କେନ୍ଦ୍ର ଦେଉନି ଜିଏସ୍‌ଟି କ୍ଷତିପୂରଣ

୪ ମାସର ଟଙ୍କା ମିଳିନାହିଁ, ଅସନ୍ତୋଷ ଜଣାଇଲେ ୬ ରାଜ୍ୟ, ନିର୍ମଳାଙ୍କୁ ଭେଟି ଦାବିପତ୍ର ଦେଲେ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସଠିକ୍ ସମୟରେ ଜିଏସ୍‌ଟି କ୍ଷତିପୂରଣ ରାଶି ପ୍ରଦାନ କରୁନାହାନ୍ତି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଛଅଟି ରାଜ୍ୟର ଅର୍ଥମନ୍ତ୍ରୀ ଏବିଷୟରେ ଅବଗତ କରିଛନ୍ତି। ସେମାନେ ନିଜର ଅସନ୍ତୋଷକୁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରକାଶ କରିଛନ୍ତି।

ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରିବା ଲାଗି ସମ୍ବିଧାନରେ ବ୍ୟବସ୍ଥା ରହିଛି। କିନ୍ତୁ ଏହି ଛଅ ରାଜ୍ୟ ଅଭିଯୋଗ କରିଛନ୍ତି ‌ଯେ ସେମାନଙ୍କ ପାଖରେ ଠିକ୍ ସମୟରେ କ୍ଷତିପୂରଣ ରାଶି ପହଞ୍ଚୁନାହିଁ। ଆଜି ନିର୍ମଳାଙ୍କୁ କେରଳ, ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଭେଟି ସାକ୍ଷାତ ଆଲୋଚନା କରିଥିଲେ।

ବୈଠକ ଶେ‌ଷ ହେବା ପରେ ପଞ୍ଜାବର ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ କହିଛନ୍ତି, ଅନେକ ଦିନରୁ କ୍ଷତିପୂରଣ ରାଶି ମିଳିନାହିଁ। ଆମେ ସବୁ ଦିନ ଦିଲ୍ଲୀ ଆସିପାରିବୁ ନାହିଁ। ଏହା ଆମକୁ ଭଲ ଲାଗୁନାହିଁ। ଆମକୁ ଲଜ୍ଜିତ ହେବାକୁ ପଡ଼ୁଛି। ସମସ୍ୟା ସାମ୍ନା କରିବାକୁ ପଡ଼ୁଛି। ଆମେ ଜେଲ୍‌, ସ୍କୁଲ ଓ ହସ୍ପିଟାଲ୍‌ଗୁଡ଼ିକୁ ବନ୍ଦ କରିପାରିବୁନି। ଆମକୁ ପେନ୍‌ସନ୍ ଦେବାକୁ ପଡ଼ୁଛି। ରାଜ୍ୟଗୁଡ଼ିକର ଅନେକ ଦାୟିତ୍ବ ରହିଛି। ଯେଉଁ ରାଜ୍ୟ ଟଙ୍କା ମାଗୁଛନ୍ତି ସେମାନଙ୍କ କଥାକୁ କେନ୍ଦ୍ର ସରକାର ଏତେଟା ଗୁରୁତ୍ବ ଦେଉନାହାନ୍ତି ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ସ୍ବୀକାର କରିଛନ୍ତି ଯେ, କିଛି ରାଜ୍ୟର ପ୍ରତିନିଧି ତାଙ୍କୁ ଭେଟି ଜିଏସ୍‌ଟି କ୍ଷତିପୂରଣ ସମ୍ପର୍କରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦାବି ବିଷୟରେ ମୁଁ ନିଶ୍ଚିତ ବିଚାର କରିବି। ତେବେ ରାଜ୍ୟଗୁଡ଼ିକର ପ୍ରାପ୍ୟ ଶୀଘ୍ର ସେମାନଙ୍କ ପାଖରେ ପହଞ୍ଚିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ କେଉଁ ରାଜ୍ୟର କେତେ ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ବାକି ରହିଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ମୋ ପାଖରେ ନାହିଁ ବୋଲି ନିର୍ମଳା କହିଛନ୍ତି।

ରାଜ୍ୟଗୁଡ଼ିକର ୬୦ ପ୍ରତିଶତ ରାଜସ୍ବ ଆୟ ଜିଏସ୍‌ଟି ଅଧୀନରେ ରହିଛି। ଯେହେତୁ ଜିଏସ୍‌ଟି କ୍ଷତିପୂରଣ ରାଶି ଠିକ୍ ସମୟରେ ମିଳୁନାହିଁ ସେଥିପାଇଁ ଅନେକ ରାଜ୍ୟରେ ରାଜସ୍ବ ନିଅଣ୍ଟ ଦେଖାଦେଇଛି।

କେତେକ ରାଜ୍ୟର ଜିଏସ୍‌ଟି କ୍ଷତିପୂରଣ ରାଶି ଅଗଷ୍ଟ ମାସରୁ ବାକି ଅଛି। ଚଳିତ ମାସ ୧୭-୧୮ ତାରିଖରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏହା ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହେବାକୁ ଯାଉଛି। ଜିଏସ୍‌ଟି କ୍ଷତିପୂରଣ ରାଶି କାହିଁକି ଦିଆଯାଉ ନାହିଁ ତାହାର କୌଣସି ସନ୍ତୋଷଜନକ ଉତ୍ତର ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ବୋଲି ଦିଲ୍ଲୀର ‌ଉପ ମୁଖ୍ୟମନ୍ତ୍ରୀ ମନିଷ ସି‌ସୋଦିଆ କହିଛନ୍ତି।

ପୂର୍ବ ନିର୍ଧାରିତ ନିଷ୍ପତ୍ତି ଅନୁସା‌ରେ ୨୦୨୧-୨୨ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରିବା କଥା। ମାତ୍ର ଏହି ସମୟ ସୀମାକୁ ଆଉ ତିନି ବର୍ଷ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର