କମିଟିର ସୁପାରିସ : ଜିଏସ୍‌ଟିରେ ୨ଟି ସ୍ଲାବ୍ ରହୁ

ସମସ୍ୟା ସମାଧାନ ଲାଗି ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ର ସ୍ଲାବ୍ ସଂଖ୍ୟା ଦୁଇକୁ ହ୍ରାସ କରିବାକୁ ଏକ କମିଟି ସୁପାରିସ କରିଛି। ବର୍ତ୍ତମାନ ଜିଏସ୍‌ଟିରେ ୫%, ୧୨%, ୧୮% ଓ ୨୮% ଭଳି ଚାରିଟି ସ୍ଲାବ୍ ରହିଛି। ଏହା ବଦଳରେ ୧୦% ଓ ୨୦%ର ଦୁଇଟି ସ୍ଲାବ୍ ଲାଗୁ କରାଯାଉ ବୋଲି କମିଟି ଜିଏସ୍‌ଟି ପରିଷଦକୁ ସୁପାରିସ କରିଛି। ୨୦୧୭ ଜୁଲାଇରେ ଲାଗୁ ହେବା ପରଠାରୁ ଜିଏସ୍‌ଟିକୁ ନେଇ ରହିଥିବା ସମସ୍ୟାର ସମାଧାନ ହୋଇପାରୁନାହିଁ। ଏହି ଟିକସ ଆଦାୟ ହ୍ରାସ ପାଉଥିବା ବେଳେ ଟିକସଦାତାଙ୍କ ପାଇଁ ଏହା ମଧ୍ୟ ଏକ ଜଟିଳ ପ୍ରକ୍ରିୟା ସାବ୍ୟସ୍ତ ହୋଇଛି। ଜିଏସ୍‌ଟି ପ୍ରକ୍ରିୟାକୁ ସରଳ କରିବା ଏବଂ ଟିକସ ଆଦାୟ ପରିମାଣ ବଢ଼ାଇବା ଲାଗି ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀଙ୍କୁ ବେଙ୍ଗାଲୁରୁରେ ଏହାର ପ୍ରସ୍ତାବଗୁଡ଼ିକ ବିଷୟରେ ଅବଗତ କରିଛି। କମିଟି ଅନୁଯାୟୀ, ୧୮% ସ୍ଲାବ୍‌ରେ ଥିବା କିଛି ସାମଗ୍ରୀକୁ ପୁଣି ଥରେ ୨୮% ସ୍ଲାବ୍‌କୁ ନିଆଯାଉ। ୨୦୧୮ ଜୁଲାଇରେ ‌ଜିଏସ୍‌ଟି ପରିଷଦ ପକ୍ଷରୁ ଅନେକ କଞ୍ଜ୍ୟୁମର ଡ୍ୟୁରେବଲ୍ ସାମଗ୍ରୀ ଓ ରଙ୍ଗକୁ ୨୮% ସ୍ଲାବ୍‌ରୁ ବାହାର କରି ୧୮% ସ୍ଲାବ୍‌ରେ ଭର୍ତ୍ତି କରାଯାଉ। ମୋବାଇଲ୍ ଫୋନ୍, ଫାର୍ମାସ୍ୟୁଟିକାଲ୍, ହାତତିଆରି ସୂତା, ରେଡିମେଡ୍ ପୋଷାକ, ସାର, ଫ୍ୟାବ୍ରିକ୍‌ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ୟବହାର କରାଯାଉଥିବା କେତେକ ଉପକରଣ ୫ ଓ ୧୨% ସ୍ଲାବ୍‌ରେ ରହିଛି ଯେଉଁଥିପାଇଁ ଇନ୍‌ପୁଟ୍‌ କ୍ରେଡିଟ୍ ବାବଦରେ ୨୦ ହଜାର କୋଟି ଟଙ୍କା ରିଫଣ୍ଡ୍‌ ବାବଦରେ ଦେବାକୁ ପଡ଼ୁଛି ବୋଲି କମିଟି କହିଛି। ଅନ୍ୟ ପକ୍ଷରେ, ନିତି ଆୟୋଗର ସଦସ୍ୟ ରମେଶ ଚାନ୍ଦ ଜିଏସ୍‌ଟି ସ୍ଲାବ୍‌ ସଂଖ୍ୟା ଦୁଇକୁ ହ୍ରାସ କରିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଅନେକ ପ୍ରକାର ସ୍ଲାବ୍ ବଦଳରେ ଦୁଇଟି ସ୍ଲାବ୍ ରହିବା ଉଚିତ। ଦରକାର ପଡ଼ିଲେ ପ୍ରତିବର୍ଷ ଜିଏସ୍‌ଟି ହାରରେ ପରିବର୍ତ୍ତନ କରାଯାଇପାରିବ। ଜିଏସ୍‌ଟିରେ ବାରମ୍ବାର କରାଯାଉଥିବା ପରିବର୍ତ୍ତନକୁ ସେ ନାପସନ୍ଦ କରିଛନ୍ତି।

ସମସ୍ୟା ସମାଧାନ ଲାଗି ନୂଆ ବ୍ୟବସ୍ଥା
ଟିକସଦାତାମାନେ ସାମ୍ନା କରୁଥିବା ସମସ୍ୟାଗୁଡ଼ିକର ସମାଧାନ କରିବା ଲାଗି ଏକ ନୂତନ ବ୍ୟବସ୍ଥା ସ୍ଥାପନ କରିବାକୁ ଜିଏସ୍‌ଟି ପରିଷଦ ନିଷ୍ପତ୍ତି ନେଇଛି। ଚଳିତ ମାସ ୧୮ ତାରିଖରେ ହୋଇଥିବା ପରିଷଦର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଜୋନ୍‌ ଓ ରାଜ୍ୟ ସ୍ତରରେ ଜିଏସ୍‌ଟି ଅଭିଯୋଗ ନିବାରଣ ସମିତି ଗଠନ କରାଯିବ। ସେଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ବ୍ୟତୀତ ବ୍ୟବସାୟ ଓ ଉଦ୍ୟୋଗ ଜଗତର ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ। ଏହି ସମିତିକୁ ଦୁଇ ବର୍ଷ ପାଇଁ ଗଠନ କରାଯିବ। ଟିକସଦାତାଙ୍କ ଅଭିଯୋଗକୁ ଯାଞ୍ଚ କରି ସେଗୁଡ଼ିକର ସମାଧାନ କରିବା ଦିଗରେ ସମିତି କାର୍ଯ୍ୟ କରିବ। ଏହା ଉଭୟ ସାମାନ୍ୟ ଓ ବିଶିଷ୍ଟ ପ୍ରକାରର ମାମଲାଗୁଡ଼ିକର ସମାଧାନ କରିବ। ସମିତିର ବୈଠକ ପ୍ରତି ତିନି ମାସରେ ବସିବ। ସବୁ ପ୍ରକାର ଅଭିଯୋଗର ରେକର୍ଡ ରଖିବା ଲାଗି ଏକ ପୋର୍ଟାଲ୍ ମଧ୍ୟ ବିକଶିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର