋଷଣା କରିବା ପାଇଁ ସରକାରଙ୍କ ପାଖରେ ଏହା ନିର୍ବାଚନ ପୂର୍ବରୁ ଶେଷ ସୁଯୋଗ। ବଜେଟ୍ରେ ଜେଟ୍ଲି କେଉଁ ଦିଗରୁ ଅଧିକ ଗୁରୁତ୍ୱ ଦେବେ ତାହା ଆସନ୍ତାକାଲି ଜଣାପଡ଼ିବ। ମନଲୋଭା ବଜେଟ୍ ଘୋଷଣା କଲେ ଦେଶର ଆର୍ଥିକ ସ୍ଥିତି ବିଗିଡ଼ିଯିବ ଯାହାକୁ ସଜାଡ଼ିବା କଷ୍ଟକର ହୋଇପଡ଼ିବ। ସରକାର ବିତ୍ତୀୟ ନିଅଣ୍ଟ ପରିମାଣକୁ ଜିଡିପିର ୩.୨% ସ୍ତରରେ ରଖିବାକୁ ଚାହୁଁଥିଲେ। କିନ୍ତୁ ତାହା ସମ୍ଭବ ହେବା ଭଳି ମନେ ହେଉନାହିଁ। ଏଭଳି ପରିସ୍ଥିତିରେ ଯଦି ଖର୍ଚ ପରିମାଣ ଆହୁରି ବୃଦ୍ଧି କରାଯିବ ତେବେ ସରକାରଙ୍କୁ ଅଧିକ ଋଣ କରିବାକୁ ପଡ଼ିବ। କାରଣ ଟିକସ ଉତ୍ସରୁ ଆୟ ଏତେ ଭଲ ନାହିଁ। ଯେତିକି ଅଧିକ ଋଣ କରାଯିବ ତାହାର ପ୍ରଭାବ ଅଭିବୃଦ୍ଧି ଉପରେ ପଡ଼ିବ। ଅଭିବୃଦ୍ଧି କମିଗଲେ ନିବେଶକମାନଙ୍କ ବିଶ୍ୱାସ ପ୍ରଭାବିତ ହେବ। ସେମାନେ ଭାରତକୁ ଏକ ଭଲ ନିବେଶ ସ୍ଥଳ ଭାବେ ବିଚାର କରିବେ ନାହିଁ ଯାହା ହେଉ ବୋଲି ସରକାର ଚାହୁଁନଥିବେ। ଯଦି ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟକୁ ସରକାର ଜିଡିପିର ୩% ପର୍ଯ୍ୟନ୍ତ ବଢ଼ାଇ ଦେବେ ତେବେ ଅଧିକ ଖର୍ଚ କରିବାର ଏକ ବାହାନା ସରକାରଙ୍କୁ ମିଳିଯିବ। କିନ୍ତୁ ଅର୍ଥନୀତିଜ୍ଞମାନେ ଏଭଳି ପଦକ୍ଷେପକୁ ସ୍ୱାଗତ କରିବେ ନାହିଁ।