ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଓଡ଼ିଶା ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ନିୟମ ୨୦୧୭ ଓ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ରେ କରାଯାଇଥିବା ସଂଶୋଧନଗୁଡ଼ିକୁ ଅନୁମୋଦନ ପ୍ରଦାନ କରାଯାଇଛି। କ୍ୟାବିନେଟ୍ ବୈଠକରୁ ଜଣାପଡ଼ିଛି ଯେ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ ପରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ କାରଖାନା ଓ ଯନ୍ତ୍ରପାତି ନିବେଶ ପାଇଁ ଆର୍ଥିକ ପ୍ରୋତ୍ସସାହନ ବାବଦ ଆବେଦନକୁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଡିଏଲ୍‌ସିକୁ ପଠାଇବାକୁ ହେବ। ସେହିପରି ୧ କୋଟି ଟଙ୍କାରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତର ନିବେଶ ପ୍ରକଳ୍ପ ପାଇଁ ଆବେଦନକୁ ଶିଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏସ୍‌ଡିଏଲ୍‌ସିକୁ ଏବଂ ୧୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ସମ୍ପର୍କିତ ଆବେଦନକୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ) ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏସ୍‌ଏଲ୍‌ସିକୁ ଅନୁମୋଦନ ପାଇଁ ପଠାଇବାକୁ ହେବ। ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ରେ ଥିବା ବ୍ୟବସ୍ଥାକୁ ୨୦୨୨ର ନୀତି ଅନୁରୂପ କରିବାକୁ ଦିଆଯାଇଥିବା ପ୍ରସ୍ତାବ ବୈଠକରେ ଅନୁମୋଦନ ଲାଭ କରିଥିଲା।

Advertisment

‌ସେହିପରି, ଓଡ଼ିଶା ଜିଏସ୍‌ଟି ନିୟମ ୨୦୧୭ରେ କରାଯାଇଥିବା ସଂଶୋଧନ ଅନୁସାରେ କାରଖାନା ଓ ଯନ୍ତ୍ରାଂଶର ବ୍ୟାଖ୍ୟାକୁ ନେଇ ରହିଥିବା ଦ୍ବନ୍ଦ୍ବ ଦୂର କରାଯାଇଛି। ଟିକସଦାତାଙ୍କୁ ରିଟର୍ଣ୍ଣ ଫାଇଲ୍‌ କରିବ‌ାରେ ଅଧିକ ସୁବିଧା ପ୍ରଦାନ କରାଯାଇଛି। ପାନ ମସଲା, ଇଟାଭାଟି ଓ ବାଲି ଖନନ ଆଦି କ୍ଷେତ୍ରରେ ରାଜସ୍ବ ହାନି ଆଶଙ୍କାକୁ ଏଡ଼ାଇବା ପାଇଁ ଟ୍ରାକ୍ ଆଣ୍ଡ୍‌ ଟ୍ରେସ୍ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଏହି ବ୍ୟବସ୍ଥାର ଉଲ୍ଲଂଘନ ହେଲେ ୧ ଲକ୍ଷ ଟଙ୍କା କିମ୍ବା ଦିଆଯାଇଥିବା ଟିକସର ୧୦ ପ୍ରତିଶତ ରାଶିକୁ ଜରିମାନା ଭାବେ ଅସୁଲ କରାଯିବ। ସ୍ଥାନୀୟ ପାଣ୍ଠି ଓ ମୁନସିପାଲିଟି ପାଣ୍ଠି ଶବ୍ଦରେ ସ୍ପଷ୍ଟତା ଅଣାଯାଇଛି। ଭାଉଚର୍‌ ସହିତ ଜଡ଼ିତ ବ୍ୟବସ୍ଥାରେ ‌ଯୋଗାଣ ସମ୍ବନ୍ଧୀୟ ବ୍ୟବସ୍ଥା ହଟାଇ ଦିଆଯାଇଛି। ଟିକସ ଦାବି ନ କରି କେବଳ ଜରିମାନା ନିର୍ଦେଶ ଜାରି ହୋଇଥିଲେ, ତାହା ବିରୋଧରେ ଆପିଲେଟ୍‌ କର୍ତ୍ତୃପକ୍ଷ କିମ୍ବା ଆପିଲେଟ୍‌ ଟ୍ରିବ୍ୟୁନାଲ୍‌ରେ ଆବେଦନ କରିବାକୁ ହେଲେ ଜରିମାନାର ୧୦ ପ୍ରତିଶତ ରାଶି ଆଗୁଆ ଜମା କରିବାକୁ ପଡ଼ିବ ବୋଲି ନୀତିରେ ସଂଶୋଧନ କରାଯାଇଛି।