ଭୁବନେଶ୍ବର: ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହରେ ଓଡ଼ିଶାରେ ନଗଣ୍ୟ ୨ ପ୍ରତିଶତର ବୃଦ୍ଧି ହୋଇଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ମେ’ରେ ଓଡ଼ିଶାରେ ୫୧୦୮ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଛି। ଏହା ୨୦୨୪ ମେ’ରେ ସଂଗ୍ରହ କରାଯାଇଥିବା ୫୦୨୭ କୋଟି ଟଙ୍କା ତୁଳନାରେ ମାତ୍ର ଦୁଇ ପ୍ରତିଶତ ଅଧିକ। କିନ୍ତୁ କର୍ଣ୍ଣାଟକ (୨୦%), କେରଳ (୨୪%), ମହାରାଷ୍ଟ୍ର (୧୭%), ମଧ୍ୟପ୍ରଦେଶ (୧୦%), ପଶ୍ଚିମବଙ୍ଗ (୧୮%), ପଞ୍ଜାବ (୧୦%) ଓ ହରିୟାଣା(୧୦%) ଭଳି ରାଜ୍ୟ ଜିଏସ୍ଟି ସଂଗ୍ରହ ବଢ଼ାଇବାରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛନ୍ତି। ଜିଏସ୍ଟି ସଂଗ୍ରହ ବୃଦ୍ଧିର ଜାତୀୟ ହାର ୧୬.୪ ପ୍ରତିଶତଠାରୁ ମଧ୍ୟ ଓଡ଼ିଶା ବହୁ ପଛରେ ରହିଛି। ମେ’ରେ ଜାତୀୟ ସ୍ତରରେ ୨.୦୧ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଛି।
ଚଳିତ ବର୍ଷ ଏପ୍ରିଲ୍ରେ କିନ୍ତୁ ରେକର୍ଡ ୨.୩୭ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଥିଲା। ଚଳିତ ବର୍ଷ ମେ’ରେ ୩୫.୪୩୪ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍ଟି, ୪୩,୯୦୨ କୋଟି ଟଙ୍କାର ରାଜ୍ୟ ଜିଏସ୍ଟି ଓ ୧.୦୯ ଲକ୍ଷ କୋଟି ଟଙ୍କାର ସମନ୍ବିତ ଜିଏସ୍ଟି ସଂଗ୍ରହ କରାଯାଇଥିଲା। ଜେଲଏଟ୍ ଇଣ୍ଡିଆର ପାର୍ଟନର ଏମ୍ ଏସ୍ ମଣିଙ୍କ ଅନୁସାରେ ମେ’ ମାସ ଜିଏସ୍ଟି ସଂଗ୍ରହରେ ଜାତୀୟ ସ୍ତରରେ କୌଣସି ସ୍ପଷ୍ଟ ଚିତ୍ର ପ୍ରତିଫଳିତ ହୋଇନାହିଁ। ମହାରାଷ୍ଟ୍ର ଓ ତାମିଲନାଡ଼ୁ ଭଳି ରାଜ୍ୟରେ ଜିଏସ୍ଟି ସଂଗ୍ରହ ୧୭-୨୫ ପ୍ରତିଶତ ଭଳି ଉଚ୍ଚ ହାରରେ ବଢ଼ିଛି। କିନ୍ତୁ ଗୁଜରାଟ ଓ ତେଲେଙ୍ଗାନା ଭଳି ରାଜ୍ୟରେ ଏହି ଅଭିବୃଦ୍ଧି ହାର ୬ ପ୍ରତିଶତ ଭିତରେ ସୀମିତ ରହିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ହରିୟାଣାରେ ୧୦ ପ୍ରତିଶତ ଅଭିବୃଦ୍ଧି ହୋଇଛି। କ୍ଷେତ୍ରଭିତ୍ତିକ ପ୍ରଦର୍ଶନ କିମ୍ବା ଋତୁଭିତ୍ତିକ କାରଣ ପାଇଁ ଏଭଳି ଘଟିଥାଇପାରେ ବୋଲି ସେ କହିଛନ୍ତି।